କଟକଣା ଫେରୁ, କିନ୍ତୁ ଲକ୍‌ଡାଉନ୍‌ ନ ହେଉ

ଫୋନ୍‌-ଇନ୍‌-ପ୍ଲିଜ୍‌

‌‌ଦେଶର କିଛି ରାଜ୍ୟରେ ଏବେ କରୋନାର ଦ୍ବିତୀୟ ଲହରୀ ଦେଖାଦେଲାଣି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମହାରାଷ୍ଟ୍ରର କିଛି ଜାଗାରେ ନାଇଟ୍‌ କର୍ଫ୍ୟୁ, ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଏପରି ସ୍ଥିତିରେ ଓଡ଼ିଶା‌ରେ ଯେ ଏହାର ପ୍ରଭାବ ଦେଖା ନ ଦେବ, ତାହାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେଣୁ ଚଳିତଥର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘କୋଭିଡ୍‌ ନିୟମ ପୁଣି କଡ଼ାକଡ଼ି ହେବା ଜରୁରୀ’ ପ୍ରସଙ୍ଗରେ ପାଠକଙ୍କ ମତାମତ ଲୋଡ଼ା ଯାଇଥିଲା। ଅଧିକାଂଶ ପାଠକ ଏହା ସପକ୍ଷରେ ମତ ଦେଇଛନ୍ତି। ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେଇ କଟକଣାକୁ ପୁଣିଥରେ କଡ଼ାକଡ଼ି କରିବା ସପକ୍ଷରେ କହିଛନ୍ତି। କିନ୍ତୁ ପୂରା ରାଜ୍ୟକୁ ଲକ୍‌ଡାଉନ୍‌ କିମ୍ବା ସଟ୍‌ଡାଉନ୍‌ ନ କରି ସମ୍ବେଦନଶୀଳ ଅଞ୍ଚଳରେ କରିବା ପାଇଁ ସେମାନେ କହିଛନ୍ତି।

ଓଡ଼ିଶା ଏକ ଗରିବ ରାଜ୍ୟ। ପୁଣି କରୋନା ଫେରିଲେ ରାଜ୍ୟର ଅବସ୍ଥା ସାଙ୍ଘାତିକ ହୋଇଯିବ।
ସନ୍ତୋଷ କୁମାର ମହାପାତ୍ର, ସୁନ୍ଦରପଦା

ନିୟମ କଡ଼ାକଡ଼ି ପାଳନ ନ ହେଲେ ମହାରାଷ୍ଟ୍ର ଭଳି ଦଶା ଭୋଗିବାକୁ ପଡ଼ିବ। ଏଥିପାଇଁ ପ୍ରାଶାସନିକ ସ୍ତରରେ ବ୍ୟାପକ ତଦାରଖ ଆବଶ୍ୟକ।
ଲକ୍ଷ୍ମୀଧର ପେଣ୍ଠଇ, ନୟାଗଡ଼/କୈଳାସ ସେଠୀ, ଭୁବନେଶ୍ୱର

କୋଭିଡ୍‌ ନିୟମକୁ ଆହୁରି କଡ଼ାକଡ଼ି କରାଯାଉ। କିନ୍ତୁ ଲକ୍‌ଡାଉନ, ସଟ୍‌ଡାଉନ୍‌ କରାନଯାଉ। ନଚେତ୍ ଦେଶର ଆର୍ଥିକ ଅବସ୍ଥା ଆହୁରି ବିଗିଡ଼ିଯିବ। ଲକ୍‌ଡାଉନ୍‌ ଯୋଗୁ ପିଲାଙ୍କ ଗୋଟିଏ ବର୍ଷ ବରବାଦ ହୋଇଯାଇଛି। ତେଣୁ ସରକାର ଲକ୍‌ଡାଉନ୍‌ ନ କରି କୋଭିଡ୍‌ ନିୟମକୁ ଯେପରି ଲୋକେ କଡ଼ାକଡ଼ି ପାଳନ କରିବେ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।
ଅକ୍ଷୟ କୁମାର ନାୟକ, ନିମାପଡ଼ା/ତାପସ ମାଳ, ପୁରୀ/ପ୍ରୀତି ପ୍ଲାବନୀ ପାଲ, ଭୁବନେଶ୍ୱର/ ଯୋଗେନ୍ଦ୍ରନାଥ ସାହୁ, ପୁରୀ/ରଜତ କୁମାର ମଲ୍ଲିକ, ଭୁବନେଶ୍ୱର/ ଲିପୁନା ଖଟେଇ, ବଲାଙ୍ଗୀର/ ଆନନ୍ଦ କୁମାର ପୃଷ୍ଟି, ଭୁବନେଶ୍ୱର/ ମନୀନ୍ଦ୍ର ହନଭାଗା, କୋରାପୁଟ/ ପ୍ରଜ୍ଞା ପରମିତା ନାୟକ, ବାରିପଦା/ ରିସ୍ତା ପାତ୍ର, ଭୁବନେଶ୍ୱର

ଦେଶର ୫ଟି ରାଜ୍ୟରେ ମାରାତ୍ମକ ନୂତନ କରୋନା ଷ୍ଟ୍ରେନ୍‌ ଦେଖାଦେଲାଣି। ତେଣୁ କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କରିବା ଉପରେ ସରକାର ଅଧିକ ଧ୍ୟାନ ଦିଅନ୍ତୁ। ନିୟମ ଖିଲାପକାରୀଙ୍କୁ କଠୋର ଦଣ୍ଡବିଧାନର ବ୍ୟବସ୍ଥା କଲେ ଆହୁରି ଭଲ। ନଚେତ୍‌ ନେଡିଗୁଡ଼ କହୁଣୀକୁ ବୋହିଯିବ। ଆବଶ୍ୟକସ୍ଥଳେ ଲକଡାଉନ୍‌ ମଧ୍ୟ କରାଯାଉ। ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧରେ ରଖିବା ଆବଶ୍ୟକ।
ସଚ୍ଚିଦାନନ୍ଦ ମିଶ୍ର, ପିପିଲି
ଅମୂଲ୍ୟ ପଣ୍ଡା, କଟକ/ ଗୌରାଙ୍ଗ ଚରଣ ସେଠୀ, ପୁରୁଣା ଭୁବନେଶ୍ୱର/ ଭବାନୀ ଶଙ୍କର ପରିଡ଼ା, ଅଡ଼ଶପୁର/ ଛାୟାକାନ୍ତ ନାୟକ, ବାଲିଘାଟ,ପୁରୀ

ଲୋକ ସଚେତନ ହେଲେ ଏହି ସମସ୍ୟାର ଅଧା ସମାଧାନ ହୋଇଯିବ। ସରକାରୀସ୍ତରରେ ବି କୋଭିଡ୍‌ ନିୟମ ପାଳନ ଓ ଟିକା ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଏକ ଅଭିଯାନ କରାଯାଉ।
ଆହ୍ୱାନ କୁମାର ପାଇକରାୟ, ୟୁନିଟ-୩/ ଲଳିତ କୁମାର ବେହେରା, ଭୁବନେଶ୍ୱର

ଓଡ଼ିଶାରେ ଏବେ କରୋନା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ୧୫ଜିଲ୍ଲା କରୋନାମୁକ୍ତ। ଆଗକୁ ବି ଏମିତି ସ୍ଥିତି ବଜାୟ ରଖିବାକୁ ହେଲେ ସରକାରଙ୍କୁ ଏବେ କିଛି ପଦକ୍ଷେପ ନେବାକୁ ପଡ଼ିବ।
ରମେଶ ଚନ୍ଦ୍ର ମହାପାତ୍ର, ଡୁମୁଡୁମା

କୋଭିଡ ନିୟମ କଡ଼ାକଡ଼ି ପାଳନ ହେଉ। ଏହାସହ ସରକାର ଗରିବମାନଙ୍କ ପରିବାର ପିଛା ଦୈନିକ ୫୦୦ ଟଙ୍କା ସାହାଯ୍ୟ କରନ୍ତୁ। ଏଥିରେ ବ୍ୟତିକ୍ରମ ହେଲେ ସରକାରୀ କର୍ମଚାରୀମାନଙ୍କୁ ଦଣ୍ଡିତ କରାଯିବାର ବ୍ୟବସ୍ଥା କରାଯାଉ।
ଏମ.ଏ ଦୟାନ, ଭଦ୍ରକ

ସ୍କୁଲ, କଲେଜ ତଥା ଅନ୍ୟ ଜନଗହଳି ଅଞ୍ଚଳରେ କୋଭିଡ୍‌ ନିୟମ ପାଳନକୁ ଅଧିକ କଡ଼ାକଡ଼ି କରାଯାଉ।
ପୁପୁନ ବେହେରା/ ସୌମ୍ୟରଞ୍ଜନ ପାଢ଼ୀ, ଭଦ୍ରକ

