ଦୂରେ ଥିଲେ ପାଶେ ଅଛି ଏହା ଥିବୁ ଘେନି
କେତେ ଦୂରେ ଚନ୍ଦ୍ର କେତେ ଦୂରେ କୁମୁଦିନୀ
ପ୍ରୀତି ଅଭେଦ ତାଙ୍କର
ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର।
(ବିନୟ ପତର- କବିସମ୍ରାଟ ଉପେନ୍ଦ୍ର ଭଞ୍ଜ)
କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଥିବା ଏହି ଦୁଇ ଧାଡ଼ି କବିତା ଜର୍ମାନୀରେ ରହୁଥିବା ଇଞ୍ଜିନିୟର ରାଜେନ୍ଦ୍ର ନାରାୟଣ ଦାସଙ୍କ ଲାଗି ପ୍ରଯୋଜ୍ୟ। ୧୯୬୦ ନଭେମ୍ବର ୨୨ ତାରିଖରେ ଓଡ଼ିଶାରୁ ଜର୍ମାନୀ ଯାଇଥିବା ରାଜେନ୍ଦ୍ର ନାରାୟଣ ଆଜିକୁ ଦୀର୍ଘ ଷାଠିଏ ବର୍ଷ ହେଲା ସେଠାରେ ରହିଲେ ମଧ୍ୟ ଏବେ ବି ଓଡ଼ିଶାରେ ଥିବା ପରି ଲାଗନ୍ତି। ଜର୍ମାନୀରେ ଦେହଟି କେବଳ ଅଛି, ନ ହେଲେ ମନ, ହୃଦୟ ସବୁ ଓଡ଼ିଶାରେ। ଏ ରାଜ୍ୟରେ ଘଟୁଥିବା ପ୍ରତ୍ୟେକ ଘଟଣା ସହ ତାଙ୍କର ସମ୍ବନ୍ଧ, ସବୁ ଜଣାଶୁଣା ଲୋକଙ୍କ ସହ ତାଙ୍କର ସିଧାସଳଖ ଟେଲିଫୋନ୍ କଥାବାର୍ତ୍ତା। ଏପରି ଜଣେ ଓଡ଼ିଆଙ୍କୁ ଏଠାରେ ପାଇବା ବିରଳ ବୋଲି ଏଇ ଲେଖକର ମତ। କେତେ ଲୋକଙ୍କୁ ସମ୍ମାନ-ସମ୍ବର୍ଦ୍ଧନା ଦେବାରେ, ଡକ୍ଟରେଟ୍ ଉପାଧିରେ ଭୂଷିତ କରାଇବାରେ, ଆର୍ଥିକ ସହାୟତା ଯୋଗାଇବାରେ, ବହି ଲେଖାଇବା ଓ ଛପାଇବାରେ, ନଳକୂପ ଖୋଳେଇବାରେ ଏବଂ ରୋଗରେ ପଡ଼ିଥିବା ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇବାରେ ରାଜେନ୍ଦ୍ରବାବୁ ଶ୍ରମ, ସମ୍ବଳ ଏବଂ ସମୟ ବିନିଯୋଗ କରିଥିବେ ତାହାର ସୀମା ନାହିଁ। ସେ ଏଭଳି ଜଣେ ଯୋଗ୍ୟ ସନ୍ତାନ ଯିଏ ପିତାମାତାଙ୍କ ମୁଖ ଉଜ୍ଜ୍ବଳ କରିଛନ୍ତି, ଏଭଳି ଜଣେ ବଡ଼ ଭାଇ ଯାହାଙ୍କୁ ତାଙ୍କର ଭାଇଭଉଣୀମାନେ ଦେବତାତୁଲ୍ୟ ମନେ କରନ୍ତି ଓ ଏପରି ଜଣେ ବନ୍ଧୁ ଯାହାଙ୍କୁ ଆପଦ ବିପଦରେ ତାଙ୍କର ବନ୍ଧୁମାନେ ଖୋଜି ବସନ୍ତି। ସେ ପୁଣି ଏଭଳି ଜଣେ ସ୍ବାଭିମାନୀ ଓଡ଼ିଆ ଯିଏ ଓଡ଼ିଶାର ସାମାଜିକ କ୍ଷେତ୍ରରେ ଦେଖା ଦେଉଥିବା ପ୍ରତିଟି ବିଲକ୍ଷଣ ବିରୋଧରେ ପ୍ରତିବାଦର କଲମ ଉଠାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜେନ୍ଦ୍ର ନାରାୟଣ ଦାସଙ୍କ ଜୀବନ ଓଡ଼ିଶାର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ। ଷାଠିଏ ବର୍ଷ ତଳେ ସେ କିଭଳି କଷ୍ଟ ସହି ସେଠାକୁ ଯାଇଥିଲେ ଏବଂ ଛଅମାସ ଭିତରେ ଜର୍ମାନ ଭାଷା ଶିଖି ସେଠାର ବିଶ୍ବବିଦ୍ୟାଳୟରେ ନାମ ଲେଖାଇ ପାରିଥିଲେ ତାହା ଅନେକଙ୍କୁ ସାହସ ଯୋଗେଇବ।
