ବଲାଙ୍ଗୀର : ଧାନ କିଣାବିକାରେ ମିଲର୍ସଙ୍କ ମନମାନୀ ଏକ ପୁରୁଣା ଅଭିଯୋଗ। କାରଣ ପୂରା ପ୍ରକ୍ରିୟାରେ ଡହଡହ ଜଣାପଡ଼େ ମିଲର୍ସଙ୍କ ଦବଦବା। ଯଦିଓ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ, ଧାନ କିଣାବିକାରେ ମିଲର୍ସଙ୍କ କୌଣସି ଭୂମିକା ରହିବ ନାହିଁ। କେବଳ କଷ୍ଟମ ମିଲିଂ କରିବେ ମିଲର୍ସ। କିନ୍ତୁ ବଲାଙ୍ଗୀର ଜିଲ୍ଲାରେ ମଣ୍ଡି ଚାଲେ ମିଲର୍ସଙ୍କ ଇସାରାରେ। କଟନି ଛଟନି କରେ ମିଲର୍ସ। କମ ମୂଲ୍ୟରେ ଧାନ କିଣି ଚାଷୀଙ୍କ ନାଁ ଏଣ୍ଟ୍ରି କରିବାରେ ବଲାଙ୍ଗୀର ମିଲର୍ସଙ୍କ ନାଁ ଅଛି। ଏପରି ଅଭିଯୋଗର ଲମ୍ବା ତାଲିକା ଥିଲେ ବି ସେମାନଙ୍କ ଉପରେ ପ୍ରଶାସନ ଓ ପୁଲିସ ମେହେର୍ବାନ୍।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ଦିନ ତଳେ କଣ୍ଟାବାଞ୍ଜି ଲିଲୁରାମ ରାଇସ ମିଲରେ ଚଢ଼ଉ କରିଥିଲା ପ୍ରଶାସନ। ବ୍ୟାପକ ଅନିୟମିତତା ହୋଇଥିବା ପ୍ରଥମରୁ ହିଁ ଜଣାପଡ଼ିଥିଲା। ୨୯ ହଜାର ୭୦୭ କୁଇଣ୍ଟାଲ ଧାନ ସଟେଜ ବାହାରିବା ସହ ଚାଉଳ ଯେତେ ରହିବା କଥା ନଥିଲା। ଏହା ପରେ ସପ୍ତାହେ ଧରି ଚାଲିଥିଲା ତନାଘନା। ଇତିମଧ୍ୟରେ କଣ୍ଟାବାଞ୍ଜି ଥାନାରେ ଦୁଇ ଦୁଇଟି ଏଫଆଇଆର ଦିଆଯାଇଛି। ଧାରା ୪୨୦ରେ ମାମଲା ରୁଜୁ ହୋଇଛି। କିନ୍ତୁ ପୁଲିସ ହାତ ଖାଲି। ଲୋକଦେଖାଣିଆ ଭାବେ ଥରେ ଚଢ଼ଉ କରିଛି। କିନ୍ତୁ ଡକାୟତକୁ ଫିଲ୍ମ ଷ୍ଟାଇଲରେ ଧରୁଥିବା ବଲାଙ୍ଗୀର ପୁଲିସ ମିଲର୍ସ ବାପ-ପୁଅଙ୍କୁ ଧରିପାରୁନି। ତେଣୁ ଏବେ ମିଲର୍ସ ବାପ ଓ ଦୁଇ ପୁଅ ଫେରାର। ସେମାନେ କେଉଁଠି ଅଛନ୍ତି ପୁଲିସ ଜାଣିଥିଲେ ବି କୁଆଡ଼େ ଧରୁନି। ଏବେ ଭିତିରିଆ ଡିଲକୁ ନେଇ ଚାଲିଛି ଚର୍ଚ୍ଚା।
ଲିଲୁରାମ ରାଇସ ମିଲ ବୁଝାବୁଝି କରନ୍ତି ଲିଲୁରାମ ଜୈନ, ତାଙ୍କ ପୁଅ ପୀୟୂଷ ଜୈନ ଓ ନିବାସ ଜୈନ। ବାପ-ପୁଅ ମିଲର ସବୁ କାରବାର କରିଥାନ୍ତି। ଏଥର ପ୍ରଶାସନ ଚଢ଼ଉ କରିବା ପରେ ଲିଲୁରାମଙ୍କୁ ସହଯୋଗ କରିବାକୁ କହାଯାଇଥିଲା। କିନ୍ତୁ ଚଢ଼ଉ ସମୟରେ ଲିଲୁରାମ ଆସିନଥିଲେ। ଚଢ଼ଉର ଦ୍ୱିତୀୟ ଦିନ ତାଙ୍କ ଜଣେ ପୁଅ ଓ ଜଣେ ସଂପର୍କୀୟ ଆସିଥିଲେ। ହେଲେ ସେମାନେ କିଛି ସମୟ ମାତ୍ର ରହି ସେଠାରୁ ଗାଏବ ହୋଇଯାଇଥିଲେ। ତାପରେ ଆଉ ବାପ ନା ପୁଅ କାହାରି ଦେଖା ମିଳିନଥିଲା। ଏପଟେ ଟିଟିଲାଗଡ଼ ଉପଜିଲ୍ଲାପାଳ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଥିଲେ। ୪୨୦ ମାମଲାରେ ବୁକ କରିବାକୁ କହିଥିଲେ। ଆକାଉଣ୍ଟ ସବୁ ଫ୍ରିଜ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସରେ ଏତଲା ଦିଆଯାଇଥିଲା। ବାପ-ପୁଅ ସବୁ କଣ୍ଟାବାଞ୍ଜିରୁ ଫେରାର ମାରି ସାରିବା ପରେ ପୁଲିସ ପକ୍ଷରୁ ଲୋକଦେଖାଣିଆ ଘର ଉପରେ ଚଢ଼ଉ କରାଯାଇ କାମ ସାରି ଦିଆଯାଇଥିଲା। ଏପଟେ ପ୍ରଶାସନ ଛଅରୁ ସାତ ଦିନ ଧରି ଲିଲୁରାମ ରାଇସ ମିଲର ସବୁ ଧାନ ଅନ୍ୟ ମିଲଗୁଡ଼ିକୁ ସ୍ଥାନାନ୍ତର କରିଥିଲା। ସ୍ଥାନାନ୍ତର କରି ହିସାବ କିତାବରେ ୨୯ହଜାର କୁଇଣ୍ଟାଲ ଧାନ ସଟେଜ ଥିବା ତଥ୍ୟ ପଦାକୁ ଆସିଥିଲା। ଚାଉଳ ବି ଷ୍ଟକରେ ଯାହା ରହିବା କଥା ତାହାଠାରୁ କମ ପରିମାଣର ରହିଥିଲା। ସାଢେ଼ ୩କୋଟିରୁ ଅଧିକ ଟଙ୍କାର ରିକଭରି ସହ ପେନାଲଟି ସବୁ ପକାଇଛି ପ୍ରଶାସନ। ଚଢ଼ଉ ସରିବା ପରେ ବଲାଙ୍ଗୀର ସିଏସଓ ମଧ୍ୟ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି। ମିଲରେ କେତେ ପରିମାଣର ଧାନ ଚାଉଳ ସଟେଜ ରହିଛି ତାହା ଦର୍ଶାଇ ଟଙ୍କା ରିକଭର କରିବା ଦିଗରେ ପୁଲିସ ପଦକ୍ଷେପ ନେବାକୁ ଏତଲା ଦିଆଯାଇଛି। ଏତେ ସବୁ ପରେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ନାହିଁ। ଏ ପର୍ଯ୍ୟନ୍ତ ବାପ-ପୁଅଙ୍କୁ ଗିରଫ କରିନି ପୁଲିସ ପ୍ରଶାସନ। ଚର୍ଚ୍ଚା ହେଉଛି ଏବେ ସବୁ ମାମଲା ରଫାଦଫା କରିବାକୁ ଉଦ୍ୟମ ଆରମ୍ଭ ହେଲାଣି। ମିଲର୍ସ ବାପ-ପୁଅ ଫାଇନପତ୍ର ଦେଇ ସବୁକୁ ସେଟଲମେଣ୍ଟ କରିବାକୁ ଭିତିରିଆ ଚଳାଇଛନ୍ତି ପ୍ରୟାସ। ଚଢ଼ଉ କରିଥିବା ଅଧିକାରୀମାନଙ୍କଠାରୁ ନେଇ ପୁଲିସ ପ୍ରଶାସନର ପଦକ୍ଷେପକୁ ନେଇ ଏବେ ଚାରିଆଡ଼େ ନାନା ଚର୍ଚ୍ଚା ଆରମ୍ଭ ହେଲାଣି। ଧାନ କିଣାରେ ଜାଲିଆତି ଖୋଲାଖୋଲି ସାମ୍ନାକୁ ଆସିଥିଲେ ବି ବେଆଇନ କାମ କରିଥିବା ମିଲର୍ସଙ୍କୁ କାହିଁକି ଗିରଫ କରାଯାଉନି ବୋଲି ଚାଷୀ ନେତାମାନେ ପ୍ରଶ୍ନ ଉଠାଇଲେଣି।