ନୂଆ ଭୋଟ ପରିଚୟ ପତ୍ର ଡାଉନ୍‌ଲୋଡ଼ ପାଇଁ ସ୍ବତନ୍ତ୍ର ଅଭିଯାନ : ୧୩ ଓ ୧୪ରେ ଭୋଟ ଗ୍ରହଣ କେନ୍ଦ୍ରରେ ମିଳିବ ଇ-ଏପିକ୍‌

ଭୁବନେଶ୍ବର : ନୂଆ ଭୋଟର ଭାବେ ଯେଉଁମାନେ ନାମ ପଞ୍ଜୀକରଣ କରିଥିବେ ସେମାନେ ଏନ୍‌ଭିଏସ୍‌ପି ଓ ଭୋଟର ହେଲ୍ପ ଲାଇନ୍‌ ଆପ୍‌ ଜରିଆରେ ନିଜର ଭୋଟର ପରିଚୟ ପତ୍ର ଡାଉନ୍‌ଲୋଡ଼ କରିପାରିବେ। ଏଥିପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏ ନେଇ ରାଜ୍ୟ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍‌ସିଂ ଜରିଆରେ ଆଲୋଚନା କରିଛନ୍ତି। ଭୋଟରମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ଇ-ଏପିକ୍‌ ଡାଉନ୍‌ଲୋଡ କରିବା ପ୍ରଣାଳୀ ବାବଦରେ ଜିଲ୍ଲା ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏଥିପାଇଁ ରାଜ୍ୟର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଆସନ୍ତା ୧୩ ଓ ୧୪ ତାରିଖରେ ସ୍ବତନ୍ତ୍ର ଅଭିଯାନ କରାଯିବ। ଏହି ଦୁଇଦିନ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଇ-ଏପିକ୍‌ ଡାଉନ୍‌ଲୋଡ଼ କରିବାକୁ ଚାହୁଁଥିବା ଭୋଟରମାନଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍‌ ଇସ୍ତାହାର ଅନୁଯାୟୀ, ଏବେସୁଦ୍ଧା ଓଡ଼ିଶାରେ ମୋଟ ୪୨ ହଜାର ୪୨୧ ନୂତନ ଭୋଟରଙ୍କ ମଧ୍ୟରୁ ୧୦ ହଜାର ୯୨୨ ଜଣ ଭୋଟର ସେମାନଙ୍କ ଇ-ଏପିକ୍‌ ଡାଉନ୍‌ଲୋଡ଼ କରିସାରିଛନ୍ତି। ଅବଶିଷ୍ଟ ଭୋଟରମାନଙ୍କୁ ସ୍ବତନ୍ତ୍ର ଅଭିଯାନ ଦିବସଗୁଡ଼ିକରେ ଇ-ଏପିକ୍‌ ଡାଉନ୍‌ଲୋଡ଼ କରି ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର