ବିଦ୍ବାନ ବ୍ରାହ୍ମଣ
କଥାଟିଏ - ଯାଯାବର
ଜଣେ ଅତ୍ୟନ୍ତ ଜ୍ଞାନୀ ବ୍ରାହ୍ମଣ ଥିଲେ। ଦିନକର କଥା। ଜଣେ ଯୁବକ ତାଙ୍କ ପାଖକୁ ଆସି ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିବାକୁ ଚାହିଁଲା। ବ୍ରାହ୍ମଣ ତା’ର ପରିଚୟ ମାଗିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଯୁବକ କହିଲା- ମୁଁ ଜଣେ ମୂର୍ଖ। ଶିକାର କରି ଚଳେ। ମୁଁ ଭଲ ତୀର ମାରି ପାରେ। କେଜାଣି କାହିଁକି ଏ ସବୁରେ ମନ ମାନୁନାହିଁ। ଭାବିଲି ଟିକିଏ ଜ୍ଞାନ ମାର୍ଗରେ ଯିବି। ମୋତେ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ।
ଏହା ଶୁଣି ବ୍ରାହ୍ମଣ କହିଲେ – ତୁମ କଥାରେ ମୁଁ ରାଜି। କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି। ମୁଁ ମଧୢ ତୁମ ଭଳି ଜଣେ ମୂର୍ଖ। ପିଲାଟି ଦିନରୁ ମୁଁ ଶସ୍ତ୍ର ଚାଳନା ପ୍ରତି ଗଭୀର ଆଗ୍ରହୀ ଥିଲି। କିନ୍ତୁ ତାହା ମୋ ଭାଗ୍ୟରେ ନ ଥିଲା। ଏବେ ତୁମେ ମୋତେ ପ୍ରଥମେ ଶିଷ୍ୟ ଭାବେ ବରଣ କରି ଶସ୍ତ୍ର ଚାଳନା ଶିଖାଅ। ତା’ ପରେ ମୁଁ ତୁମ କଥା ବୁଝିବି।
ଏହା ଶୁଣି ଯୁବକ ବ୍ରାହ୍ମଣଙ୍କ ପାଦ ତଳେ ପଡ଼ିଗଲା। ସେ କହିଲା- ସତରେ ଆପଣ ଜଣେ ଦିବ୍ୟ ଜ୍ଞାନୀ। ତା’ ନ ହେଲେ ଏତେ ସୁନାମ ସତ୍ତ୍ବେ ଆପଣ ଏଭଳି ବିନମ୍ର ରହି ପାରନ୍ତେ ନାହିଁ। କାରଣ ମୁଁ ଦେଖିଛି ଜ୍ଞାନ ପାଇଲେ ଲୋକେ ଗର୍ବରେ ମତ୍ତ ହୋଇଯାଆନ୍ତି।
ବ୍ରାହ୍ମଣ କହିଲେ- ଜ୍ଞାନ ଗୋଟାଏ। କିନ୍ତୁ ସେହି ଜ୍ଞାନ କାହା କାହାକୁ ଅନ୍ଧ କରିଦିଏ ତ ଆଉ କାହାର ଆଖି ଖୋଲିଦିଏ। ଜ୍ଞାନ ତୁମ ଭିତରେ ପ୍ରବେଶ କଲେ କ’ଣ କରିବ, ତାହା ତୁମ ଉପରେ ନିର୍ଭର କରେ। ଯଦି ତାହା ଅହମିକା ଜାତ କଲା ତୁମେ ଅନ୍ଧ ହୋଇଯିବ, ତୁମ ଠାରେ ରୁକ୍ଷତା ପ୍ରକାଶ ପାଇବ। ଯଦି ଜ୍ଞାନ ତୁମ ମନକୁ ଆଲୋକିତ କଲା, ତୁମେ ଅହଂକାର ମୁକ୍ତ ହୋଇପାରିବ।