ଏଟିଏମ୍‌ରେ ସ୍ବତନ୍ତ୍ର ଡିଭାଇସ୍‌ ଖଞ୍ଜି ଲୁଟୁଥିଲେ: ଧରାପଡ଼ିଲା ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌

ଟିଏସ୍‌ଆଇ ଦ୍ବାରା ଦୁଇ କାବୁ, ଖସିଗଲେ ଦୁଇ ହୋଟେଲ୍‌ରେ ଜମାଇଥିଲେ ଆଡ଼ା

ଭୁବନେଶ୍ବର: ରାଜଧାନୀରେ ବିଭିନ୍ନ ଦାମୀ ହୋଟେଲ୍‌ରେ ଆଡ଼ା ଜମାଇଥିଲେ ଏକ ଚାରିଜଣିଆ ଅନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ୍‌। ଏହି ଅଣଓଡ଼ିଆ ଗ୍ୟାଙ୍ଗ୍‌ କଟକ ଓ ପୁରୀରୁ ସଫଳତାର ଏଟିଏମ୍‌ ଲୁଟ୍‌ କରିବା ପରେ ଆଜି ଭୁବନେଶ୍ବରରେ ଚଳାଇଥିଲେ ଅପରେସନ୍‌। କିନ୍ତୁ ଗତ ଦୁଇ ଦିନ ହେଲା ପିଛା କରୁଥିବା ଟିଏସ୍‌ଆଇ ଟିମ୍‌ ହାବୁଡ଼ରେ ପଡ଼ିଗଲେ। ତେବେ ଏଟିଏମ୍‌ ଭିତରୁ ଟିଏସ୍‌ଆଇ କର୍ମଚାରୀମାନେ ଦୁଇ ଲୁଟେରାଙ୍କୁ କାବୁ କରିଥିବା ବେଳେ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ କାର୍‌ ନେଇ ଚମ୍ପଟ ମାରିଛନ୍ତି। ଶ୍ରୀଲିଙ୍ଗରାଜ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ଓ ଫେରାର୍‌ ହୋଇଯାଇଥିବା ଲୁଟେରାମାନଙ୍କୁ ଧରିବା ପାଇଁ ପୁଲିସ ଅପରେସନ୍‌ ଆରମ୍ଭ କରିଛି। ଏହି ଅଣଓଡ଼ିଆ ଗ୍ୟାଙ୍ଗ୍‌କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ଆଜି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି।
ଆଜି ପୁରୁଣା ଭୁବନେଶ୍ବର ବଢ଼େଇବାଙ୍କ ଛକ ନିକଟ ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆର ଏଟିଏମ୍‌ରୁ ଏହି ଦୁଇ ଲୁଟେରାଙ୍କୁ କାବୁ କରାଯାଇଛି। ଆଜି ସକାଳ ପ୍ରାୟ ୭ଟା ବେଳେ ଏହି ଲୁଟେରାଦ୍ବୟ ଏଟିଏମ୍‌ ଭିତରେ ପଶିଥିବା ଅବସ୍ଥାରେ ପୂର୍ବରୁ ସେଠାରେ ଛକିଥିବା ୩ଜଣ ଟିଏସ୍‌ଆଇ (ଟ୍ରାଞ୍ଜାକ୍‌ସନ୍‌ ସଲ୍ୟୁସନ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌) କର୍ମଚାରୀ ଅତର୍କିତ ଭାବେ ସଟର୍‌ ବନ୍ଦ କରି ପାଟି କରିଥିଲେ। ବାହାରେ କାର୍‌ରେ ଥିବା ଦୁଇ ଲୁଟେରା ସେମାନଙ୍କୁ ଆକ୍ରମଣ କରିବା ଭୟରେ ସେମାନେ ସ୍ଥାନୀୟ ଲୋକଙ୍କ ସହାୟତା ପାଇଁ ପାଟି କରିଥିଲେ। ଚୋର ଚୋର ବୋଲି ଚିତ୍କାର ଶୁଣିବା ମାତ୍ରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଛୁଟି ଆସିଥିଲେ। ଏତେ ଲୋକ ଘେରିଯିବା ଦେଖି ସେଠାରେ ଏକ ନାଲି ରଙ୍ଗର କାର୍‌ରେ ଥିବା ଦୁଇଜଣ ଦ୍ରୁତବେଗରେ ପଳାଇଥିଲେ। ଖବର ପାଇ ଶ୍ରୀଲିଙ୍ଗରାଜ ଥାନା ପୁଲିସ ସେଠାରେ ପହଞ୍ଚିଥିଲା ଓ ସଟର୍‌ ଖୋଲି ଦୁଇ ଲୁଟେରାଙ୍କୁ କାବୁ କରିଥିଲା।

ଟିଏସ୍‌ଆଇ ଦ୍ବାରା ଦୁଇ କାବୁ, ଖସିଗଲେ ଦୁଇ
ହୋଟେଲ୍‌ରେ ଜମାଇଥିଲେ ଆଡ଼ା
କଟକରେ ୭, ପୁରୀରେ ୬ ଓ ଭୁବନେଶ୍ବରରେ ୫ ଏଟିଏମ୍‌ ଭାଙ୍ଗିଛନ୍ତି

ଟିଏସ୍ଆଇ କ’ଣ

ଟିଏସ୍‌ଆଇର କାମ ହେଉଛି ସମଗ୍ର ଭାରତରେ ଥିବା ଏଟିଏମ୍ ଗୁଡ଼ିକରେ ୨୪ ଘଣ୍ଟା କାଳ ୬୦ ଡିଗ୍ରୀ କ୍ୟାମେରା ମାଧ୍ୟମରେ ନଜର ରଖିବା। ଏହାକୁ ଇ-ସର୍ଭେଲାନ୍ସ କୁହାଯାଇଥାଏ। ଏହା ସହ ଏଟିଏମ୍‌ରେ ହେଉଥିବା ସମସ୍ତ ଗତିବିଧି ଏହା ସାହାଯ୍ୟରେ ରେକର୍ଡ କରାଯାଇଥାଏ। ଏହାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀ ଓ ପୁଣେରେ ରହିଥିବା ବେଳେ ଭୁବନେଶ୍ବରରେ ଏହାର ଏକ ଶାଖା ରହିଛି।

କେମିତି ଲୁଟୁଥିଲେ

ଲୁଟେରାମାନେ ବଡ଼ ଅଭିନବ ଉପାୟରେ ଲୁଟ୍‌ କରୁଥିଲେ। ଟିଏସ୍‌ଆଇର କର୍ମଚାରୀମାନଙ୍କ କହିବା କଥା ଏହି ଗ୍ୟାଙ୍ଗ୍‌ ପ୍ରଥମେ କୌଣସି ଗ୍ରାହକ ନଥିବା ମଉକାରେ ଏଟିଏମ୍‌ରେ ପଶି କଟର୍‌ ସାହାଯ୍ୟରେ ମେସିନ୍‌ର ଟଙ୍କା ବାହାରୁଥିବା ଉପର ଅଂଶ କଭର୍‌କୁ କାଟି ସେଠାରେ ଏକ ଡିଭାଇସ୍‌ ଖଞ୍ଜି ଦେଉଥିଲେ। ଡିଭାଇସ୍‌ଟି ଏକ ପତଳା ବାକ୍ସ ଭଳି। ସେମାନେ ଉକ୍ତ ଡିଭାଇସ୍‌କୁ ଏଭଳି କାଇଦାରେ ଖଞ୍ଜି ଦିଅନ୍ତି ଯେ ତାହା ଗ୍ରାହକଙ୍କ ନଜରକୁ ଆସେ ନାହିଁ। ଉକ୍ତ ଡିଭାଇସ୍‌ ଖଞ୍ଜି ଦେଇ ସେମାନେ ସେଠାରୁ ଚାଲି ଯାଆନ୍ତି। ପରେ କୌଣସି ଗ୍ରାହକ ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ମେସିନ୍‌ରୁ ଟଙ୍କା ବାହାରି ଉକ୍ତ ବାକ୍ସରେ ରହିଯାଏ। ବାହାରକୁ ବାହାରେ ନାହିଁ। ଗ୍ରାହକ ବୁଝେ ମେସିନ୍‌ରେ ତ୍ରୁଟି ଥିବାରୁ କିମ୍ବା ବ୍ୟାଙ୍କ ସର୍ଭର ଖରାପ ହେତୁ ଟଙ୍କା ଉଠିଲା ନାହିଁ। ତେଣୁ ସେ ଅଭିଯୋଗ ନେଇ ବ୍ୟାଙ୍କକୁ ଦୌଡ଼େ। କିନ୍ତୁ ଏଣେ ଲୁଟେରାମାନେ କିଛି ସମୟ ପରେ ଏଟିଏମ୍‌କୁ ଯାଇ ଟଙ୍କା ସହ ଉକ୍ତ ଡିଭାଇସ୍‌କୁ ବାହାର କରି ଚମ୍ପଟ ମାରନ୍ତି। ସିସିଟିଭି ଫୁଟେଜ୍‌ରେ ସେମାନଙ୍କ ଫଟୋ ରେକର୍ଡ ହେଲେ ବି ପୁଲିସ ସେମାନଙ୍କ ଟେର୍ ପାଏନାହିଁ। କାରଣ ଲୁଟ୍‌ ପରେ ସେମାନେ ଉକ୍ତ ଅଞ୍ଚଳ ଛାଡ଼ି ପଳାନ୍ତି। ଲୁଟେରାମାନଙ୍କ ଏହି ଅତ୍ୟାଧୁନିକ ଲୁଟ୍‌ ପଦ୍ଧତିକୁ ସଟର୍‌ ଆସେମ୍‌ବ୍ଲି ଟାମ୍ପରିଂ ବୋଲି କୁହାଯାଉଛି। ବଡ଼ କଥା ହେଉଛି ଏହି ଡିଭାଇସ୍‌ କାଢ଼ି ନେବା ପରେ ଏଟିଏମ୍‌ ମେସିନ୍‌ ଅଚଳ ‌ହୋଇପଡ଼ୁଥିଲା। ପରେ ବ୍ୟାଙ୍କ କର୍ମଚାରୀ ମରାମତି କରୁଥିଲେ ଓ ଲୁଟେରାମାନଙ୍କ କାରନାମା ଜାଣିପାରୁଥିଲେ। କିନ୍ତୁ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରୁଥିବା ଗ୍ୟାଙ୍ଗ୍‌କୁ ଧରିବା ଉପାୟ ନଥିଲା। କାରଣ ଏମାନେ ଗୋଟିଏ ସହରୁ ଅନ୍ୟ ସହରକୁ ବା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପଳାଉଥିଲେ।

କେମିତି ଧରାପଡ଼ିଲେ?

ଗତ କିଛି ମାସ ହେବ ଏହି ଗ୍ୟାଙ୍ଗ୍‌ ଦେଶର ବିଭିନ୍ନ ସହରରେ ଲୁଟ୍‌ପାଟ୍‌ କରି ପୁଲିସ ଓ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଥିଲେ। ଦିଲ୍ଲୀ ଓ ମୁମ୍ବାଇ ଟିଏସ୍‌ଆଇ ଟିମ୍‌ ଏହି ଗ୍ୟାଙ୍ଗ୍‌କୁ ଧରିବା ପାଇଁ ଜାଲ ବିଛାଇଥିଲେ ବି ପୁଲିସର ସହଯୋଗ ଅଭାବରୁ ଏହି ଗ୍ୟାଙ୍ଗ୍‌ ଧରାପଡ଼ୁନଥିଲା। ଗତ କିଛି ଦିନ ପୂର୍ବରୁ କଟକରୁ ଏଭଳି କିଛି ଅଭିଯୋଗ ଆସିଥିଲା। ତେଣୁ ଟିଏସ୍‌ଆଇ ଓଡ଼ିଶାରେ ଏହି ଗ୍ୟାଙ୍ଗ୍‌ ସକ୍ରିୟ ଥିବା ଜାଣି ପାରି ଭୁବନେଶ୍ବର ଟିଏସ୍‌ଆଇ ଶାଖାକୁ ସତର୍କ କରାଇଥିଲା। କଟକ ପରେ ପୁରୀରୁ ବି ପୁଣି କିଛି ଅଭିଯୋଗ ଆସିଥିଲା। ତେବେ ଗତକାଲି ଦିଲ୍ଲୀ ଟିମ୍‌ ଭୁବନେଶ୍ବରକୁ ଟିମ୍‌କୁ ସତର୍କ କରାଇଥିଲା। ଗ୍ୟାଙ୍ଗ୍‌ ଭୁବନେଶ୍ବରରେ ଆଡ଼ା ଜମାଇଛି ଓ ସୂଚନା ପାଇବା ମାତ୍ରେ ସେମାନେ ଏଟିଏମ୍‌ ନିକଟରେ ପହଞ୍ଚିବାକୁ କଡ଼ା ନିର୍ଦ୍ଦେଶ ଥିଲା। ତେଣୁ ଗତକାଲି ରାତିରୁ ଭୁବନେଶ୍ବର ଟିଏସ୍‌ଆଇର ୩ ଜଣିଆ ଟିମ୍‌ ସଜାଗ ହୋଇଥିଲେ। ଆଜି ସକାଳୁ ଦିଲ୍ଲୀ ଟିମ୍‌ ପୁରୁଣା ଭୁବନେଶ୍ବର ବଢ଼େଇବାଙ୍କ ଛକ ଏଟିଏମ୍‌ରେ ଲୁଟେରା ଗ୍ୟାଙ୍ଗ୍‌ ଅପରେସନ୍ ଆରମ୍ଭ କରିଥିବା ଜଣାଇଥିଲେ। ତେଣୁ ଭୁବନେଶ୍ବର ଟିମ୍‌ର ମୁକ୍ତିରଞ୍ଜନ ଓ ହରେକୃଷ୍ଣ ଅନ୍ୟ ଜଣେ ସହକର୍ମୀଙ୍କ ସହ ସାଦା ପୋଷାକରେ ଘଟଣାସ୍ଥଳକୁ ଛୁଟିଥିଲେ।