ଟିକା ଆସିଲା ପରେ କୋଭିଡ୍‌ ନିୟମକୁ କେହି ମାନୁନାହାନ୍ତି କି ପୁଲିସ୍‌ ବି ଏ ଦିଗରେ ଧ୍ୟାନ ଦେଉନି। କିନ୍ତୁ ଅନ୍ୟ ରାଜ୍ୟମାନଙ୍କ କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ତତ୍ପର ହେବାର ଆବଶ୍ୟକତା ରହିଛି। ନଚେତ୍‌ ପରିସ୍ଥିତି ପୁଣିଥରେ ଭୟାବହ ହୋଇଯିବ।
ନୀଳମଣି ମିଶ୍ର, ସୁନ୍ଦରପଦା/ ସନାତନ ପ୍ରଧାନ, ଖୋର୍ଦ୍ଧା/ ସୃଷ୍ଟିସ୍ୱରୂପା ଭଟ୍ଟାଚାର୍ଯ୍ୟ, ପୁରୀ

ଯେପର୍ଯ୍ୟନ୍ତ ଦେଶର ସବୁ ନାଗରିକଙ୍କୁ କରୋନା ଟିକା ନ ଦିଆଯାଇଛି, ଲକ୍‌ଡାଉନ୍‌ ରହିବା ଆବଶ୍ୟକ। ତେଣୁ ସରକାର ଏଦିଗରେ ଚିନ୍ତା କରନ୍ତୁ।
ସୁରେନ୍ଦ୍ର କୁମାର ନାୟକ, ନିଆଳି

ରାଜ୍ୟରେ ଯେଉଁ ଅଞ୍ଚଳରେ କୋଭିଡ୍‌ ସଂକ୍ରମଣ ବେଶି ଦେଖାଦେଉଛି, ସେଠାରେ ନିୟମକୁ କଡ଼ାକଡ଼ି ପାଳନ କରିବା ସହ ଲକ୍‌ଡାଉନ୍‌ କରାଯାଉ। ଏହାସହ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ପୁଲିସ୍‌ ପକ୍ଷରୁ ପୂର୍ବଭଳି ମାସ୍କ ଓ ସାମାଜିକ ଦୂରତାକୁ ନେଇ କଡ଼ାକଡ଼ି ଭାବେ ଯାଞ୍ଚ ହେବା ଉଚିତ।
ରମେଶ ନାୟକ, କଟକ/ ସର୍ବେଶ୍ବର ଜେନା, ମଞ୍ଚେଶ୍ୱର

ମହାରାଷ୍ଟ୍ର ଭଳି ଦଶା ଭୋଗିବାରୁ ବଞ୍ଚିବାକୁ ହେଲେ ରାଜ୍ୟରେ ପୁଣିଥରେ କରୋନା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯାଉ। ବାହାରୁ ଆସୁଥିବା ଲୋକଙ୍କୁ ମଧ୍ୟ ସଂଗରୋଧରେ ରଖାଯିବା ନିୟମକୁ ପୁଣିଥରେ ଲାଗୁ କରାଯିବା ଉଚିତ।
ଦିବ୍ୟଲୋଚନ ଭାରିମଲ୍ଲ, ଖୋର୍ଦ୍ଧା

ପ୍ରତି ପଞ୍ଚାୟତରେ ବା ପ୍ରତି ଗ୍ରାମରେ ସରକାର ୨ ଟଙ୍କାରେ ଲୋକମାନଙ୍କୁ ଖାଇବାକୁ ଦିଅନ୍ତୁ। ତା’ ପରେ କୋଭିଡ୍‌ ନିୟମ ଲାଗୁ କରନ୍ତୁ। ନଚେତ୍ ଗରିବ ଲୋକମାନେ କରୋନା‌ରେ ମରିବା ପୂର୍ବରୁ ଅନାହାରରେ ମରିଯିବେ।
ମୀର ଅରମାନ୍ ଅଲ୍ଲୀ, ଭଦ୍ରକ

ପ୍ରତୀକାତ୍ମକ ଭାବେ ଦିନକ ପାଇଁ ଲକଡାଉନ୍‌ ବା ସଟଡାଉନ୍‌ ଲାଗୁ କରାଯାଉ। ଫଳରେ ଲୋକମାନେ ପୁଣିଥରେ ଧାରାରେ ପଡ଼ିଯିବେ।
ଅଶ୍ୱିନୀ କୁମାର ସ୍ୱାଇଁ, ଭୁବନେଶ୍ୱର/ ଶକ୍ତିସ୍ୱରୂପ ପାତ୍ର, ନୟାଗଡ଼

କୋଭିଡ଼ ନିୟମ ପାଳନ କରିବା ନିହାତି ଜରୁରୀ। ନଚେତ୍ ମୃତ୍ୟୁ ସୁନିଶ୍ଚିତ। ଜନଗହଳି ସ୍ଥାନଗୁଡ଼ିକରେ ପୁଲିସ୍‌ କଡ଼ା ନଜର ରଖିବା ସହ ଅମାନିଆଙ୍କୁ ସାବାଡ୍‌ କରୁ। ସରକାର ବି ପୁଣିଥରେ ଲୋକଙ୍କୁ ସଚେତନ କରାନ୍ତୁ।
ମହେନ୍ଦ୍ର କୁମାର ସାହୁ, ଭୁବନେଶ୍ୱର/ଅଶୋକ କମୁାର ଆଢ଼୍ୟ, ପୁରୀ
ବିଶ୍ୱରଞ୍ଜନ ତ୍ରିପାଠୀ, କଟକ/ନଗେନ୍ଦ୍ରନାଥ ମିଶ୍ର, ଭୁବନେଶ୍ୱର
ରଜନୀକାନ୍ତ ରାଉଳ, କେନ୍ଦ୍ରାପଡ଼ା

ସାଧାରଣ ଲୋକଙ୍କୁ ଟିକା ଦିଆଯାଇନାହିଁ। ସରକାର କାହିଁକି କଟକଣା ଉଠାଇଲେ? ଏବେ ପଡ଼ୋଶୀ ରାଜ୍ୟମାନଙ୍କ ସ୍ଥିତିକୁ ଗୁରୁତ୍ବର ସହ ନେଇ ରାଜ୍ୟ ସରକାର ଏ ଦିଗରେ ଜରୁରୀ ପଦକ୍ଷେପ ନିଅନ୍ତୁ।
ଶ୍ରୀବତ୍ସ ମହାନ୍ତି, ଭୁବନେଶ୍ୱର
ଦେବାଶିଷ ସାହୁ, ନୟାଗଡ଼
ରାଜୀବ ଲୋଚନ ବରାଡ଼, ନୟାଗଡ଼
ବୃନ୍ଦାବନ ପ୍ରଧାନ, ଭୁବନେଶ୍ୱର

କରୋନାର ଦ୍ୱିତୀୟ ପର୍ଯ୍ୟାୟ ମହାରାଷ୍ଟ୍ର ଏବଂ ଛତିଶଗଡ଼କୁ ଗ୍ରାସିଲାଣି। ସେହି ସ୍ଥାନମାନଙ୍କରେ ଯେଭଳି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି, ଠିକ୍ ସେହିଭଳି ଆମ ରାଜ୍ୟରେ ମଧ୍ୟ ଗ୍ରହଣ କରାଯିବା ଉଚିତ। ନଚେତ୍ ସଂକ୍ରମଣ ବଢ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।
କମଳାକାନ୍ତ ସେନାପତି, ଭୁବନେଶ୍ୱର
ଜଲିଲ ଖାଁ, ଖୋର୍ଦ୍ଧା
ଜ୍ଞାନ ବିଶ୍ୱାଳ, ପୁରୀ
ଶେଖ ୟାକୁବ, ପୁରୀ

କୋଭିଡ଼ ନିୟମ ପ୍ରଣୟନ ଯେତିକି ଜରୁରୀ କଡ଼ାକଡ଼ି ଭାବେ ପାଳନ ହେଉଛି ନା ନାହିଁ ତାହା ବେଶି ଜରୁରୀ। ତେଣୁ ସରକାର ଏହାକୁ ଗୁରୁତର ସହ ଗ୍ରହଣ କରିବା ଦରକାର।
ବୀରେନ୍ଦ୍ର କୁମାର ବରାଳ, ପୁରୀ

ଅନ୍ୟ ରାଜ୍ୟରେ ଯେଉଁଭଳି ସଂକ୍ରମଣ ବ୍ୟାପୁଛି, ଆମ ରାଜ୍ୟରେ ସେମିତି ବ୍ୟାପିବାକୁ କେହି ଅଟକାଇ ପାରିବେନି। କାରଣ ଲୋକମାନେ ଏବେ ସଂପୂର୍ଣ୍ଣ ବେଫିକର ହୋଇ ବୁଲୁଛନ୍ତି। ଏହା ସହ ପୁରୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ। କାରଣ ପୁରୀକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକ ଆସୁଛନ୍ତି।
ସିଦ୍ଧାର୍ଥ ଦାସ, ପୁରୀ

ସମ୍ବନ୍ଧିତ ଖବର