ପ୍ରହସନ ପାଲଟିଲା ସିଭିଲ୍ ସର୍ଭିସ୍ କୋଚିଂ: ଦୁଇ କୋଟି ୪୦ ଲକ୍ଷ ବରବାଦ
୮ ବିଶ୍ବବିଦ୍ୟାଳୟ ନେଇଛନ୍ତି କୋଟିଏ ୮୨ ଲକ୍ଷ
ଉତ୍କଳରେ ୩୦ ଲକ୍ଷ ଖର୍ଚ୍ଚ, ଜଣେ ବି ପାଇଲେନି
୫ ବିଶ୍ବବିଦ୍ୟାଳୟ ଦାଖଲ କରିନାହାନ୍ତି ୟୁସି
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ୨୦୧୬ରେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିଲେ। ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନ ୮ଟି ସରକାରୀ ବିଶ୍ବବିଦ୍ୟାଳୟରେ ସିଭିଲ୍ ସର୍ଭିସ୍ କୋଚିଂ ମଧ୍ୟ ଆରମ୍ଭ ହୋଇଥିଲା। ଆଶା କରାଯାଉଥିଲା ତାଲିମ ନେବା ପରେ ଓଡ଼ିଆ ପିଲାମାନେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶରେ ନାଁ କରିବେ। ତେବେ ଜଣେ ବି ହେଲେ ପିଲା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳତା ହାସଲ କରିପାରିଲେ ନାହିଁ। ଯେଉଁଥିପାଇଁ କୋଟିଏ ୮୨ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚରେ ୮ଟି ବିଶ୍ବବିଦ୍ୟାଳୟରେ ଖୋଲିଥିବା ଏହି କୋଚିଂ ବ୍ୟବସ୍ଥା ୨୦୧୮ରେ ବନ୍ଦ ହୋଇଗଲା। ଏହାପରେ ଧେୟ ଏଜୁକେସନାଲ ସର୍ଭସ୍ ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ ପିଲାଙ୍କୁ କୋଚିଂ ଦେବାକୁ ଅଣ୍ଟା ଭିଡ଼ିଥିଲେ ମଧ୍ୟ ସେଥିରେ ସଫଳତା ମିଳିଲା ନାହିଁ। ବରଂ ୬୦ ଲକ୍ଷ ଟଙ୍କା ପାଣିରେ ପଡ଼ିଲା। ଏହିପରି ଭାବେ ୨କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କୋଚିଂ ବ୍ୟବସ୍ଥା କେବଳ ପ୍ରହସନ ପାଲଟିଛି।
ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଉନ୍ନତି ପାଇଁ ୨୦୧୬ ନଭେମ୍ବରରେ ୬ଟି ବିଶ୍ବବିଦ୍ୟାଳୟ ଓ ୨୦୧୭ରେ ଆଉ ଦୁଇଟି ବିଶ୍ବବିଦ୍ୟାଳୟରେ ସିଭିଲ୍ ସର୍ଭିସ୍ କୋଚିଂ ବ୍ୟବସ୍ଥା ହୋଇଥିଲ। ଏଥିପାଇଁ ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ସର୍ବାଧିକ ୩୦ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ବ୍ରହ୍ମପୁର, ସମ୍ବଲପୁର, ରେଭେନ୍ସା, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ୨୬ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ୨୦୧୭-୧୮ ଆର୍ଥିକ ବର୍ଷରେ ଫକୀର ମୋହନ ବିଶ୍ବବିଦ୍ୟାଳୟକୁ ୧୦ ଲକ୍ଷ ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ଲାଗି ୧୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଛି। ଦୁଇ ଆର୍ଥିକ ବର୍ଷରେ କୋଚିଂ ବାବଦରେ ୧ କୋଟି ୮୨ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସଫଳତା ନ ମିଳିବାରୁ କୋଚିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୨୦୧୮ରୁ କୋଚିଂ ବ୍ୟବସ୍ଥା ବନ୍ଦ ହୋଇଥିବା ବେଳେ ୫ଟି ବିଶ୍ବବିଦ୍ୟାଳୟ ଏପର୍ଯ୍ୟନ୍ତ ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରିନାହାନ୍ତି। ଉତ୍କଳ ସମେତ ବ୍ରହ୍ମପୁର, ସମ୍ବଲପୁର, ଫକୀର ମୋହନ ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ଏଭଳି ସମସ୍ୟା ହୋଇଛି। ଯେତେବେଳେ କି ରେଭେନ୍ସା, ଗଙ୍ଗାଧର ମେହେର ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ୟୁସି ଦାଖଲ କରିସାରିଛନ୍ତି। ୨୦୧୯ରୁ ରାଜ୍ୟସ୍ତରରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁପିଏସ୍ସି କୋଚିଂ ବ୍ୟବସ୍ଥା ପାଇଁ ଧେୟ ଏଜୁକେସନାଲ ସର୍ଭସ୍ ପ୍ରାଇଭେଟ୍ ଲିମିଟେଡ୍ ସହ ରାଜିନାମା ହୋଇଥିଲା। ଯେଉଁ ଛାତ୍ରଛାତ୍ରୀଙ୍କ ବାର୍ଷିକ ଆୟ ୨ ଲକ୍ଷ ଟଙ୍କାରୁ କମ୍ ହୋଇଥିବ ସେହିମାନଙ୍କୁ ଏଠାରେ ମାଗଣାରେ କୋଚିଂ ଦେବାର ବ୍ୟବସ୍ଥା ହୋଇଥିବା ବେଳେ ଅନ୍ୟମାନଙ୍କ ପାଇଁ ରାଜ୍ୟ ସରକାର ୭୫% କୋଚିଂ ଫି’ ଛାଡ଼ କରିଛନ୍ତି। ୨୦୧୯-୨୦ ବ୍ୟାଚ୍ରେ ୯୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ତାଲିମ ନେଇଥିଲେ। ଏବାବଦରେ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବିଧାନସଭାରେ ଏକ ପ୍ରଶ୍ନରେ ଉତ୍ତରରେ କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ଆରମ୍ଭ ହୋଇଥିବା ଏହି କୋଚିଂ ବ୍ୟବସ୍ଥା ନେଇ ସିଏଜି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସଦ୍ୟ ପ୍ରକାଶିତ ରିପୋର୍ଟରେ ସିଏଜି କହିଛନ୍ତି ଯେ ଯୋଜନା ଓ ମନିଟରିଂର ଅଭାବ ହେତୁ ୨୦୧୭-୧୮ ପରେ ଏହି ଯୋଜନା ବନ୍ଦ ହୋଇଯାଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟକୁ ଦିଆଯାଇଥିବା ୩୦ ଲକ୍ଷ ଟଙ୍କାରେ ଡିଡିସିଇରେ ଏହି ଯୋଜନା ଆରମ୍ଭ ହୋଇଥିଲା। ୨୦୧୭-୧୮ରେ ୬୦ ଜଣ ଛାତ୍ରଛାତ୍ରୀଙ୍କ ନେଇ ଦୁଇଟି ବ୍ୟାଚ୍ ନାମଲେଖା ହୋଇଥିଲା। ତଥାପି ସେମାନଙ୍କ ମଧ୍ୟରୁ କେହି ୟୁପିଏସ୍ସି ପରୀକ୍ଷାରେ ସଫଳତା ହାସଲ କରି ନ ଥିଲେ।