ସେମାନେ ସାଧାରଣ ଲୋକ ଭଳି ଏଟିଏମ୍‌ଠାରୁ ଅନତି ଦୂରରେ ଛକି ରହିଥିଲେ। ପ୍ରାୟ ସାଢ଼େ ୭ଟା ବେଳକୁ ଏକ ନାଲି ରଙ୍ଗର ହେକ୍ଟର କାର୍‌ ସେଠାରେ ପହଞ୍ଚିଥିଲା ଓ ଦୁଇ ଜଣ କାର୍‌ରୁ ବାହାରି ଏଟିଏମ୍‌ ଭିତରକୁ ପଶିଥିଲେ। ସେମାନଙ୍କ ଚାଲିଚଳଣି ସନ୍ଦେହଜନକ ଥିଲା। ତେଣୁ ମୁକ୍ତିରଞ୍ଜନ ସନ୍ଦେହ କରି ଏଟିଏମ୍‌ ଭିତରେ ପଶିଥିବା ଦୁଇ ଜଣଙ୍କୁ କାବୁ କରିବା ପାଇଁ ଚିନ୍ତା କରିଥିଲେ। କାର୍‌ରେ ଥିବା ଲୁଟେରା କରିବା ଭୟ ଥିବାରୁ ସେମାନେ ବଡ଼ ପାଟିରେ ଚୋର ଚୋର ବୋଲି ଡାକି ଏଟିଏମ୍‌ ସଟର୍ ବନ୍ଦ କରି ଦେଇଥିଲେ। ସ୍ଥାନୀୟ ଲୋ‌କେ ବି ଘେରି ଯାଇଥିଲେ। ମାତ୍ର ହରେକୃଷ୍ଣ କାର୍‌କୁ ଅଟକାଇବାକୁ ସ୍ଥାନୀୟ ଲୋକଙ୍କୁ କହିବା ବେଳକୁ ‌ସେମାନେ ଚମ୍ପଟ୍‌ ମାରିଥିଲେ। ଶ୍ରୀଲିଙ୍ଗରାଜ ଥାନା‌ରେ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ଭୁବନେଶ୍ବରରେ ୫ଟି ଏଟିଏମ୍‌ରୁ ଲୁଟିଥିବା ମାନିଛନ୍ତି। ସେଗୁଡ଼ିକ ହେଲା ଆଚାର୍ଯ୍ୟବିହାର ଲକ୍ଷ୍ମୀନଗର, ପଟ୍ଟନାୟକ ଗ୍ୟାସୋଲିନ କଳ୍ପନା ଛକର ଦୁଇ ଏଟିଏମ୍‌, ପୁରୁଣାଭୁବନେଶ୍ବର ରଥଗଡ଼ା ଓ ବଢ଼େଇବାଙ୍କ ଛକର ଏଟିଏମ୍‌। ସେହିଭଳି କଟକରେ ୭ଟା ମେସିନ୍‌ ଭାଙ୍ଗି ଲୁଟିଥିବା ସ୍ବୀକାର କରିଛନ୍ତି। ସେହିଭଳି ପୁରୀରୁ ୬ ଟା ଏଟିଏମ୍‌ରୁ ଲୁଟ୍‌ କରିଥିବା ମାନିଛନ୍ତି। ସିଂହଦ୍ବାର ଥାନା ଅଞ୍ଚଳରେ ଦୁଇଟି ଓ ପିପିଲି ଥାନା ଅଞ୍ଚଳରେ ୪ ଟି ଏଟିଏମ୍‌ରୁ ଲୁଟିଥିବା କହିଛନ୍ତି।

ସମ୍ବନ୍ଧିତ ଖବର