‘ସୁପ୍ରିମ୍‌ କୋର୍ଟ କଲିଜିୟମ୍‌’ ପଠାଇଥିବା ସମସ୍ତ ୯ଜଣ ବିଚାରପତିଙ୍କ ନାମ ଅନୁମୋଦନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଶୀର୍ଷ ଅଦାଲତରେ ନିଯୁକ୍ତି ନିମନ୍ତେ ‘ସୁପ୍ରିମ୍‌ କୋର୍ଟ କଲିଜିୟମ୍‌’ ସୁପାରିସ କରିଥିବା ସମସ୍ତ ୯ଜଣ ବିଚାରପତିଙ୍କ ନାମକୁ କେନ୍ଦ୍ର ସରକାର ଅନୁମ‌ୋଦନ କରିଛନ୍ତି। ଏହି ବିଚାରପତିମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା ବିଚାରପତି।

‘କଲିଜିୟମ୍‌’ ସୁପାରିସ କରିଥିବା ବିଚାରପତିଙ୍କ ମଧ୍ୟରେ ଅଛନ୍ତି, କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଏଏସ୍‌ ଓକା ଏବଂ ବିଚାରପତି ବି ଭି ନାଗରତ୍ନ, ତେଲେଙ୍ଗାନା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ହିମା କୋହଲି, ଗୁଜରାଟ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ବିକ୍ରମ ନାଥ, ସିକିମ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଜେ କେ ମାହେଶ୍ବରୀ, କେରଳ ଉଚ୍ଚନ୍ୟାୟାଳୟର ବିଚାରପତି ସି ଟି ରବିକୁମାର, ମାଡ୍ରାସ୍‌ ଉଚ୍ଚ ନ୍ୟାୟାଳୟର ବିଚାରପତି ଏମ୍‌ ଏମ୍‌ ସୁନ୍ଦରେଶ, ଗୁଜରାଟ ଉଚ୍ଚ ନ୍ୟାୟାଳୟର ବିଚାରପତି ବେଲା ଏମ୍ ତ୍ରିବେଦୀ ଏବଂ ବରିଷ୍ଠ ଆଡ୍‌ଭୋକେଟ୍‌ ପି ଏସ୍‌ ନରସିଂହ।

ସମ୍ପ୍ରତି ସୁପ୍ରିମ୍‌ କୋର୍ଟରେ ୨୪ଜଣ ବିଚାରପତି ଅଛନ୍ତି। ଉପରୋକ୍ତ ୯ଜଣ ବିଚାରପତି ନିଯୁକ୍ତି ପାଇଲେ ମଧ୍ୟ ଆହୁରି ଜଣେ ବିଚାରପତିଙ୍କ ପଦବୀ ଖାଲି ରହିବ।

Image Courtesy of India Today

ଅନୁମୋଦିତ ବିଚାରପତିମାନଙ୍କ ମଧ୍ୟରୁ ବିଚାରପତି ନାଗରତ୍ନ ଏକ ମାସରୁ କିଛି ଦିନ ଅଧିକ ସମୟ ପର୍ଯ୍ୟନ୍ତ (୨୦୨୭ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ) ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇ ପାରନ୍ତି। ୧୯୬୨ ଅକ୍ଟୋବର ୩୦ରେ ଜନ୍ମିତା ବିଚାରପତି ନାଗରତ୍ନ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି ଇ ଏସ୍‌ ଭେଙ୍କଟରମୈୟାଙ୍କ କନ୍ୟା। ୧୯୮୭ ଅକ୍ଟୋବର ୨୮ରେ ସେ ଜଣେ ଆଡ୍‌ଭୋକେଟ୍‌ ଭାବେ ପଞ୍ଜିକୃତା ହୋଇ ସମ୍ବିଧାନ, ବାଣିଜ୍ୟ, ବୀମା ଏବଂ ଚାକିରି ଆଦି ମାମଲାର ମୋକଦ୍ଦମା ଲଢୁଥିଲେ।

୧୯୫୦ ମସିହା ଜାନୁଆରି ୨୬ରୁ କାର୍ଯ୍ୟକ୍ଷମ ହୋଇଥିବା ସୁପ୍ରିମ୍‌ କୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟ ଖୁବ୍‌ ନଗଣ୍ୟ ରହିଆସିଛି। ଗତ ୭୧ ବର୍ଷରେ ମାତ୍ର ୮ଜଣ ମହିଳା ବିଚାରପତି ସୁପ୍ରିମ୍‌ କ‌ୋର୍ଟରେ ନିଯୁକ୍ତି ପାଇଛନ୍ତି। ୧୯୮୯ରେ ପ୍ରଥମେ ନିଯୁକ୍ତି ପାଇଥିଲେ ଏମ୍‌ ଫତିମା ବିବି।

ସମ୍ବନ୍ଧିତ ଖବର