ସମ୍ପୂର୍ଣ୍ଣ ସୁଧାର ହୋଇନି, ଠିକ୍ ସମୟରେ ରାଜ୍ୟଙ୍କୁ ଜିଏସ୍ଟି କ୍ଷତିପୂରଣ ମିଳିବ
ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରାଯାଉଛି
ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକ କୋଭିଡ୍ କଟକଣା ହଟାଇବା ପରେ ଅର୍ଥନୀତିରେ ଆରମ୍ଭ ହୋଇଥିବା ସୁଧାର ପ୍ରକ୍ରିୟା ଜାରି ରହିଛି। ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁଧାର ହୋଇନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା ଲାଗି ରିଜର୍ଭ ବ୍ୟାଙ୍କ ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହାକୁ ପ୍ରତ୍ୟାହାର କରିନେବା ଭଳି ସ୍ତରରେ ଅର୍ଥନୀତି ପହଞ୍ଚି ନାହିଁ। ରିଜର୍ଭ ବ୍ୟାଙ୍କ ଏହାକୁ ଭଲ ଭାବେ ବୁଝିପାରିଛି। ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ସହ ଅଭିବୃଦ୍ଧି ବଢ଼ାଇବା ଉପରେ ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ସରକାର ପ୍ରସ୍ତୁତ ରହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ଆଗମନରେ ୩୭% ବୃଦ୍ଧି ହୋଇଛି। ଜୁଲାଇ ଶେଷ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ୬୨୦ ବିଲିଅନ ଡଲାରର ବୈଦେଶିକ ମୁଦ୍ରା ରହିଛି। ନରେନ୍ଦ୍ର ମୋଦୀଙ୍କ ସରକାର ମହାମାରୀ ସମୟରେ ମଧ୍ୟ ସଂସ୍କାର ପ୍ରକ୍ରିୟା ଜାରି ରଖିଛି। ଗତବର୍ଷ ସରକାର କୃଷି ଆଇନ ଓ ଶ୍ରମ ସଂସ୍କାର କରିଥିଲେ ବୋଲି ସେ କହିଛନ୍ତି। ଦେଶର ଅର୍ଥନୀତିକୁ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ାଇବା ଲାଗି ପୁଞ୍ଜିନିବେଶ କରିବାକୁ ସେ ଶିଳ୍ପ ଜଗତକୁ ଆହ୍ବାନ ଦେଇଛନ୍ତି। ରିସ୍କ ନେବା ଲାଗି ସାହସ ଦେଖାଇବାର ଏହା ଉପଯୁକ୍ତ ସମୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଟିକସ ଆଦାୟରେ ଉନ୍ନତି ପରିଲକ୍ଷିତ ହୋଇଥିବା ବେଳେ ରାଜ୍ୟଗୁଡ଼ିକୁ ଉଚିତ ସମୟରେ ଜିଏସ୍ଟି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ଘରୋଇକରଣ ଲାଗି ରହିଥିବା ଲକ୍ଷ୍ୟ ହାସଲ କରିବା ପାଇଁ ସରକାର କଠିନ ପରିଶ୍ରମ କରି କାର୍ଯ୍ୟ କରୁଛନ୍ତି। ଏହି ଲକ୍ଷ୍ୟରୁ ସରକାର ବିଚ୍ୟୁତ ହୋଇନାହାନ୍ତି। ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଏୟାର ଇଣ୍ଡିଆ ଓ ବିପିସିଏଲ୍ର ଘରୋଇକରଣ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ବ୍ୟତୀତ ଦୁଇଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିକୁ ବିକ୍ରି କରାଯିବ ବୋଲି ଅର୍ଥମନ୍ତ୍ରୀ ବଜେଟ୍ରେ ଘୋଷଣା କରିଥିଲେ। ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)କୁ ଷ୍ଟକ ବଜାରରେ ପଞ୍ଜିକୃତ କରିବା ପାଇଁ ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଆଣିବା ଲାଗି ମଧ୍ୟ ସରକାରଙ୍କ ଯୋଜନା ରହିଛି।
ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଜରୁରୀ: ଧର୍ମେନ୍ଦ୍ର
ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବା ବେଳେ ଆମେ ସମସ୍ତେ ଏକାଠି ହୋଇ ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦରକାର। ଯୁବପିଢ଼ି ହିଁ ଭାରତର ନେତୃତ୍ବ ନେଇ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ହାସଲ କରିପାରିବେ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସିଆଇଆଇ ବାର୍ଷିକ ବୈଠକ ସମାରୋହରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର ଅର୍ଥନୀତି ଆଗକୁ ବଢ଼ୁଛି। ଅର୍ଥନୀତିକୁ ଆଗକୁ ବଢ଼ାଇବା ସହ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଜରୁରୀ ବୋଲି ସେ କହିଛନ୍ତି। ଏକବିଂଶ ଶତାବ୍ଦୀର ଦକ୍ଷତା ସହ ସେମାନଙ୍କୁ ପ୍ରସ୍ତୁତ କରିବା ଲାଗି ନିରନ୍ତର ଉଦ୍ୟମ ଜାରି ରହିଛି। ଜାତୀୟ ଶିକ୍ଷା ନୀତି ୨୦୨୦ରେ ସରକାର ଭବିଷ୍ୟତର ମାନବ ସମ୍ବଳ ପ୍ରସ୍ତୁତ କରିବା ଲାଗି ଶିକ୍ଷା ଓ ଦକ୍ଷତା ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଏହି ଶିକ୍ଷା ନୀତି ଦୃଢ଼ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ସେ କହିଛନ୍ତି। ପ୍ରଯୁକ୍ତି ଓ ଜ୍ଞାନକୌଶଳ ସହଯୋଗରେ ଶିକ୍ଷକମାନଙ୍କ ଦକ୍ଷତାରେ ଉନ୍ନତି ଓ ସେମାନଙ୍କୁ ପୁନଃ ଦକ୍ଷତା ପ୍ରଦାନ କରାଯିବା ଦରକାର। ସରକାର ଡିଜିଟାଲ୍ ଶିକ୍ଷାର ବିକାଶ କରିବାକୁ ଚାହୁଥିବା ସେ କହିଛନ୍ତି।