ସମ୍ବଲପୁର : ସମ୍ବଲପୁରର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ହରି ଶଂକର ସାହୁ (୫୭)ଙ୍କର ଗୁରୁବାର ଦିନ ପ୍ରାୟ ସାଢ଼େ ୧୦ଟା ସମୟରେ ବୁର୍ଲା କୋଭିଡ୍ ହସ୍ପିଟାଲ୍ରେ ପରଲୋକ ହୋଇଯାଇଛି। ଶ୍ରୀ ସାହୁ ଗତ ୧୭ ତାରିଖ ଦିନ କରୋନା ପଜିଟିଭ୍ ହେବା ପରେ ସମ୍ବଲପୁର ଆରୋଗ୍ୟମ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ବୁଧବାର ସଂଧ୍ୟା ବେଳକୁ ତାଙ୍କ ଅବସ୍ଥା ଗୁୁରୁତର ହେବା ସହ ଅକ୍ସିଜେନ୍ସ୍ତର ୬୨କୁ ଖସି ଯାଇଥିଲା। ହେଲେ ଆରୋଗ୍ୟମ୍ରେ ଆଇସିୟୁ ଖାଲି ନଥିବାରୁ ତାଙ୍କୁ କୌଣସି ଡାକ୍ତରଖାନାର ଆଇସିୟୁକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଗୁରୁତର ଅବସ୍ଥାରେ ବୁଧବାର ରାତିରେ ତାଙ୍କୁ ବୁର୍ଲା କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ପରଲୋକ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବୁର୍ଲାରେ କୋଭିଡ୍ ନିୟମ ଅନୁଯାୟୀ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲା ଉଜ୍ବଳପୁରର ମୂଳ ନିବାସୀ ସ୍ବର୍ଗତ ସାହୁଙ୍କ ପତ୍ନୀ ବିନୟା ସାହୁ, ପୁଅ ନୀତିଶ ଓ ଝିଅ ରୋଜିନା ଅଛନ୍ତି। ଶ୍ରୀ ସାହୁ ଇତିହାସ ବିଭାଗର ଅଧ୍ୟାପକ ଭାବେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟରୁ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ସରକାରୀ କଲେଜ୍ ଫୁଲବାଣୀ, ଏନଏସ୍ସିବି କଲେଜ୍ ସମ୍ବଲପୁର, ସରକାରୀ ମହିଳା ମହାବିଦ୍ୟାଳୟ ସମ୍ବଲପୁରରେ ଅଧ୍ୟାପନା କରିବା ପରେ ସରକାରୀ କଲେଜ୍ ଆସ୍କାର ଭାରପ୍ରାପ୍ତ ଅଧ୍ୟକ୍ଷ ହୋଇଥିଲେ। ସେଠାରୁ ବଦଳି ହୋଇ ଆସି ପୁଣି ଏନ୍ଏସ୍ସିବି କଲେଜ୍ ସମ୍ବଲପୁରର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଥିଲେ। ଅଢ଼େଇ ବର୍ଷ ହେଲା ସେ ଅଧ୍ୟକ୍ଷ ଭାବେ ଏହି କଲେଜ୍ର ସୁପରିଚାଳନା କରି ଆସୁଥିଲେ ଓ ତାଙ୍କ ସମୟରେ ମହାବିଦ୍ୟାଳୟର ଅନେକ ଉନ୍ନତି ହୋଇଥିଲା।
ଜଣେ ଉଚ୍ଚକୋଟୀର ଅଧ୍ୟାପକ ଓ ଅଧ୍ୟକ୍ଷ ଭାବେ ସେ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ସମସ୍ତଙ୍କ ପ୍ରିୟ ଥିଲେ। ନିଜ ସରଳ, ଅମାୟିକ ବ୍ୟବହାର ପାଇଁ ସେ ସମସ୍ତଙ୍କ ଆପଣାର ହୋଇ ପାରିଥିଲେ। ତାଙ୍କ ପରଲୋକରେ ଏନ୍ଏସିବି କଲେଜ୍ ସମେତ ସେ ଅଧ୍ୟାପନା କରିଥିବା ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଆକସ୍ମିକ ପରଲୋକ କର୍ମସ୍ଥଳ ସମ୍ବଲପୁର ତଥା ଜନ୍ମ ସ୍ଥାନ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ସ୍ତବ୍ଧ କରିଛି। ଏନ୍ଏସ୍ସିବି କଲେଜ ଛାତ୍ରସଂସଦର ପୂର୍ବତନ ସଭାପତି ତଥା ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରୀ ସଭାପତି ଜୟଶଙ୍କର ମିଶ୍ର ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି।