ପ୍ରତାପୁର : ସୂର୍ଯ୍ୟକିରଣ ବାଜିଲେ ବେହୋସ୍ ହୋଇ ପଡ଼ୁଛି ହରିଶ୍ଚନ୍ଦ୍ର। ଜନ୍ମର ଦେଢ଼ବର୍ଷ ପରେ ହରିଶ୍ଚନ୍ଦ୍ରର ଶରୀରରେ ଏହି ଲକ୍ଷଣ ଦେଖାଦେଇଛି। ଡାକ୍ତର କହୁଛନ୍ତି, ହରିଶ୍ଚନ୍ଦ୍ରର ହୃତ୍ପିଣ୍ଡରେ ସମସ୍ୟା ଥିବାରୁ ସେ ଏହି ଯନ୍ତ୍ରଣା ଭୋଗୁଛନ୍ତି। ବିଭିନ୍ନ ସ୍ଥାନରେ ଦେଖାଇବା ପରେ ବି କୌଣସି ସୁଫଳ ନମିଳିବାରୁ ବାପାମାଆ ହରିଶ୍ଚନ୍ଦ୍ରଙ୍କ ଜୀବନକୁ ଭଗବାନଙ୍କ ଭରସାରେ ଛାଡ଼ିଦେଇଛନ୍ତି। ଆଜିଯାଏ ସ୍କୁଲ୍ ପିଣ୍ଡା ମାଡ଼ି ନଥିବା ହରିଶ୍ଚନ୍ଦ୍ରର ଜୀବନ ଘର ବାରଣ୍ଡାରେ ବିତୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କୁଡ଼ୁତାଇ ପଞ୍ଚାୟତ ଖାଲିଆଗାଁର ସୁଦର୍ଶନ ନାୟକ ଓ ରଞ୍ଜିତାଙ୍କ ବଡ଼ପୁଅ ପୁଅ ହରିଶ୍ଚନ୍ଦ୍ର (୧୦)। ମୂଲ ଲାଗିଲେ ପରିବାର ଚଳେ। ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ପରିବାର। ହରିଶ୍ଚନ୍ଦ୍ରକୁ ଦେଢ଼ବର୍ଷ ହୋଇଥିବା ବେଳେ ହଠାତ୍ ସେ ଅଜଣା ରୋଗରେ ଆକ୍ରାନ୍ତ ହେଲା। ସାମାନ୍ୟ ଖରା ବାଜିବା ମାତ୍ରେ ସେ ଅଚେତ ହୋଇ ପଡ଼ୁଥିଲା। ଫଳରେ ବାପାମାଆ ତାକୁ ବାହାରକୁ ଛାଡ଼ିଲେନି କି, ପାଠ ବି ପଢ଼ାଇଲେନି। ଏହା ମଧ୍ୟରେ ୧୦ ବର୍ଷ ବିତିସାରିଛି। ହରିଶ୍ଚନ୍ଦ୍ରକୁ ବାପାମାଆ ପୁଟପର୍ତି ସୁପର୍ସ୍ପେସାଲିଟି ଡାକ୍ତରଖାନା ସମେତ ବିଭିନ୍ନ ସ୍ଥାନକୁ ନେଇ ଦେଖାଇଛନ୍ତି। ହେଲେ କୌଣସି ସୁଫଳ ମିଳୁନି। ହରିଶ୍ଚନ୍ଦ୍ରର ହୃତ୍ପିଣ୍ଡରେ କିଛି ସମସ୍ୟା ରହିଛି। ବୟସ ବଢ଼ିଲେ ହିଁ ତା’ର ଅସ୍ତ୍ରୋପଚାର ହୋଇପାରିବ ବୋଲି ଡାକ୍ତର କହିଛନ୍ତି। ହେଲେ ବାହାରକୁ ବାହାରିବା କ୍ଷଣି ହରିଶ୍ଚନ୍ଦ୍ର ବେହୋସ୍ ହୋଇ ଯାଉଥିବାରୁ ଆଉ ଚିକିତ୍ସା ପାଇଁ ତାକୁ ବାହାରକୁ ନେବା ଲାଗି ବାପାମାଆ ମନ ବଳାଉ ନାହାନ୍ତି। ହରିଶ୍ଚନ୍ଦ୍ର ପ୍ରତିଦିନ ଦିନକୁ ତିନିଥର ଔଷଧ ଖାଇ ବାରଣ୍ଡାରେ ବସି ସେମିତି ଜୀବନ କାଟୁଛି।