ଭଞ୍ଜନଗର ଉପଖଣ୍ଡ ୬ବ୍ଲକ୍‌ରେ ଜିଲ୍ଲାପାଳଙ୍କ ସମୀକ୍ଷା: କୋଭିଡ୍ କଟକଣା କଡ଼ାକଡ଼ି ଉପରେ ଗୁରୁତ୍ବ

 

ଭଞ୍ଜନଗର/ଧରାକୋଟ/ସୋରଡ଼ା: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଭଞ୍ଜନଗର ଉପଖଣ୍ଡ ଅଧୀନ ଭଞ୍ଜନଗର, ଧରାକୋଟ, ସୋରଡ଼ା, ବେଲଗୁଣ୍ଠା, ବୁଗୁଡ଼ା ଓ ଜଗନ୍ନାଥପ୍ରସାଦ ବ୍ଲକ୍ ଗସ୍ତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଏବଂ କାର୍ଯ୍ୟକାରୀ ନେଇ ସମୀକ୍ଷା କରିଛନ୍ତି। ଏହାସହ କୋଭିଡ୍ ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିବା ସହ ଆଗକୁ ଗ୍ରୀଷ୍ମ ଆସୁଥିବାରୁ ଗ୍ରାମାଞ୍ଚଳରେ ଜଳଯୋଗାଣ ବ୍ୟବସ୍ଥା ବ୍ୟବସ୍ଥିତ କରିବାକୁ ପରାମର୍ଶ ଦେଇଥିଲେ।
ଭଞ୍ଜନଗର ବନ ବିଭାଗ ଡାକ ବଙ୍ଗଳାରେ ବିଭିନ୍ନ ବିଭାଗର ପଦାଧିକାରୀଙ୍କ ସହ ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି। ବର୍ତ୍ତମାନ ଭଞ୍ଜନଗରରେ ଜଣେ ମାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେ ଭୁବନେଶ୍ବର ଠାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏଥିସହିତ ଭଞ୍ଜନଗର ବ୍ଲକ୍‌କୁ ଗୁଜରାଟ‌, କେରଳ ଓ ମହାରାଷ୍ଟ୍ରରୁ ୨୦୮ ଜଣ ଫେରିଥିବା ବେଳେ ସେମାନଙ୍କ ମଧ୍ୟରେ କାହାରି ନିକଟରେ କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି। ସେମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। ଏଥିସହ ପାନୀୟ ଜଳ ସମସ୍ୟା ସମାଧାନ ଦିଗରେ ପଦ‌କ୍ଷେପ ନେବାକୁ ବିଡ଼ିଓ ଏବଂ ଏନ୍‌ଏସି ଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ୍‌ରେ ୨୨ଟି ପଞ୍ଚାୟତରେ ୬୧ଟି ପାନୀୟ ଜଳଯୋଗାଣ ପ୍ରକଳ୍ପ ଓ ୧୬୫୫ ଗୋଟି ନଳକୂପ ରହିଛି। ଆଗାମୀ ଦିନରେ ପାହାଡ଼ିଆ ଇଲାକାରେ ବ୍ଲକ୍ ପକ୍ଷରୁ  ୫‌ଟି ‌ସୋଲାର ପମ୍ପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ବିଡିଓ ସୂଚନା ଦେଇଥିଲେ। ଏଥିସହ ଅଧପନ୍ତରିଆ ହୋଇ ପଡ଼ିରହିଥିବା ପୂର୍ତ୍ତ ରାସ୍ତା ନିର୍ମାଣ ତୁରନ୍ତ ଶେଷ କରିବା ‌ନେଇ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ମୋ ସ୍କୁଲ ଅଭିଯାନକୁ ସଫଳ କରିବା ନେଇ ବିଇଓଙ୍କ ସହ ଆଲେଚନା କରାଯାଇଥିଲା। ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜଙ୍କ ସମେତ ଭଞ୍ଜନଗର ମେଡିକାଲ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ, ତହସିଲଦାର ଆଲୋକ କୁମାର ପ୍ରଧାନ, ବିଡିଓ ଅନୀଲ କୁମାର ସେଠୀ, ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଇଂ. ରମେଶ ପ୍ରସାଦ ସ୍ବାଇଁ, ସିଡ଼ିପିଓ ବିଷ୍ଣୁପ୍ରିୟା ସେଠୀ, ଏନ୍‌ଏସି ଇଓ ସତ୍ୟ ପ୍ରକାଶ ମିଶ୍ର ଓ ମେଡିକାଲ୍‌ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଜିଲ୍ଲାପାଳ ସୋରଡ଼ା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ପିଇବା ପାଣି, ମନରେଗା ଓ କୋଭିଡ୍ କଟକଣା ସଂପର୍କରେ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳ ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଗୋପାଳପୁରଶାସନର ବାଞ୍ଛାନିଧି ଖାଡ଼ଙ୍ଗା ଉଚ୍ଚବିଦ୍ୟାଳୟକୁ ଗସ୍ତ କରି ବିଦ୍ୟାଳୟରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ।  ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମେତ ସୋରଡ଼ା ବିଡିଓ ସୀମାଞ୍ଚଳ ମଣ୍ଡଳ, ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର, ଥାନାଧିକାରୀ ରମେଶ କୁମାର ପ୍ରଧାନ, ନିର୍ବାହୀଯନ୍ତ୍ରୀଙ୍କ ‌ସମେତ ସମସ୍ତ ବିଭାଗୀୟ ଅଧିକାରୀ, ଏବିଡ଼ିଓ ସଂଜୀବରାଜ ସେନାପତି ଓ ସହକାରୀ ଯନ୍ତ୍ରୀ ଅମିୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଧରାକୋଟ ବ୍ଲକ୍ ଗସ୍ତ କରି ସେଠାରେ ମଧ୍ୟ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ସ୍ବତନ୍ତ୍ର ବୈଠକ କରିଥିଲେ। ବିଶେଷକରି କରୋନା କଟକଣାକୁ କିପରି କଡ଼ାକଡ଼ି ପାଳନ କରାଯାଇପାରିବ ସେ ଉପରେ ଆଲୋଚନା କରିଥିଲେ। ବ୍ଲକର ୧୮ ପଞ୍ଚାୟତର ୧୮୭ ଗ୍ରାମବାସୀଙ୍କୁ ସୁବିଧାରେ ପାନୀୟ ଜଳ ଯୋଗାଣ ନେଇ ଆଲୋଚନା କରିଥିଲେ। ସୋଲାର ପମ୍ପ୍ ଯୋଗେ ପାଣି ଯୋଗାଣ ଓ ଗ୍ରାମାଞ୍ଚଳକୁ ରାସ୍ତା ସଂଯୋଗୀକରଣ ଉପରେ ମଧ୍ୟ ଆଲୋଚନା କରିଥିଲେ। ପରେ ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଯାଇ ସେଠାରେ ସ୍ମାର୍ଟ କ୍ଲାସ୍, ବିଜ୍ଞାନାଗାର ଓ ପାଠାଗାର ପ୍ରତିଷ୍ଠା ପାଇଁ ପରାମର୍ଶ ଦେଇଥିଲେ। ତହସିଲଦାର କବିରାଜ ପ୍ରଧାନ, ବିଡିଓ ସୁଶୀଲ କୁମାର ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସ୍ବାଇଁ, ବ୍ଲକ୍ ଶିକ୍ଷାଧିକାରୀ  ରବୀନ୍ଦ୍ର କୁମାର ପଣ୍ଡାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର