ଆଜି ‘ଭାରତ ବନ୍ଦ’
ସରକାରଙ୍କ ଘୋଷଣା: ବନ୍ଦ ରହିବ ସ୍କୁଲ୍, କଲେଜ
ସମର୍ଥନ ଜଣାଇଲେ କଂଗ୍ରେସ, ବାମଦଳ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ତିନିଟି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆଜି ଶୁକ୍ରବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଭାରତ ବନ୍ଦକୁ ସଫଳ କରିବା ଲାଗି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ବିଶେଷ କରି ସବୁ ଜିଲ୍ଲାର ସଦର ମହକୁମା, ପ୍ରମୁଖ ରାସ୍ତାଘାଟରେ ବନ୍ଦ ପାଳନ ପାଇଁ ଯୋଜନା ରହିଛି।
‘ଭାରତ ବନ୍ଦ’ ପରିପ୍ରେକ୍ଷୀରେ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ସବୁ ବନ୍ଦ ରହିବ। ଆଜି ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୨୬ ତାରିଖରେ ହେବାକୁ ଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ଯୁକ୍ତ ତିନି ପଞ୍ଚମ ସେମିଷ୍ଟର୍ ପରୀକ୍ଷାକୁ ୩୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
‘ଭାରତ ବନ୍ଦ’ ସମୟରେ ରାଜ୍ୟର ପ୍ରମୁଖ ହାଟ, ବଜାର ବନ୍ଦ ରହିବ ବୋଲି ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ସ୍ଥାନୀୟ ବ୍ୟବସାୟୀମାନେ ଏପରି ନିଷ୍ପତ୍ତି ନେଇଛନ୍ତି। ସେହିପରି ଯାତ୍ରୀ ଓ ମାଲ୍ ପରିବହନ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଯଦିଓ ବସ୍ ଚଳାଚଳ ବନ୍ଦ କରିବାକୁ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇନାହିଁ, ତେବେ ଯାତ୍ରୀ ହେବାର ସମ୍ଭାବନା ନ ଥିବାରୁ ବସ୍ ଚଳାଚଳ ଆପାତତଃ ବନ୍ଦ ରହିବ। ଅଧିକାଂଶ ସ୍ଥାନରେ ଅଟୋ, ଟ୍ୟାକ୍ସି ଚଳାଚଳ ହେବ ନାହିଁ। ବିଭିନ୍ନ ଷ୍ଟେସନ୍ରେ ବନ୍ଦ ପାଳକାରୀମାନେ ପିକେଟିଂ କରିବାକୁ ଯୋଜନା କରିଥିବାରୁ ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ବନ୍ଦ ପାଳନ କରୁଥିବା ବିଭିନ୍ନ ସଂଗଠନ ପକ୍ଷରୁ ଆମ୍ବୁଲାନ୍ସ, କ୍ଷୀର ଗାଡ଼ି, ବିବାହ କାର୍ଯ୍ୟକ୍ରମ ଆଦିରେ ବାଧା ନ ଦେବାକୁ ନିବେଦନ କରାଯାଇଛି। ବନ୍ଦ ପାଳନ ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ ପୁଲିସ୍ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି।
ଭୁବନେଶ୍ବରରେ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ ନ’ ତାଲାରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। କର୍ମଚାରୀମାନଙ୍କୁ ୯ଟା ୩୦ ସୁଦ୍ଧା ଅଫିସ୍ରେ ପହଞ୍ଚିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଅତି ଜରୁରୀ କାମ ନ ଥିଲେ କୌଣସି ବାହାରର ବ୍ୟକ୍ତିଙ୍କୁ କାଲି ପାସ୍ ପ୍ରଦାନ କରାଯିବ ନାହିଁ।
‘ଭାରତ ବନ୍ଦ’କୁ କଂଗ୍ରେସ ସମର୍ଥନ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଚାଷୀମାନେ କୃଷି ଆଇନକୁ ବିରୋଧ କରିବା ସମ୍ପୂର୍ଣ୍ଣ ଯୁକ୍ତିସଙ୍ଗତ। ଦୀର୍ଘ ଦିନ ଧରି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ କେନ୍ଦ୍ର ସରକାର ସେଥି ପ୍ରତି ଦୃଷ୍ଟି ନ ଦେବା ଦୁଃଖର ବିଷୟ। ସେଥିପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ କଂଗ୍ରେସ ଏହି ବନ୍ଦକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ନେତୃବୃନ୍ଦ, ଜିଲ୍ଲା କଂଗ୍ରେସ ସଭାପତି, ଛାମୁଆ ସଂଗଠନ ଓ କର୍ମକର୍ତ୍ତାମାନେ ବନ୍ଦରେ ସକ୍ରିୟ ଅଂଶଗ୍ରହଣ କରି ସଫଳ କରିବା ପାଇଁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।
‘ଭାରତ ବନ୍ଦ’କୁ ବାମ ଦଳଗୁଡ଼ିକ ମଧ୍ୟ ସମର୍ଥନ କରିଛନ୍ତି। ଦଳର କର୍ମୀମାନେ ବନ୍ଦରେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ସିପିଆଇ(ଏମ୍)ର ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇ(ଏମ୍ଏଲ୍) ଲିବରେସନ୍ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଓ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ପୃଥକ ପୃଥକ ଭାବେ ପ୍ରେସ୍ ବିବୃତି ଜାରି କରି ସୂଚନା ଦେଇଛନ୍ତି।
ଭାରତ ବନ୍ଦକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ସମର୍ଥନ କରିଛନ୍ତି। ଗତକାଲି ଆଇଏନ୍ଟିୟୁସି କାର୍ଯ୍ୟାଳୟରେ ବିଭିନ୍ନ ଶ୍ରମିକ ସଂଗଠନର ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ଆଇଏନ୍ଟିୟୁସି ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ଏଆଇଟିୟୁସି ନେତା ରାମକୃଷ୍ଣ ପଣ୍ଡା, ଏଚ୍ଏମ୍ଏସ୍ର ବି ପି ଦାସ, ସିଆଇଟିୟୁର ପୂର୍ଣ୍ଣ ପାଢ଼ୀ, ଏଆଇୟୁଟିୟୁସିର ସମ୍ପାଦକ ଜୟସେନ ମେହେର, ନିରଞ୍ଜନ ମହାନ୍ତି, ଏଆଇସିସିଟିୟୁର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠୀ ଓ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଟିୟୁସିସିର ଜ୍ୟୋତି ରଞ୍ଜନ ମହାପାତ୍ର ଓ ସେବାର ପରିଲତା ପ୍ରମୁଖ ଉପସ୍ଥିତ ରହି ସମର୍ଥନ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ ଯେ ତିନିଟି କୃଷି ଆଇନ୍ ବିଲ୍ ପ୍ରତ୍ୟାହାର ଦାବିରେ ଗତ ୪ ମାସ ଧରି ଚାଷୀମାନେ ଦିଲ୍ଲୀରେ ଆନ୍ଦୋଳନ କରିଆସୁଛନ୍ତି। ମାର୍ଚ୍ଚ ୨୬ ତାରିଖରେ ଏହି ଆନ୍ଦୋଳନକୁ ୧୨୦ ଦିନ ପୂରିବ।