ନୂଆ ନାୟିକା

ନିକଟରେ ମୁନ୍ ଟିଭି ମୁଭିଜ୍ ପ୍ରଡକ୍ସନ୍ ହାଉସ୍ ଏକାବେଳେ ୧୦ଟି ଚଳଚ୍ଚିତ୍ରର ମହୁରତ କରିଛି। ଏହା ଭିତରେ ରହିଛି ‘ଲଭ୍ ରିଆକ୍ସନ୍’ ଶୀର୍ଷକ ସିନେମାଟିଏ। ଏହାର ନିର୍ଦ୍ଦେଶନା ଦେବେ ବ୍ରଜ ସିଂ ଏବଂ ବିଭିନ୍ନ ଭୂମିକାରେ ନଜରକୁ ଆସିବେ ରାକେଶ, ଅଭିଷେକ, ରାମେଶ୍ବରୀ ଓ ସୋନମ୍। ତେବେ କିଛି ମ୍ୟୁଜିକ୍ ଭିଡିଓ ଏବଂ ଡକୁମେଣ୍ଟାରିରେ ଅଭିନୟ କରିଥିବା ରାମେଶ୍ବରୀଙ୍କୁ ଏବେ ଦୁଇ ଦୁଇଟି ଅଫର୍ ମିଳିଛି। ଏପାଖେ ଶୀର୍ଷକ ଘୋଷଣା ହେଇ ନ ଥିବା ଏକ ୱେବ୍ ସିରିଜ୍ ଏବଂ ସେପାଖେ ସିନେମା। ଏକାବେଳେ ଦୁଇଟିରେ ସୁଯୋଗ ପାଇବା ପରେ ରାମେଶ୍ବରୀ ବେଶ୍ ଉତ୍ସାହିତ ହେଇଛନ୍ତି।

ପୂର୍ବରୁ ‘ପ୍ରେମ କାହିଁକି ହୁଏ’, ‘ଏ ଖୁସି ତୋର ବେଶୀ ଦିନ ରହିବ ନାହିଁ’ ପରି କିଛି ମ୍ୟୁଜିକ୍ ଭିଡିଓରେ ଅଭିନୟ କରିବା ସହ ନିର୍ଯାତନା ପାଉଥିବା ନାରୀଟି କିଭଳି ଭୈରବୀ ପାଲଟିଯାଏ ଏମିତି କଥାବସ୍ତୁ ଆଧାରରେ ଆମ ଟିଭି ପକ୍ଷରୁ ପ୍ରସ୍ତୁତ ହେଇଥିବା ଏକ ଡକୁମେଣ୍ଟାରିରେ ନାୟିକା ସାଜିଥିଲେ। ବାଣିଜ୍ୟରେ ସ୍ନାତକ କରିଥିବା ରାମେଶ୍ବରୀ ଜନ୍ମଦିନ, ବିବାହ, ବ୍ରତୋପନୟର ଏବଂ ଡିଲର୍ସିପ୍ ପାର୍ଟି ପରି କିଛି ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ମଧ୍ୟ ନିଜ ଉଦ୍ୟମରେ ବୃତ୍ତିଗତ ଭାବେ ଆୟୋଜନ କରିଛନ୍ତି। କୋରାପୁଟର ସ୍ବର୍ଗତ ଗଣେଶ ରାଓଙ୍କ ଝିଅ ରାମେଶ୍ବରୀ କମ୍ ବୟସରେ ବାପାଙ୍କୁ ହରାଇବା ପରେ ମା’ ରଶ୍ମିଙ୍କ ପ୍ରଚେଷ୍ଟାରେ ଆଜି ଉଚ୍ଚଶିକ୍ଷା ସହ ଅଭିନୟ ଜଗତରେ ମଧ୍ୟ ପାଦଶକ୍ତ କରି ଛାଡ଼ାହେଲେଣି।

ସମ୍ବନ୍ଧିତ ଖବର