କେତେ ରାମାୟଣ, କେତେ ଚିନ୍ତନ

ଇତିହାସର ଅଳିନ୍ଦ - ପ୍ରୀତୀଶ ଆଚାର୍ଯ୍ୟ

ସ୍ବଭାବତଃ ଆମେ ଅତୀତକୁ ଜାଣିବା ପାଇଁ ଅନୁସନ୍ଧିତ୍ସା ରଖନ୍ତି। ମାତ୍ର ଏହି ଅନୁସନ୍ଧିତ୍ସା ଅତୀତର କେତେକ ନିର୍ଦ୍ଦିଷ୍ଟ ଘଟଣାରେ ସୀମିତ ରହିଥାଏ। ସେହି ନିର୍ଦ୍ଦିଷ୍ଟ ଅତୀତର ବର୍ତ୍ତମାନ ସହିତ ସମ୍ବନ୍ଧ ଥାଏ। ବର୍ତ୍ତମାନର ଆମ ଜୀବନ ଦୃଷ୍ଟି, ବ୍ୟକ୍ତି ସ୍ବଭାବ ତଥା ପାଖ ପଡ଼ୋଶୀକୁ ନେଇ ମନୋଭାବ ଇତ୍ୟାଦି ଅତୀତର ଧାରଣା ଦ୍ବାରା ପ୍ରଭାବିତ ହୋଇଥାଏ। ଆମେ ଯାହା, ତାକୁ ଅଭିବ୍ୟକ୍ତ କରିବା ସକାଶେ ବା ସମାଜ ଆଗରେ ପରିଦୃଷ୍ଟ କରାଇବା ପାଇଁ ଅତୀତ ଉପରେ ଆଶ୍ରୟ ନେଉ। ସେମିତି ଅତୀତକୁ ନେଇ ଆମର ଟୀକାଟିପ୍ପଣୀ ତଥା ମତାମତରେ ବର୍ତ୍ତମାନର ପ୍ରଭାବ ମଧୢ ରହିଥାଏ। ତେଣୁ ଦେଖାଯାଏ ଯେ ଅତୀତର ଯେଉଁ ପକ୍ଷ ଆଜି ଆମକୁ ସୁହାଏ ନାହିଁ, ତାକୁ ଆମେ ଭୁଲି ଯାଆନ୍ତି ବା ଗୌଣ କରି ଦିଅନ୍ତି!

ଏହି ଇତିହାସ-ତତ୍ତ୍ବକୁ ବୁଝିବା ପାଇଁ ଆମେ ‘ରାମାୟଣ’ର ଉଦାହରଣ ନେଇପାରିବା। ଇତିହାସର ମତରେ, ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ରାମାୟଣର ରଚନା ଆରମ୍ଭ ହୋଇଥିଲା। ମାତ୍ର ରାମାୟଣ ରଚନାର ଅନ୍ତ ଆଜି ପର୍ଯ୍ୟନ୍ତ ହୋଇନାହିଁ। ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀ ଠାରୁ ଏହା ନିରନ୍ତର ନୂଆ ନୂଆ ରୂପରେ ରଚିତ ହୋଇ ଚାଲିଛି। ବାଲ୍ମୀକିଙ୍କ ପରେ ନୂଆ ନୂଆ ଲୋକ ତହିଁରେ ନିଜ ନିଜ ବିଚାରକୁ ସମାହିତ କରୁଛନ୍ତି। ମୂଳ କଥାବସ୍ତୁ ଅକ୍ଷୁଣ୍ଣ ଥିବା ସତ୍ତ୍ବେ ତହିଁରେ ନୂଆ ଚରିତ୍ର, ନୂଆ ସମାଜ ଓ ଜୀବନ ଦୃଷ୍ଟି ଯୋଡ଼ି ହେଉଛନ୍ତି। ଏହା ରାମାୟଣକୁ (ଏବ˚ ମହାଭାରତକୁ) ମହାକାବ୍ୟ କରିଛି। ଫଳରେ ଯେଉଁ ବିବିଧତା ଭାରତରେ, ତାହା ରାମାୟଣ ମହାକାବ୍ୟରେ ମଧୢ ପରିଲକ୍ଷିତ ହୋଇଥାଏ।

ଭାରତ ଉପମହାଦେଶ ଏବ˚ ଦକ୍ଷିଣ-ପୂର୍ବ ଏସିଆରେ ତିନିଶହରୁ ଅଧିକ କିସମର ରାମାୟଣ ରଚିତ ହୋଇଛି। ତା’ର ବିବିଧତା ଆମ ସାହିତ୍ୟିକ ଏବ˚ ସା˚ସ୍କୃତିକ ପରମ୍ପରା ପାଇଁ ଗର୍ବ ଏବ˚ ଗୌରବ। ଓଡ଼ିଶାରେ ମଧୢ ଅନେକ ରାମାୟଣ ଲେଖା ଯାଇଛି। ଦାଣ୍ତି ରାମାୟଣ, ବିଶ୍ବନାଥ ଖୁଣ୍ଟିଆଙ୍କର ‘ବିଚିତ୍ର ରାମାୟଣ’- ତନ୍ମଧୢରୁ ଅନ୍ୟତମ। ସେଗୁଡ଼ିକୁ ସ˚ସ୍କୃତ ରାମାୟଣର ଅନୁବାଦ ବୋଲି କୁହାଯାଇ ନପାରେ। ସେହି ପରି ପଶ୍ଚିମ ଓଡ଼ିଶାର ପୀତବାସ ସାହୁ କୃତ ‘ପୀତବାସିଆ ରାମାୟଣ’, କପିଳେଶ୍ବର ମହାପାତ୍ର କୃତ ‘ଗାଉଁଲି ରାମାୟଣ’, ଇନ୍ଦ୍ରମଣି ସାହୁଙ୍କ ଦ୍ବାରା ଲିଖିତ ରାମାୟଣ ଏବ˚ ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ‘ରାମରାହା’ ଦୃଷ୍ଟିକୁ ଆସେ। ଏଗୁଡ଼ିକ ମଧୢରେ ‘ରାମରାହା’(୨୦୦୧)ର ରଚୟିତା ମୋର ବାପା ହୋଇଥିବାରୁ ତାଙ୍କ ଠାରୁ ଶୁଣିଛି ଯେ ଗ୍ରାମ୍ୟ ଜୀବନରେ ସେ ନିତିପ୍ରତି ଦେଖୁଥିବା ସାମାଜିକ ରୂଢ଼ିିବାଦିତା ଏବ˚ କୁସ˚ସ୍କାର ତଥା ପାରସ୍ପରିକ ବାଦ-ବିବାଦକୁ ଅନ୍ତ କରିବା ଉଦ୍ଦେଶ୍ୟରେ ସେ ରାମାୟଣକୁ ‘ରାମରାହା’ ଶୀର୍ଷକରେ (ଅର୍ଥ ‘ରାମ ପ୍ରଦର୍ଶିତ ମାର୍ଗ’) ଲେଖିଥିଲେ। ତାଙ୍କର ଦୃଢ଼ ଧାରଣା ଥିଲା, ଲୋକ ନିଜ ଭାଷାରେ ‘ରାମରାହା’କୁ ଶୁଣିଲେ ଏବ˚ ବୁଝିଲେ ସାମାଜିକ ଶାନ୍ତି ଏବ˚ ସୌହାର୍ଦ୍ଦ୍ୟ ନିମନ୍ତେ କାବ୍ୟଟି ଏକ ଉପଶମକାରୀ ପଥ୍ୟ ରୂପେ କାମ କରିବ। ଅନ୍ୟ ‘ରାମାୟଣ’ଗୁଡ଼ିକରେ ମଧୢ ରଚୟିତାଙ୍କର ବିଚାର ଏଭଳି ଭାବରେ ପ୍ରତିଭାତ ହୋଇଥାଏ। ସେହି କାରଣରୁ ଭାରତୀୟ ସମାଜରେ ରାମ ଏକ ବିଶ୍ବାସ ରୂପରେ ଅଧିକ ପ୍ରତ୍ୟକ୍ଷ ହୁଅନ୍ତି। ତାଙ୍କୁ ଖୋଜିବା ଲାଗି ପ୍ରମାଣର ଲୋଡ଼ା ପଡ଼େ ନାହିଁ।

‘ରାମାୟଣ’ର ରଚୟିତାମାନଙ୍କୁ ବାଦ ଦେଲେ, ମହାକାବ୍ୟର ଉପାଖ୍ୟାନଗୁଡ଼ିକର ଆଜି ମଧୢ ଅବତାରଣା କରୁଥିବା ବ୍ୟକ୍ତି ଏବ˚ ପ୍ରବଚକଙ୍କ ସ˚ଖ୍ୟା କିଛି କମ୍‌ ନୁହେଁ। ସେମାନେ ନିଜ ନିଜ ବିଚାରକୁ ଅଧିକ ସ୍ପଷ୍ଟ ଏବ˚ ପରିପୁଷ୍ଟ କରିବା ନିମନ୍ତେ ‘ରାମାୟଣ’ ଭଳି ମହାକାବ୍ୟର ଆଶ୍ରୟ ନେଇଛନ୍ତି, ଯାହା ରାମଙ୍କର ମହାନତାକୁ ଅଧିକ ବ୍ୟାପକ ରୂପେ ପରିଭାଷିତ କରିଛି।

ଏକଥା ସର୍ବବିଦିତ ଯେ ଜାତୀୟତା ଆନ୍ଦୋଳନ କାଳରେ ମହାତ୍ମା ଗାନ୍ଧୀ ‘ରାମରାଜ୍ୟ’ର ଉଲ୍ଲେଖ କରୁଥିଲେ। ଏହା ଥିଲା ତାଙ୍କ କଳ୍ପିତ ଆଦର୍ଶ ସମାଜର ରୂପରେଖ। ତହିଁରେ ରାମଙ୍କ ହାତରେ ସୀତାଙ୍କ ବନବାସ, ରାବଣର ବଧ କିମ୍ବା ରାମଚନ୍ଦ୍ରଙ୍କ ଅଲୌକିକତା ଉପରେ ମହତ୍ତ୍ବ ଦିଆଯାଇନଥିଲା। ଗାନ୍ଧୀଜୀଙ୍କ ରାମ ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରତୀକ ଭାବରେ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ କଦାପି ‘ଅପର’ ବୋଲି ମନେ କରୁନଥିଲେ। ତାଙ୍କ ରାମ ଏଭଳି ଏକ ସାମର୍ଥ୍ୟ ସ˚ପନ୍ନ ବ୍ୟକ୍ତି, ଯିଏ ନିରସ୍ତ୍ର ପଶୁପକ୍ଷୀ ଏବ˚ ଅତି ସାଧାରଣ ମଣିଷମାନଙ୍କୁ ବହୁ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଏକ କ୍ଷମତାଶାଳୀ ତନ୍ତ୍ର ବିରୋଧରେ ଏକଜୁଟ କରିପାରିଥିଲେ। ସେମାନଙ୍କୁ ରାମ ଅନ୍ତଃଶକ୍ତି ଉପରେ ଭରସା ରଖିବାକୁ ତଥା ସର୍ବଦା ଭୟଶୂନ୍ୟ ରହିବାକୁ ଗୁରୁମନ୍ତ୍ର ଦେଇଥିଲେ। ସାମାଜିକ ସ˚ବୃଦ୍ଧି ଏବ˚ ସାମୁଦାୟିକ ପ୍ରଗତି ପାଇଁ ବ୍ୟକ୍ତି ସ୍ବାର୍ଥର ତ୍ୟାଗ ଅତ୍ୟନ୍ତ ଆବଶ୍ୟକ ବୋଲି ଗାନ୍ଧୀଜୀଙ୍କ ରାମ ସିଦ୍ଧ କରିଥିଲେ ଏବ˚ ତା’ର ପାଳନ କରି ରାଜପଦ ତ୍ୟାଗ କରିବାକୁ ଆଗେଇ ଆସିଥିଲେ। ଅର୍ଥାତ୍‌ ଜୀବନ ଦୃଷ୍ଟି ମହାତ୍ମା ଗାନ୍ଧୀଙ୍କର, ମାତ୍ର ତା’କୁ ଦୃଢ଼ତା ପ୍ରଦାନ କରିବା ପାଇଁ ମାଧୢମ ହୋଇଛି ‘ରାମାୟଣ’।

ମହାତ୍ମା ଗାନ୍ଧୀ ନିଜକୁ ସନାତନୀ ହିନ୍ଦୁ ବୋଲି କହୁଥିଲେ। କିନ୍ତୁ ତାଙ୍କ ଧର୍ମୀୟତା ଅସ୍ପୃଶ୍ୟତା ଭଳି କୁସ˚ସ୍କାରକୁ ସର୍ବଦା ପରିତ୍ୟଜ୍ୟ ମନେ କରୁଥିଲା; ଅନ୍ୟ ଧର୍ମକୁ ଶତ୍ରୁ ଜାଣୁନଥିଲା। ୧୯୩୪ ମସିହାରେ ତାଙ୍କ ଓଡ଼ିଶା ଗସ୍ତ ସମୟରେ କିଛି ରୂଢ଼ିବାଦୀ ହିନ୍ଦୁ ସନ୍ନ୍ୟାସୀ ତାଙ୍କର ବିରୋଧ କଲେ ଏବ˚ ସଭାରେ ଗଣ୍ତଗୋଳ କରିବାକୁ ଉଦ୍ୟମ କଲେ। ତେଣୁ ପ୍ରଥମେ ସେମାନେ ନିଜ ମତ ବ୍ୟକ୍ତ କରନ୍ତୁ ବୋଲି ଗାନ୍ଧୀଜୀ ଅନୁରୋଧ କଲେ ଏବ˚ ସେହି ଏକା ମଞ୍ଚରୁ ସେମାନଙ୍କ ବିଚାରର ପ୍ରତ୍ୟୁତ୍ତର ଦେଲେ। ବିରୋଧୀ ପକ୍ଷକୁ ଶୁଣିବାର ଧୈର୍ଯ୍ୟ ସେ ପାଇଥିଲେ ତାଙ୍କ ରାମଙ୍କ ପାଖରୁ; ଭିନ୍ନ ମତଧାରୀକୁ ଶତ୍ରୁ ମନେ ନ କରିବାର ମହତ ଦୃଷ୍ଟି ତାଙ୍କୁ ମିଳିଥିଲା ‘ରାମାୟଣ’ରୁ।

ସେହି ଏକା ରଚନା, ମାତ୍ର ତାକୁ ଦୁଇଟି ବିପରୀତ ଦୃଷ୍ଟିରୁ ଦେଖିବାର ଉଦାହରଣ ମଧୢ ରହିଛି। ୧୯୦୯ ମସିହା କଥା। ସେତେବେଳେ ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ। ଭାରତରେ ନରମପନ୍ଥୀ ଜାତୀୟତାବାଦୀମାନେ ଅନ୍ତର୍କନ୍ଦଳ ଗ୍ରସ୍ତ, ଯାହାର ପରିଣାମ ସ୍ବରୂପ ୧୯୦୭ରେ ଜାତୀୟ କ˚ଗ୍ରେସ ଦୁଇ ଭାଗରେ ବିଭାଜିତ ହୋଇସାରିଥାଏ ଏବ˚ ଜାତୀୟତା ଆନ୍ଦୋଳନକୁ ଖୁବ୍‌ ଦୁର୍ବଳ କରିଦେଇଥାଏ। ଇ˚ରେଜ ସରକାର ମଧୢ ଏହାର ସୁବିଧା ନେଇ ଜାତୀୟତାବାଦୀଙ୍କୁ ଖଡ୍‌ଗ ହସ୍ତରେ ଦମନ କରୁଥାନ୍ତି। ଜାତୀୟତାବାଦର ଏହି ଶୂନ୍ୟ ସ୍ଥାନ ଅବଧିରେ ଯୁବବର୍ଗ ହି˚ସାର ମାର୍ଗ ଆଡ଼କୁ ଆକର୍ଷିତ ହେବାରେ ଲାଗିଥାନ୍ତି। ଲଣ୍ତନରେ ସ୍ଥାପିତ ‘ଇଣ୍ତିଆ ହାଉସ’ ଏଭଳି ଯୁବବର୍ଗର ଆଡ୍‌ଡ଼ାସ୍ଥଳୀ ହୋଇଥାଏ। ବିନାୟକ ଦାମୋଦର ସାବରକର ହି˚ସା ମାର୍ଗରେ ହିଁ ଜାତୀୟତା ସ˚ଗ୍ରାମକୁ ଆଗକୁ ନେଇ ହେବ ବୋଲି କହୁଥିବାରୁ ଯୁବବର୍ଗ ସାବରକରଙ୍କୁ ‘ଗୁରୁ’ ମନେ କରୁଥାନ୍ତି। ସାବରକରଙ୍କ ପ୍ରେରଣାରେ ଲଣ୍ତନରେ ମଦନଲାଲ ଧୀଙ୍ଗ୍ରା ନାମକ ଜଣେ ଯୁବକ ୧୯୦୬ରେ ଵିଲିଅମ କର୍ଜନ ଵିଲି ନାମକ ଜଣେ ଇ˚ରେଜ ଅଧିକାରୀଙ୍କୁ ହତ୍ୟା କରି ୧୯୦୯ରେ ଫାଶୀ ପାଇଥାନ୍ତି। ଏହା ଭାରତୀୟ ଯୁବବର୍ଗକୁ ଅଧିକ ଉତ୍ତେଜିତ କରିଥାଏ। ଏହି ସମୟରେ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ନିଜ ଲଣ୍ତନ ଗସ୍ତ ଅବଧିରେ ‘ଇଣ୍ତିଆ ହାଉସ’ରେ ନିଜ ବିଚାରକୁ ନେଇ ଏକ ବକ୍ତବ୍ୟ ରଖିବାକୁ ନିମନ୍ତ୍ରଣ ପାଇଲେ। ଅନ୍ୟ ବକ୍ତାଜଣକ ହେଲେ ସାବରକର। ଅର୍ଥାତ୍‌, ହି˚ସାମାର୍ଗୀଙ୍କ ଗହଣରେ ତା’ର ଗଡ଼ ‘ଇଣ୍ତିଆ ହାଉସ’ରେ ତଥା ତା’ର ମୁଖ୍ୟ ପ୍ରବକ୍ତାଙ୍କ ଆଗରେ ଗାନ୍ଧୀଜୀଙ୍କୁ ଜାତୀୟତା ପାଇଁ ଅହି˚ସାର ଔଚିତ୍ୟ ଦର୍ଶାଇବାକୁ ପଡ଼ିବ। ଯୁବକ ଗାନ୍ଧୀଜୀ ନିର୍ଭୟ ଚିତ୍ତରେ ବକ୍ତବ୍ୟ ରଖିବା ପାଇଁ ସମ୍ମତି ଦେଲେ।

ଆଶ୍ଚର୍ଯ୍ୟର କଥା, ଉଭୟ ସାବରକର ଏବ˚ ଗାନ୍ଧୀଜୀ ନିଜ ନିଜ ବିଚାରକୁ ବକ୍ତବ୍ୟ ରୂପରେ ପେସ୍‌ କଲା ବେଳେ ରାମ ଏବ˚ ରାମାୟଣର ଉଦାହରଣ ରଖିଥିଲେ। ଗାନ୍ଧୀଜୀଙ୍କ ମତରେ ରାମାୟଣ ଏଭଳି ଏକ ମହାନ୍‌ ଗ୍ରନ୍ଥ, ଯାହା ସତ୍ୟ ରକ୍ଷା ପାଇଁ ବ୍ୟକ୍ତିକୁ କଷ୍ଟ ସହ୍ୟ କରିବାକୁ ଶିକ୍ଷା ଦିଏ। ଭଗବାନ ରାମ ସତ୍ୟ ପାଇଁ ଚଉଦ ବର୍ଷ ବନବାସର କଷ୍ଟ ବରଣ କରିଥିଲେ; ସୀତା ରାବଣର ବନ୍ଦୀଗୃହରେ ରହି ସୁଦ୍ଧା ପବିତ୍ର ସହନଶୀଳତାର ପରିଚୟ ଦେଇଥିଲେ। ସେହିଭଳି ଲକ୍ଷ୍ମଣଙ୍କ ବନବାସ ଥିଲା ଏକ କଠୋର ତପସ୍ୟା। ସତ୍ୟ ପାଇଁ ଏହିଭଳି ତ୍ୟାଗ ଏବ˚ ତପସ୍ୟା ହିଁ ଭାରତକୁ ଦିନେ ସ୍ବାଧୀନତା ଆଣିଦେବ! ତେଣୁ ଧେୢୟକୁ ପାଇବା ଲାଗି ବ୍ୟକ୍ତିକୁ ନିରନ୍ତର ତ୍ୟାଗ ଓ କଠୋର ତପସ୍ୟା କରିବାକୁ ହେବ।

କିନ୍ତୁ ସାବରକର ନିଜ ବକ୍ତବ୍ୟରେ କହିଥିଲେ- ରାବଣ ହେଉଛି ଅନ୍ୟାୟ ଏବ˚ ଦମନର ପ୍ରତୀକ। ରାମରାଜ୍ୟର ସ୍ଥାପନା ଲାଗି ତା’ର ବଧ ଅପରିହାର୍ଯ୍ୟ। ଦୁଷ୍ଟର ବିନାଶରେ ହିଁ ଦୁଷ୍ଟତାର ଅନ୍ତ ଘଟିଥାଏ। ସାବରକର ଦେବୀ ଦୁର୍ଗାଙ୍କର ମଧୢ ପ୍ରଶ˚ସା କଲେ, କାରଣ ଦୁର୍ଗା ମହିଷାସୁରର ବଧ କରିଥିଲେ। ସୁତରା˚, ଗୋଟିଏ ମହାକାବ୍ୟ, କୋଟିଏ କଥାବସ୍ତୁ ଦୁଇ ପ୍ରକାର ବିଚାରର ପ୍ରତିଫଳନରୁ ଅଲଗା ଅଲଗା ଭାବେ ପରିଭାଷିତ ହେଲା।

