ଜାତୀୟ ଲଜିଷ୍ଟିକ୍ସ ସୂଚୀ: ସପ୍ତମ ସ୍ଥାନରେ ଓଡ଼ିଶା, ପରିବହନକାରୀ ସଂଘ ଚାପ, ମାଲ ଚୋରି ବଡ଼ ସମସ୍ୟା
ପାରାଦୀପ, ରାଉରକେଲାରେ ଶ୍ରମିକ ଅଭାବ
ଭୁବନେଶ୍ବର: କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଲଜିଷ୍ଟିକ୍ସ ସୂଚୀରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି। ଏହାର ପୂର୍ବ ସଂସ୍କରଣରେ ଓଡ଼ିଶା ଦଶମ ସ୍ଥାନରେ ଥିଲା। ୨୦୨୦ରେ ରାଜ୍ୟର ସ୍କୋର ରହିଛି ୩.୨୦। ୨୦୧୯ରେ ସ୍କୋର ଥିଲା ୩.୧୮। ୨୦୧୯ ତୁଳନାରେ ୨୦୨୦ରେ ଓଡ଼ିଶାର ସ୍ଥିତିରେ ତିନି ପାହାଚ ଉନ୍ନତି ହୋଇଛି। ରିପୋର୍ଟରେ ଓଡ଼ିଶା ସମ୍ପର୍କରେ କୁହାଯାଇଛି ଯେ ପ୍ରକଳ୍ପ ଅନୁମୋଦନ ଲାଗି ରାଜ୍ୟ ସରକାର ସ୍ଥାପନ କରିଥିବା ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ଯୋଗୁଁ ଭିତ୍ତିଭୂମି ଉପଲବ୍ଧତାରେ ବଡ଼ ଧରଣର ଉନ୍ନତି ହୋଇଛି। ସଡ଼କ ମାଲ୍ ପରିବହନ ଭଡ଼ା ଓ ଟର୍ମିନାଲ୍ ସେବାରେ କିନ୍ତୁ ଓଡ଼ିଶାର ସ୍କୋର କମ୍ ରହିଛି। ପରିବହନକାରୀ ସଂଘର ଚାପ ଓ ଶ୍ରମିକମାନଙ୍କ ଅଭାବ ଯୋଗୁଁ ବହୁ ସମସ୍ୟା ସାମ୍ନା କରିବାକୁ ପଡ଼ୁଛି ବୋଲି ଶିଳ୍ପ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିବା ପରେ ଜଣାପଡ଼ିଥିଲା। ଲଜିଷ୍ଟିକ୍ କ୍ଷେତ୍ରର ବିବାଦ ଓ ସମସ୍ୟାଗୁଡ଼ିକର ସମାଧାନ କରିବା ଲାଗି ଓଡ଼ିଶା ସରକାର ଏକ ରାଜ୍ୟ ପ୍ରକଳ୍ପ ନିରୀକ୍ଷଣ ଗ୍ରୁପ୍ ଗଠନ କରିଛନ୍ତି। ଏବେବି ରାଜ୍ୟର ଲଜିଷ୍ଟିକ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ପରିବହନକାରୀ ସଂଘର ଚାପ, ମାଲ୍ ଚୋରି ଓ ଏକ ଦୃଢ଼ ସଂସ୍ଥାଗତ ବ୍ୟବସ୍ଥାର ଅଭାବ ଭଳି ସମସ୍ୟା ଦେଇ ଗତି କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାର ଲଜିଷ୍ଟିକ୍ ଭିତ୍ତିଭୂମି ସମ୍ପର୍କରେ ମତ ଦେଇ ଶିଳ୍ପ ସଂସ୍ଥାଗୁଡ଼ିକ କହିଛନ୍ତି ଯେ ପାରାଦୀପ ବନ୍ଦରକୁ ଯୋଡ଼ୁଥିବା ଏନ୍ଏଚ୍-୫ଏ ଓ ଏସ୍ଏଚ୍-୧୨ରେ ବହୁତ ଭିଡ଼ ରହୁଛି ଏବଂ ରାସ୍ତାଗୁଡ଼ିକର ମାନ ଖରାପ ରହିଛି। ପରିବହନକାରୀ ସଂଘଗୁଡ଼ିକର ପ୍ରଭାବ ଯୋଗୁଁ ପାରାଦୀପ ବନ୍ଦରକୁ ଓ ବନ୍ଦରରୁ ମାଲ୍ ପରିବହନ ଖର୍ଚ୍ଚରେ ବୃଦ୍ଧି ହେଉଛି। ପାରାଦୀପ ଓ ରାଉରକେଲାରେ ଶ୍ରମିକ ଅଭାବ ଏକ ବଡ଼ ସମସ୍ୟା। ରେଳ ୱାଗନ୍ରୁ ମାଲ୍ ଚୋରି ହେବା ସମ୍ପର୍କିତ ଖବର ନିୟମିତ ବ୍ୟବଧାନରେ ଆସୁଛି। ଭାରତୀୟ ରେଳ ପକ୍ଷରୁ ରେକ୍ ଓ ଶକ୍ତି ଆବଣ୍ଟନ ଏକ ବଡ଼ ସମସ୍ୟା ହୋଇ ରହିଛି। ଦୈନିକ ଚାହିଦା ଅନୁସାରେ ରେକ୍ ମିଳୁନାହିଁ। କୋଇଲାକୁ ଅଗ୍ରାଧିକାର ଦିଆଯାଉଥିବା ବେଳେ ଅନ୍ୟ ସାମଗ୍ରୀ ପ୍ରତି ଅଣଦେଖା କରାଯାଉଛି ବୋଲି ଶିଳ୍ପ ସଂସ୍ଥାଗୁଡ଼ିକ କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ରାଜ୍ୟର ଲଜିଷ୍ଟିକ୍ସ କ୍ଷେତ୍ରରେ ଉନ୍ନତି ଆଣିବା ଲାଗି କେତେକ ପଦକ୍ଷେପ ଗ୍ରହଣ କରିବା ବିଷୟରେ ରିପୋର୍ଟରେ ସୁପାରିସ କରାଯାଇଛି। ଲଜିଷ୍ଟିକ୍ କ୍ଷେତ୍ରର ସମନ୍ବିତ ବିକାଶ ଲାଗି ଜଣେ ପ୍ରମୁଖ ସଚିବ କିମ୍ବା ଅତିରିକ୍ତ ମୁଖ୍ୟ ସଚିବ ସ୍ତରର ଅଧିକାରୀଙ୍କୁ ନୋଡାଲ୍ ଅଫିସର ଭାବେ ନିଯୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟ ଲଜିଷ୍ଟିକ୍ସ ସେଲ୍, ରାଜ୍ୟ ଲଜିଷ୍ଟିକ୍ସ ସମନ୍ବୟ କମିଟି ଗଠନ କରିବା ଏବଂ ରାଜ୍ୟର ସ୍ବତନ୍ତ୍ର ଲଜିଷ୍ଟିକ୍ସ ନୀତି ପ୍ରସ୍ତୁତ କରିବା ଲାଗି ମଧ୍ୟ ରିପୋର୍ଟରେ ସୁପାରିସ କରାଯାଇଛି। ତାଳଚେରରୁ ପାରାଦୀପ ପର୍ଯ୍ୟନ୍ତ ରେଳ କ୍ଷମତାରେ ଉନ୍ନତି ଆଣିବା, ରାସ୍ତାକୁ ଚଉଡ଼ା ଓ ଉନ୍ନତୀକରଣ କରିବା ଲାଗି ଏନ୍ଏଚ୍ଏଆଇ ସହ ଆଲୋଚନା କରିବା, ଶିଳ୍ପ ସଂସ୍ଥା ସହିତ ନିୟମିତ ଆଲୋଚନା କରିବା, ରେକ୍ ଆବଣ୍ଟନରେ ଉନ୍ନତି ଆଣିବା ଲାଗି ରେଳ ମନ୍ତ୍ରଣାଳୟ ସହ କଥାବାର୍ତା କରିବା ଓ ସୂଚନା ପ୍ରଯୁକ୍ତି ଜ୍ଞାନକୌଶଳକୁ ବ୍ୟବହାର କରି ଭିତ୍ତିଭୂମି ଉପରେ ନଜର ରଖିବା ଲାଗି ବ୍ୟବସ୍ଥା କରିବାକୁ ରିପୋର୍ଟରେ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ସଦ୍ୟ ପ୍ରକାଶିତ ରାଜ୍ୟସ୍ତରୀୟ ଲଜିଷ୍ଟିକ୍ ସୂଚୀରେ ଗୁଜରାଟ ପ୍ରଥମ ସ୍ଥାନରେ ଥିବା ବେଳେ ହରିୟାଣା ଓ ପଞ୍ଜାବ ଏହା ପଛକୁ ରହିଛନ୍ତି। ଉତ୍ତରପ୍ରଦେଶ ସ୍ଥିତିରେ ସାତ ପାହାଚ ଉନ୍ନତି ହୋଇଛି।