ମିସନ ଶକ୍ତିରୁ ହଟିବେ ସୁଜାତା: ନିର୍ଦ୍ଦେଶ ଦେଲେ ନିର୍ବାଚନ କମିସନ

ଅଭିଯୋଗ କରିଥିଲା ବିଜେପି

ନୂଆଦିଲ୍ଲୀ: ରାଜ୍ୟ ମିସନ ଶକ୍ତି ବିଭାଗର ସଚିବ ସୁଜାତା ଆର୍‌ କାର୍ତ୍ତିକେୟନଙ୍କୁ ତାଙ୍କ ପଦବିରୁ ହଟାଇବା ପାଇଁ ଭାରତର ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଭାରତର ନିର୍ବାଚନ କମିସନଙ୍କ ସୂତ୍ରରୁ ଏହି ସୂଚନା ମିଳିଛି। ଆଜି ବିଜେପିର ଅଭିଯୋଗ ପରେ କମିସନ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଆଜି ସକାଳେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀରେ ଇସିଆଇଙ୍କ ନିକଟରେ ସୁଜାତାଙ୍କ ବିରୋଧରେ ଫେରାଦ ହୋଇଥିଲେ। ବିଜେପି ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ ବିଜେଡିର ବରିଷ୍ଠ ନେତା ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍ ବିଜେଡି ସପକ୍ଷରେ ଭୋଟଦାତାଙ୍କୁ ପ୍ରଭାବିତ କରିବା ସହ ପଦର ଅପବ୍ୟବହାର ତଥା ସରକାରୀ କଳର ଦୂରୁପଯୋଗ କରୁଛନ୍ତି।

ସେ ନିଜ ସ୍ବାମୀଙ୍କ ଦ୍ବାରା ପ୍ରଭାବିତ ହୋଇ ବିଜେଡି ଏଜେଣ୍ଟ୍‌ ଭାବେ କାର୍ଯ୍ୟ କରୁଛନ୍ତି। ମିସନ ଶକ୍ତିର ୭୦ ହଜାର ମହିଳାଙ୍କୁ ଏହି କାର୍ଯ୍ୟରେ ସାମିଲ କରାଯାଇଛି। ଭାରତର ନିର୍ବାଚନ କମିସନ ଦେଶରେ ଭୋଟଦାନ ସଚେତନତା କାର୍ଯ୍ୟକ୍ରମ ଆଧାରରେ ଏସ୍‌ଭିଇଇପି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ହେଲେ ଓଡ଼ିଶାରେ ମିସନ ଶକ୍ତି ବିଭାଗ ଏସ୍‌ଭିଇଇପି କାର୍ଯ୍ୟକ୍ରମକୁ ବିଜେଡି ସପକ୍ଷରେ ପ୍ରଚାର ପାଇଁ ବ୍ୟବହାର କରୁଛି। ନିର୍ବାଚନ କମିସନଙ୍କ ସ୍ବଚ୍ଛ ଓ ନିରପେକ୍ଷ ଭାବମୂର୍ତ୍ତି ରକ୍ଷା ପାଇଁ ଶ୍ରୀମତୀ କାର୍ତ୍ତିକେୟନଙ୍କୁ ଦାୟିତ୍ବରୁ ହଟାଯାଉ। ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ପବ୍ଲିକ ଡିଲିଂ ଦାୟିତ୍ବରୁ ହଟାଇବା ପାଇଁ ବିଜେପି ଦାବି କରିଛି। ବିଜେପିର ପ୍ରତିନିଧି ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ସାଂସଦ ସୁଧାଂଶୁ ତ୍ରିବେଦୀ ଓ ବିଜେପି ନେତା ଓମ୍‌ ପାଠକ ସାମିଲ ଥିଲେ।

ସମ୍ବନ୍ଧିତ ଖବର