ନିକଟରେ ସୁପ୍ରିମ କୋର୍ଟର ନିଷ୍ପତ୍ତି ଅନୁଯାୟୀ, ଅଯୋଧୢାରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠିତ ହୋଇଛି; ତା’ପାଇଁ ଭୂମି ପୂଜନ ଶେଷ ହୋଇଛି; ବାବ୍ରୀ ମସଜିଦ ଆଉ ଏକ ଜାଗାରେ ନିର୍ମାଣ ହେବ। ଲୋକଙ୍କ ମନରେ ଆଶାର ସ˚ଚାର ଘଟିଛି- ବହୁ ସ˚ଖ୍ୟକ ଏବ˚ ଅଳ୍ପ ସ˚ଖ୍ୟକଙ୍କ ମଧୢରେ ବହୁଦିନ ଧରି ଲାଗି ରହିଥିବା ହି˚ସାଶ୍ରୟୀ ବିବାଦର ଅନ୍ତ ହେଲା! ଏଣିକି ଧର୍ମ ନାମରେ ଆଉ କେହି ପର-ଅପର ବୋଲି ବିବେଚିତ ହେବେ ନାହିଁ। ମାତ୍ର ମନ୍ଦିର ନିର୍ମାଣ ଚାନ୍ଦା ସ˚ଗୃହୀତ ହେଲା ବେଳେ ଏହାର ବିପରୀତ ଦେଖିବାକୁ ମିଳିଲାଣି। ଭବ୍ୟ ମନ୍ଦିରର ନିର୍ମାଣକୁ ସ˚ଖ୍ୟାଲଘୁ ସମ୍ପ୍ରଦାୟ ଉପରେ ରାମଙ୍କ ଯୁଦ୍ଧ ଜୟ ରୂପେ କିଛି ଲୋକ ଦର୍ଶାଉଛନ୍ତି। ବାବ୍ରୀ ମସଜିଦ ଧ୍ବସ୍ତ ହେବାର କ୍ଷତିକୁ ଏଭଳି ଅନୁଦାରତା ଓ ରୁକ୍ଷତା କ’ଣ କେବେ ଭରଣା କରିପାରେ? ଅଳ୍ପ କିଛି ଲୋକଙ୍କ ପାଇଁ ସୁପ୍ରିମ କୋର୍ଟର ନିଷ୍ପତ୍ତିକୁ ମାନିନେବା ବି ଏକ ତ୍ୟାଗ ସଦୃଶ ଥିଲା। ତାକୁ ପ୍ରଦର୍ଶିତ କରିଥିବାରୁ ଅଳ୍ପ ସ˚ଖ୍ୟକ ସ˚ପ୍ରଦାୟ ସର୍ବଦା ପ୍ରଶ˚ସାଯୋଗ୍ୟ! ସେମାନଙ୍କ ସହନଶୀଳତାକୁ ବହୁସ˚ଖ୍ୟକ ବର୍ଗ ସ୍ବୀକାର କଲେ ସହଜରେ ମାନସିକ ଏବ˚ ସାମାଜିକ କ୍ଷତ ଭରଣା ହୋଇପାରିବ; ସାମ୍ପ୍ରଦାୟିକ ସଦ୍‌ଭାବ ବୃଦ୍ଧି ପାଇବାର ସମ୍ଭାବନା ରହିବ। ତାକୁ ଅସ୍ବୀକାର କରିବା କିମ୍ବା ବିଜୟ ଗର୍ବରେ ଅଧିକ ରୁକ୍ଷ ହେବା କେବେ ଦୂରଦୃଷ୍ଟିର ପରିଚାୟକ ହୋଇନପାରେ। ରାମମନ୍ଦିର ନିର୍ମାଣ ପାଇଁ ଲୋକ ସ୍ବେଚ୍ଛାରେ ଚାନ୍ଦା ଦେଉଛନ୍ତି। ଏହା ଖୁବ୍‌ ଖୁସିର କଥା। କିନ୍ତୁ ଚାନ୍ଦା ପାଇଁ କାହାକୁ ବାଧୢ ନ କରିବା ମଧୢ ନିଶ୍ଚୟ ଏକ ମହାନୁଭବତାର ବାର୍ତ୍ତା ହେବ। ପୁନଶ୍ଚ, ଯେଉଁମାନେ ସାର୍ବଜନିକ ଏବ˚ ସା˚ବିଧାନିକ ପଦରେ ଅଧିଷ୍ଠିତ, ସେମାନେ ଉଭୟ ରାମମନ୍ଦିର ଏବ˚ ବାବ୍ରୀ ମସଜିଦର ନିର୍ମାଣ ନିମନ୍ତେ ସମଭାବରେ ଉତ୍ସାହ ପ୍ରଦର୍ଶନ କରିବା କଥା। ରାମାୟଣ ଯୁଗରେ ନା ଗଣତନ୍ତ୍ର ଥିଲା, ନା ଧର୍ମ ନିରପେକ୍ଷତାର ତତ୍ତ୍ବ ରହିଥିଲା। ତା’ସତ୍ତ୍ବେ, ରାଜା ରାମ କେବେ କୌଣସି ପ୍ରଜା ପ୍ରତି ପକ୍ଷପାତ କରିଥିବାର ଦୃଷ୍ଟାନ୍ତ ନାହିଁ। ଏବେ ରାମଙ୍କ ନାଁରେ ନା ହି˚ସା ଗ୍ରହଣୀୟ ହେବ, ନା ଧର୍ମ ନାଁରେ ପକ୍ଷପାତିତା ସ୍ବୀକାର୍ଯ୍ୟ ହେବ!
(ମତାମତ ଲେଖକଙ୍କ ନିଜସ୍ବ)

[email protected]

ସମ୍ବନ୍ଧିତ ଖବର