ଲେଉଟୁଛି ଶୀତ: ୫ ଡିଗ୍ରି ପର୍ଯ୍ୟନ୍ତ ଖସିଲା ପାରଦ
ଭୁବନେଶ୍ବର : ୧୦ ଦିନର ବ୍ୟବଧାନ ପରେ ଶୀତ ଲେଉଟିଛି। ଆଭ୍ୟନ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ଆଖିଦୃଶିଆ ହ୍ରାସ ଘଟିଛି। ୧୨ଟି କେନ୍ଦ୍ରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ରେକର୍ଡ ହୋଇଛି। ଏଥିମଧ୍ୟରୁ ଝାରସୁଗୁଡ଼ାଠାରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରି ଓ ଫୁଲବାଣୀଠାରେ ୯.୫ ଡିଗ୍ରି ରେକର୍ଡ ହୋଇଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ଅଧିକ ହ୍ରାସ ଘଟିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଗତ ଦୁଇ ଦିନରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିଛି। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନର ପାରଦ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ନିମ୍ନଗାମୀ ହୋଇଛି। ଆସନ୍ତା ୨ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିବ। ୨ ଦିନରେ ଉତ୍ତର-ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଶୀତ ଲହରି ପରିସ୍ଥିତି ବି ଉପୁଜିପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟକୁ ଏବେ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ଉତ୍ତରା ପବନ ପ୍ରବାହ ଆରମ୍ଭ ହୋଇଯିବ। ଏହାର ପ୍ରଭାବ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଉପରେ ଅଧିକ ରହିବ ଓ ଏଠାରେ ଶୀତର ପ୍ରକୋପ ଅନୁଭୂତ ହେବ। ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଆସନ୍ତା ୨ ଦିନରେ ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ। ତେଣୁ ଶୀତ ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଉପକୂଳ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ମାଲକାନଗିରି ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିବା ଜଣାପଡ଼ିଛି। ପୁରୀରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ଓଡ଼ିଶାର ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ। ଏବେ ରାଜ୍ୟର ସମସ୍ତ ଜିଲ୍ଲାରେ ପାରଦସ୍ତର ନିମ୍ନଗାମୀ ହେବ। ପ୍ରାୟ ୩ ଡିଗ୍ରି ପର୍ଯ୍ୟନ୍ତ ପାରଦ ଖସିବ ବୋଲି ଅନୁମାନ କରାଯାଉଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିସାରିଛି। ଏଣୁ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିବ।