ଶିକ୍ଷା ପ୍ରଶାସନ ଶିକ୍ଷାବିତ୍‌ଙ୍କ ହାତରେ ରହୁ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଅବସରପ୍ରାପ୍ତ ଶିକ୍ଷକ ସଂଘ

ଭୁବନେଶ୍ବର : ଶିକ୍ଷା ପ୍ରଶାସନ ସାଧାରଣ ପ୍ରଶାସନିକ ବ୍ୟବସ୍ଥାଠାରୁ ଭିନ୍ନ। ଶିକ୍ଷା ପ୍ରଶାସନ ପ୍ରତ୍ୟକ୍ଷ ଭାବେ ମାନବ ସମ୍ବଳର ସଠିକ୍‌ ନିୟୋଜନ ଓ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ଅଭିବୃଦ୍ଧିରେ ସହାୟକ ହୋଇଥାଏ। ଶିକ୍ଷା ପ୍ରଶାସନରେ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷ ଶିକ୍ଷା ବ୍ୟବସ୍ଥାରେ ନିରବଚ୍ଛିନ୍ନ ଅଭିଜ୍ଞତା ଓ ଅଙ୍ଗିକାରବଦ୍ଧତା ରହିବା ଆବଶ୍ୟକ। ଅନ୍ତର୍ଜାତୀୟ ଓ ଜାତୀୟ ଶିକ୍ଷା ସମ୍ପର୍କିତ କମିସନ ବାହ୍ୟ ହସ୍ତକ୍ଷେପ ବିନା ଶିକ୍ଷାବିତ୍‌ମାନଙ୍କୁ ଶିକ୍ଷା ପ୍ରଶାସନର ସୁପରିଚାଳନା ପାଇଁ ସମ୍ପୂର୍ଣ୍ଣ ସ୍ବାଧୀନତା ସପକ୍ଷରେ ମତପୋଷଣ କରିଛନ୍ତି। ଶିକ୍ଷା ପ୍ରଶାସନର ଆଦର୍ଶଗତ ଦିଗକୁ ଲକ୍ଷ୍ୟରେ ରଖି ଅତୀତରେ ସମସ୍ତ ଶିକ୍ଷା ବିଭାଗର ନିର୍ଦେଶକ ଓ ଅନ୍ୟାନ୍ୟ ପଦପଦବୀରେ ସରକାରୀ ମହାବିଦ୍ୟାଳୟର ବରିଷ୍ଠ ତଥା ଅଭିଜ୍ଞ ଶିକ୍ଷାବିତ୍‌ଙ୍କୁ ନିଯୁକ୍ତ କରାଯାଉଥିଲା।

ତେବେ ଓଡ଼ିଶା ସରକାର ଏଥିରେ ବ୍ୟତିକ୍ରମ କରି ଶିକ୍ଷା ବିଭାଗର ସମସ୍ତ ଉଚ୍ଚ ପଦପଦବିରେ ସର୍ବଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଓ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ର ବ୍ୟକ୍ତିମାନଙ୍କୁ ନିଯୁକ୍ତ କରିଛନ୍ତି। ଓଏଏସ୍‌ର ପୁନଃଗଠନ ସଂକଳ୍ପରେ ଉଚ୍ଚଶିକ୍ଷା ନିର୍ଦେଶକ ଓ ଶିକ୍ଷା ବିଭାଗର ପ୍ରଶାସନିକ ପଦରେ ଓଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଛି। ଓଡ଼ିଶା ସରକାରୀ ମହାବିଦ୍ୟାଳୟ ସେବା ନିୟମରେ ମଧ୍ୟ ପରିବର୍ତନ କରିଛନ୍ତି। ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କ୍ୟାଡର ନାହିଁ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ଉଚ୍ଚଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧିରେ ବାଧକ ହେବ। ଓଡ଼ିଶା ସରକାରୀ କଲେଜ ଅବସରପ୍ରାପ୍ତ ଶିକ୍ଷକ ସଂଘ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ବିକାଶ ପାଇଁ ପୂର୍ବଭଳି ସରକାରୀ ମହାବିଦ୍ୟାଳୟର ବରିଷ୍ଠ ଓ ଅଭିଜ୍ଞ ଅଧ୍ୟାପକଙ୍କୁ ଶିକ୍ଷା ବ୍ୟବସ୍ଥାର ସର୍ବୋ‌ଚ୍ଚ ନୀତି ନିର୍ଧାରଣରେ ନିଯୁକ୍ତି ପ୍ରଦାନ କରିବା ପାଇଁ ସଂଘର ସାଧାରଣ ସମ୍ପାଦକ ଧୀରେନ୍ଦ୍ର କୁମାର ମହାପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର