ବାଲିପାଟଣା : ମାସକ ପୂର୍ବରୁ ଫୁରସତ୍ ମିଳେ ନାହିଁ। ରାତି ଉଜାଗର ହୋଇ କାମ କରିବାକୁ ପଡ଼େ। ଖିଆପିଆ ସମୟ ଠିକ୍ ନଥାଏ। ଗ୍ରାହକଙ୍କ ବରାଦ ଅନୁସାରେ ଓ ଠିକଣା ସମୟରେ ମୂର୍ତ୍ତି ଦେବାକୁ ପଡ଼େ। ଏମିତିକି ଘର କାମ କରିବାକୁ ବି ସମୟ ଅଣ୍ଟେ ନାହିଁ। ତେବେ କୁଳବେଉସାରୁ ଭଲ ଦି’ ପଇସା ରୋଜଗାର ହେଉଥିବାରୁ ଖୁସି ଲାଗେ। ମାତ୍ର ଚଳିତ ବର୍ଷ ସେ ଖୁସି ନାହିଁ। କରୋନା କଟକଣା ଭିତରେ ଦୀର୍ଘ ୧୦ମାସ କାଳ ହାତବାନ୍ଧି ବସି ରହିବା ବେଳେ ଯେଉଁ ସ୍ଥିତି ଥିଲା, ଏବେ କଟକଣା କୋହଳ ହେବା ପରେ ବି ସେ ସ୍ଥିତିରେ ଆଖିଦୃଶିଆ ସୁଧାର ଆସିନାହିଁ। ବହୁ କ୍ଷେତ୍ରରେ କଟକଣା ରହିଛି। ତେଣୁ କଟକଣା ଚାପରୁ ମୂର୍ତ୍ତି ବେଉସା ମୁକୁଳି ପାରିନାହିଁ। ସରସ୍ବତୀ ପୂଜା ବେପାର ମାନ୍ଦା ଥିବାରୁ କୁଳବେଉସା ଭାବେ ଏଥିରୁ ରୋଜଗାର କରିବାକୁ ଅପେକ୍ଷା କରିଥିବା କାରିଗରମାନେ ଏବେ ଚିନ୍ତାରେ।
Sambad is now on WhatsApp
Join and get latest news updates delivered to you via WhatsApp
ବାଲିପାଟଣା ପରିଖିପାଟଣା ଓ ଥାନା ସାହିରେ ଅଛନ୍ତି ଏମିତି କିଛି ପରିବାର। ପୁରୁଷ ପୁରୁଷ ଧରି ଏହି ପରିବାରଲୋକେ ମୂର୍ତ୍ତି ଗଢ଼ି ବେପାର କରି ଆସୁଛନ୍ତି। ଗତବର୍ଷ ସାରା କରୋନା କଟକଣା ଲକ୍ଡାଉନ୍ ଓ ସଟ୍ଡାଉନ୍ ବେପାର ବୁଡ଼ାଇ ଦେଇଥିଲା। ପଇସାଟିଏ ରୋଜଗାର ନଥିଲା। ବଡ଼ କଲବଲ ହୋଇ ସେମାନେ ଦିନ କାଟିଥିଲେ। କେବେ କଟକଣା ହଟିବ ବୋଲି ଚାତକ ଭଳି ଚାହିଁ ରହିଥିଲେ। ଏ ଭିତରେ ସରସ୍ବତୀ ପୂଜା ପହଞ୍ଚିଛି। ଆସନ୍ତା ୧୬ ତାରିଖରେ ଶ୍ରୀପଞ୍ଚମୀ। କିନ୍ତୁ ବେପାର ନାହିଁ। ଥାନା ସାହିର ମୂର୍ତ୍ତିକାର ଜୟଗୁରୁ ସେଠୀଙ୍କ କହିବା କଥା, ଏତେବେଳକୁ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟିବା କଥା। କିଏ ସିଧାସଳଖ କିଣିବା ପାଇଁ ତ କିଏ ପୂର୍ବରୁ ବଇନା ଦେଇଥିବା ମୂର୍ତ୍ତି ବାବଦରେ ବୁଝିବା ପାଇଁ ତାଙ୍କ ପାଖକୁ ଧାଇଁବା କଥା। ମାତ୍ର ଏଥର ତାଙ୍କ ଘର ପାଖରେ ମାଛି ଉଡ଼ୁନାହାନ୍ତି କହିଲେ ଚଳେ। ପ୍ରତିବର୍ଷ ସେ ଏହି ପୂଜାରେ ଲକ୍ଷାଧିକ ଟଙ୍କାର ବେପାର କରନ୍ତି। କିନ୍ତୁ ଏଥର ଟଙ୍କା ଦଶ, ବାରହଜାର ମିଳିବ କି ନାହିଁ, ସନ୍ଦେହ। କ୍ଲବ, ସ୍କୁଲ, କଲେଜ ଆଦିରୁ ବଡ଼ ମୂର୍ତ୍ତିର ବରାଦ ମିଳେ। କିନ୍ତୁ ଏଥର ନାହିଁ। ବହୁ ଅନୁଷ୍ଠାନ କାଣ୍ଟଛାଣ୍ଟରେ କେବଳ ବିଧିରକ୍ଷା ପାଇଁ ପୂଜା କରୁଛନ୍ତି। ତେଣୁ କଟକଣା କୋହଳ ହୋଇ ତାଙ୍କର କିଛି ଲାଭ ହେଲା ନାହିଁ ବୋଲି ସେ କହିଛନ୍ତି। ସେହିଭଳି ପିରିଖିପାଟଣା ଗାଁର ପ୍ରତାପ ମୁଦୁଲିଙ୍କ କହିବା କଥା, ପ୍ରତିବର୍ଷ ସରସ୍ବତୀ ପୂଜାରେ ସେ ୫ଶହରୁ ୬ ଶହ ଛୋଟ ମୂର୍ତ୍ତି ଓ ପାଖାପାଖି ୫୦ ବଡ଼ ମୂର୍ତ୍ତି ତିଆରି କରି ବିକ୍ରି କରନ୍ତି। କିନ୍ତୁ ଏଥର ବଜାର ଚିତ୍ର ଦେଖି ସେ ବଡ଼ ମୂର୍ତ୍ତି କରିନାହାନ୍ତି। ପ୍ରାୟ ୩ ଶହ ଛୋଟ ଛାଞ୍ଚ ମୂର୍ତ୍ତି କରିଛନ୍ତି। କିନ୍ତୁ ସବୁ ବିକ୍ରି ହେବ କି ନାହିଁ, ମନରେ ଭୟ ରହିଛି। ମୂର୍ତ୍ତି ବେପାର ନାହିଁ। ଅଥଚ ରଙ୍ଗ, ଜିଙ୍କ୍ସ, ଅଠା ଆଦି ମୂର୍ତ୍ତି ଗଢ଼ା ଉପକରଣ ଦାମ୍ ବଢ଼ିଛି। ତେଣୁ ଲାଭ ନ ହେଉ ପଛେ ସବୁ ମୂର୍ତ୍ତି ବିକ୍ରି ହୋଇଗଲେ, ଅନ୍ତତଃ ମୂଳ ପୁଞ୍ଜି ଓ ପରିଶ୍ରମର ମୂଲ୍ୟ ଉଠି ଯାଆନ୍ତା ବୋଲି ପ୍ରତାପ କହିଛନ୍ତି। ସବୁ ବିଦ୍ୟାଳୟ ପୂର୍ବ ଭଳି ଚାଲିଥିଲେ, ଏହି ସମସ୍ୟା ନଥା’ନ୍ତା ବୋଲି ସେ କହିଛନ୍ତି।