ପୋଖରୀକୁ ପଶିଗଲା କାର୍‌, ୨ ସାଙ୍ଗ ମୃତ

ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର

ସାକ୍ଷୀଗୋପାଳ : ଭାରସାମ୍ୟ ହରାଇ ଦଳଭର୍ତ୍ତି ପୋଖରୀକୁ ଗୋଟିଏ କାର୍‌ ପଶିଯିବାରୁ ୨ ଜଣ ପ୍ରାଣ ହରାଇଛନ୍ତି। ୨ ଜଣ ହେଉଛନ୍ତି ୨ ସାଙ୍ଗ। ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ ଅଳଗୁମ ରାସ୍ତାର ଖଣ୍ଡୁଆଳ ଗଙ୍ଗାବର ନିକଟରେ ଏହି ଦୁର୍ଘଟଣା ଘଟିଛି।

  1. ମୃତ ଦୁଇ ସାଙ୍ଗ ହେଲେ, ମହେଶ କୁମାର ସାହୁ ଓ ରବି ପ୍ରସାଦ ଦାସ । ମହେଶ (୩୦ବର୍ଷ) ଘର ଦିଗପହଣ୍ଡି ବ୍ରହ୍ମପୁର ଦିଗପହଣ୍ଡି ରାସ୍ତାର କାଶୀନଗର ଫାଷ୍ଟଗେଟ୍‌ ନିକଟରେ ଏବଂ ସାଙ୍ଗ ରବି (୩୦ବର୍ଷ)ଙ୍କ ଘର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୃନ୍ଦାବନଚନ୍ଦ୍ର ଶାସନ ଗାଁରେ। ଗତକାଲି ମହେଶ, ସାଙ୍ଗ ରବି ଓ ନିଜ ଦାଦା ଉଦୟନାଥ ସାହୁ (୪୦) ଙ୍କୁ ଧରି ଭିତରକନିକା ବୁଲି ଯାଇଥିଲେ। ଆଜି ସେମାନେ ମହେଶଙ୍କ ଶ୍ୱଶୁର ଘର ସାକ୍ଷୀଗୋପାଳ ସିଂହାକୁଦାକୁ ଆସୁଥିଲେ। ସେଠାରୁ ପତ୍ନୀ ଓ ୨ ଶିଶୁପତ୍ରଙ୍କୁ ଧରି ବ୍ରହ୍ମପୁରକୁ ଫେରିଥା’ନ୍ତେ। ଆଜି ଅପରାହ୍ନ ପ୍ରାୟ ୪ ଟା ସମୟ। ଖଣ୍ଡୁଆଳ ଗଙ୍ଗାବର ନିକଟରେ ସାମ୍‌ନା ପଟୁ ହଠାତ୍‌ ଏକ ଟାଟା ସୁମୋ ଗାଡ଼ି ଚାଲିଆସିବାରୁ ମହେଶ କାର୍‌ (ଓଆର୍‌ ୦୨ ବିଏଫ୍‌ ୨୨୫୧ )କୁ ନିୟନ୍ତ୍ରଣରେ ରଖିପାରିଲେନି। ଫଳରେ, କାର୍‌ଟି ରାସ୍ତାକଡ଼ରେ ଥିବା ଏକ ଦଳପୋଖରୀ ଭିତରକୁ ପଶିଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକେ ସାଙ୍ଗସାଙ୍ଗେ ଘଟଣାସ୍ଥଳରେ ପହଞ୍ଚି କାରର କାଚ ଭାଙ୍ଗି ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ମାତ୍ର କାରଟି ପାଣିରେ ବୁଡ଼ିଯିବାରୁ ଆଗ ସିଟ୍‌ରେ ବସିଥିବା ମହେଶ ଓ ରବି ପାଣିରେ ଶ୍ବାସରୁଦ୍ଧ ହୋଇ ସେତେବେଳକୁ ମୃତ୍ୟୁବରଣ କରି ସାରିଥିଲେ। କାର ପଛ ସିଟ୍‌ରେ ବସିଥିବା ମହେଶଙ୍କ ଦାଦା ଉଦୟନାଥ (୪୦ବର୍ଷ) ଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସତ୍ୟବାଦୀ ପୁଲିସ ଓ ଦମକଳ କେନ୍ଦ୍ରର ଆଗ୍ନିକମାନେ ମୃତାହତମାନଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l l ଦୁର୍ଘଟଣାଗ୍ରସ୍ତ କାରଟିକୁ ସତ୍ୟବାଦୀ ପୁଲିସ ଜବତ କରିଛ।

ଖବର ପାଇ ମୃତକଙ୍କ ସମ୍ପର୍କୀୟମାନେ ସାକ୍ଷୀଗୋପାଳ ଡାକ୍ତରଖାନାରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର