କର୍ଣ୍ଣାଟକ ବସ୍ ତଳେ ଲାଖି ୭୦ କିଲୋମିଟର୍ ଘୋଷାରି ହୋଇ ଯାଇଥିବା ଶବ
ବେଙ୍ଗାଲୁରୁ: ଶବଟିଏ ତଳେ ଲାଖି ଚାଲି ଆସିଛି ବୋଲି ଜାଣି ନ ପାରି ସ୍ଲିପର୍ ବସ୍କୁ ୭୦ କିଲୋମିଟର୍ ଚଳାଇ ଆଣିଥିବା କର୍ଣ୍ଣାଟକ ରାଜ୍ୟ ପରିବହନ ନିଗମର ଜଣେ ୪୫ ବର୍ଷିୟ ବସ୍ ଡ୍ରାଇଭର୍ଙ୍କୁ ଶନିବାର ଦିନ ଗିରଫ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କର୍ଣ୍ଣାଟକ ରାଜ୍ୟ ପରିବହନ ନିଗମର ଜଣେ ବରିଷ୍ଠ ଅଧିକାରୀ କହନ୍ତି: ଆମେ ଜାଣିବାରେ ଏଇଟା ଅପୂର୍ବ କଥା। ଦୁର୍ଘଟନାଗ୍ରସ୍ତ ପୀଡ଼ିତ ବସ୍ରେ ଘୋଷାରି ହୋଇ ୨୦୦-୩୦୦ ମିଟର୍ ଯାଏଁ ଚାଲି ଯିବାର ଆମେ ଜାଣିଛୁ, କିନ୍ତୁ ଏ ଘଟଣା ଆମକୁ ପୂରା ଆବାକାବା କରିପକାଇଛି।
ଶାନ୍ତି ନଗର ବସ୍ ଡିପୋର ବସ୍ ଚଳାଉଥିବା ମୋହିନୁଦ୍ଦିନ୍ ନନ୍-ଏୟାର୍କଣ୍ଡିସନ୍ ସ୍ଲିପର୍ କୋଚ୍ଟିକୁ ତାମିଲନାଡୁର କୂନୂର ଠାରୁ ବେଙ୍ଗାଲୁରୁକୁ ଚଳାଇ ଆଣିଥିଲେ। ଶନିବାର ରାତି ସୁଦ୍ଧା ପୀଡ଼ିତଙ୍କ ପରିଚୟ ମିଳି ପାରି ନ ଥିଲା।
ମୋହିନୁଦ୍ଦିନ୍ ପୁଲିସକୁ କହିଛନ୍ତି: ମହୀଶୂର-ମଧ୍ୟ-ଚନ୍ନାପନ୍ତ୍ ଦେଇ ବସ୍ ବେଙ୍ଗାଲୁରୁ ରେ ପହଞ୍ଚି ଥିଲା। ବେଙ୍ଗାଲୁରୁ ଠାରୁ ୭୦ କିଲୋମିଟର ଦୂର ଚନ୍ନାପନ୍ତରେ ବସ୍ ପହଞ୍ଚିଲା ବେଳେ ଗୋଟାଏ ଧଡ୍ ଶବ୍ଦ ଶୁଣିଥିଲି। ଭାବିଲି ବସ୍ ବୋଧେ ପଥରରେ ପିଟି ହୋଇ ଯାଇଥିବ। ରିଅର୍-ଭିଉ ମିରର୍ରେରେ ମଧ୍ୟ ମୁଁ କୌଣସି ଜିନିଷ ନ ଦେଖିବାରୁ ଗାଡ଼ି ଚଳାଇ ଆସିଲି।
ସେ ଦିନ ୨ଟା ୩୫ ମିନିଟ୍ରେ ବେଙ୍ଗାଲୁରୁରେ ପହଞ୍ଚିଥିଲେ। ପ୍ରଥମେ ବସ୍ ମହୀଶୂର ରୋଡ୍ସ୍ଥିତ ସାଟେଲାଇଟ୍ ବସ୍ ଷ୍ଟେସନ୍କୁ ଯାଇ ସେଠାରୁ ମାଜେଷ୍ଟିକ୍ ଏବଂ ଶାନ୍ତିନଗର ବସ୍ଷ୍ଟାଣ୍ଡ୍କୁ ଯିବା ପରେ ବସ୍ ଡିପୋକୁ ଆସିଥିଲା। ବସ୍ ରଖି ମୋହିନୁଦ୍ଦିନ୍ ବିଶ୍ରାମାଗାରରେ ଘୁମେଇ ପଡ଼ିଥିଲେ। ପ୍ରାୟ ସକାଳ ୮ଟା ବେଳେ ଧୁଆଧୋଇ କରାଯିବା ପାଇଁ ବସ୍ ନିଆଯିବାବେଳେ ବସ୍ ତଳେ ଶବଟିଏ ଲାଖି ଥିବାର ଜଣେ କେହି ଦେଖିଥିଲେ। ତୁରନ୍ତ ଉଇଲ୍ସନ୍ ଗାର୍ଡେନ୍ ପୁଲିସକୁ ଖବର କରାଯାଇଥିଲା।
ମୃତ ବ୍ୟକ୍ତିଙ୍କ ବୟସ ୩୦ରୁ ୪୦ ବର୍ଷ ମଧ୍ୟରେ ହେବ। ଶବକୁ ଭିକ୍ଟୋରିଆ ହସ୍ପିଟାଲ୍କୁ ନେବା ପରେ ବେଙ୍ଗାଲୁରୁ-ମହୀଶୂର ରାସ୍ତାରେ ଥିବା ସବୁ ଥାନାକୁ ସୂଚନା ଦିଆ ଯାଇଥିଲା। ଭାରତୀୟ ଦଣ୍ଡବିଧି ଆଇନ ୨୦୪ଏ ଏବଂ ୨୦୧ ଆଧରରେ ଗିରଫ କରାