ମାତିଲେ ଲୁଟେରା, ୪ ମହିଳାଙ୍କ ଚେନ୍ ଝାମ୍ପିନେଲେ
ଭୁବନେଶ୍ୱର : କିଛି ଦିନ ହେଲା ରାଜଧାନୀରେ ମାତିଛନ୍ତି ଛିନ୍ତାଇ ଗ୍ୟାଙ୍ଗ୍। ଗୁରୁବାର ଦିନ ଚେନ୍ ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି। ୨୪ ଘଣ୍ଟା ମଧ୍ୟରେ ୪ ଥାନା ଅଞ୍ଚଳରେ ୪ ମହିଳା ଲୁଟ୍ର ଶିକାର ହୋଇଛନ୍ତି। ପୃଥକ ପୃଥକ ମାମଲାରେ ଦୁର୍ବୃତ୍ତମାନେ ମହିଳାମାନଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ କମିସନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ସକାଳେ ପୂର୍ଣ୍ଣିମା ମଙ୍ଗରାଜ ତାଙ୍କ ସ୍ବାମୀଙ୍କ ସହ ଖଣ୍ଡଗିରିସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ। ହସ୍ପିଟାଲ୍ରୁ ଫେରିବା ବାଟରେ ତାଙ୍କୁ ପିଛା କରୁଥିବା ୨ ଲୁଟେରା ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ପଳାଇଥିଲେ। ଏନେଇ ସେ ଗୁରୁବାର ଦିନ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ସେହିଭଳି ଗୁରୁବାର ପୂର୍ବାହ୍ଣରେ ଖଣ୍ଡଗିରିବାରିରେ ରହୁଥିବା ସୁଶିଳା ବଳ ସ୍କୁଟି ଯୋଗେ ବାଣୀବିହାର ଯାଉଥିଲେ। ସେ ନୂଆପଲ୍ଲୀ ନିକଟରେ ପହଞ୍ଚିଥିବା ବେଳେ ଏକ ବାଇକ୍ରେ ଥିବା ୨ ଦୁର୍ବୃତ୍ତ ତାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ଫେରାର୍ ହୋଇ ଯାଇଥିଲେ। ସୁଶିଳା ଭାରସାମ୍ୟ ହରାଇ ସ୍କୁଟିର ପଡ଼ି ଆହତ ହୋଇଥିଲେ।
ଗତକାଲି ରାତିରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଜଣେ ଯୁବତୀ ଅଫିସରୁ ଘରକୁ ଫେରୁଥିବା ବେଳେ ବରମୁଣ୍ଡା ଗାଁ’ ନିକଟରେ ୨ ଦୁର୍ବୃତ୍ତ ତାଙ୍କ ସୁନା ଚେନ୍ ଝାମ୍ପି ନେଇଥିଲେ। ଯୁବତୀ ଜଣକ ଜଣେ ଲୁଟେରାକୁ ଧରି ପକାଇବା ବେଳେ ସେମାନେ ତାଙ୍କୁ ଘୋଷାରି ନେଇ ତଳେ ଫୋପାଡ଼ି ପଳାଇଥିଲେ। ତାଙ୍କ ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଆସି ଲୁଟେରାଦ୍ବୟଙ୍କୁ ପିଛା କରିଥିଲେ ବି ସେମାନଙ୍କୁ ଧରି ପାରିନଥିଲେ। ଅନ୍ୟ ଏକ ମାମଲା ଘଟିଛି ମଞ୍ଚେଶ୍ବର ଥାନା ଅଞ୍ଚଳରେ। ଗୁରୁବାର ମଧ୍ୟାହ୍ନରେ ଜଣେ ମହିଳା କୌଣସି କାମରେ ଯାଉଥିବା ବେଳେ ଜଣେ ଲୁଟେରା ତାଙ୍କ ପଛ ପଟୁ ବାଇକ୍ରେ ଆସି ଚେନ୍ ଝାମ୍ପି ନେଇ ପଳାଇଥିଲା।