ସେତେବେଳକୁ ତାଙ୍କର ବୟସ ମାତ୍ର ୨୦ ବର୍ଷ। ଏଭଳି ଜଣେ ଯୁବକ ନିଜ ଉଦ୍ୟମରେ ପାଠପଢ଼ି, ଡକ୍ଟରେଟ୍ କରି ଜର୍ମାନୀର ଏକ ବିଖ୍ୟାତ ଇସ୍ପାତ କମ୍ପାନିର ଉପର ସ୍ତରକୁ ଉନ୍ନୀତ ହେବା କିଛି କମ୍ କଥା ନୁହେଁ। ତାଙ୍କର କମ୍ପାନି ତାଙ୍କୁ ଭାରତ ବିଭାଗର ମ୍ୟାନେଜିଂ ଡାଇରେକ୍ଟର ପଦରେ ନିଯୁକ୍ତ କରି ଦିଲ୍ଲୀ ପଠାଇବାକୁ ଚାହିଥିଲା। ମାତ୍ର ସେ ଜାଣିଥିଲେ ଯେ, କମ୍ପାନି ପ୍ରାୟ ସାଢ଼େ ତିନିଶହ ଇଞ୍ଜିନିୟରଙ୍କୁ ଛଟେଇ କରିବାକୁ ଚାହୁଁଛି ଯାହା କି ତାଙ୍କରି କାର୍ଯ୍ୟକାଳ ଭିତରେ ହେବାକୁ ଯାଉଛି। ତେଣୁ ସେ ଲୋଭନୀୟ ଓ ବିଳାସପୂର୍ଣ୍ଣ ନିଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ୧୯୯୮ରେ ୫୮ ବର୍ଷ ବୟସରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଗଲେ, ଯଦିଓ ଜର୍ମାନୀର ନିୟମ ଅନୁସାରେ ସେ ୬୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିଥାନ୍ତେ। ଏହା ପରଠାରୁ ସେ ଅଧ୍ୟୟନ, ଗବେଷଣା ଓ ଓଡ଼ିଆ ସାହିତ୍ୟଚର୍ଚ୍ଚାରେ ସଂପୂର୍ଣ୍ଣ ମନ ଦେଲେ। ଇତିମଧ୍ୟରେ ତାଙ୍କର ‘କହିବସିଲେ ବହୁତ କଥା’, ‘ମନର ଆଇନାରେ ଓଡ଼ିଶା’, ‘ମନର କଥା’ ପ୍ରଭୃତି ବହି ବାହାରିଛି। ଓଡ଼ିଶାର ସବୁ ପ୍ରମୁଖ ସମ୍ବାଦପତ୍ରରେ ତାଙ୍କର ସ୍ତମ୍ଭମାନ ପ୍ରକାଶିତ ହୋଇଥାଏ ଏବଂ ଲେଖାଗୁଡ଼ିକରେ ଅକପଟ ଭାବରେ ସେ ତାଙ୍କର ମତାମତ ପ୍ରକାଶ କରିଥାଆନ୍ତି। ରାଜେନ୍ଦ୍ର ବାବୁଙ୍କର ଅନେକ ଭଲ ଗୁଣ ରହିଛି, ଯାହା ଏହି କ୍ଷୁଦ୍ର ଲେଖାରେ ପ୍ରକାଶ କରିବା ସମ୍ଭବ ନୁହେଁ। ଗୋଟିଏ ବାକ୍ୟରେ ଜଣେ ସ୍ବାଭିମାନୀ ଏବଂ ହୃଦୟବାନ୍ ମଣିଷ।
ରାଜେନ୍ଦ୍ର ନାରାୟଣ ଦାସଙ୍କର ଜନ୍ମ ୧୯୪୦ରେ, ଆଜିଠାରୁ ତାଙ୍କୁ ଏକାଅଶୀ ବର୍ଷ ପୂରିବ; ମାତ୍ର ବୟସର ଛାପ ତାଙ୍କ ମନ ଉପରେ ଆଦୌ ପଡ଼ିନାହିଁ। ଏବେ ବି ସେ ସକ୍ରିୟ ଏବଂ ସତର୍କ। ଜଣେ ସହାନୁଭୂତିଶୀଳ ଏବଂ ସ୍ବାଭିମାନୀ ଓଡ଼ିଆ ଭାବରେ ସେ ତାଙ୍କର କ୍ଷେତ୍ରରେ କାର୍ଯ୍ୟ କରିଚାଲିଛନ୍ତି। ଶ୍ରୀଜଗନ୍ନାଥ ତାଙ୍କୁ ଶହେ ଶରତ ଦେଖିବାର ସୁଯୋଗ ଦିଅନ୍ତୁ, ତାଙ୍କର ଜନ୍ମଦିନରେ ଏହି ଶୁଭକାମନା।
ଆଡ୍ଭୋକେଟ୍ ଜେନେରାଲ୍, ଓଡ଼ିଶା, କଟକ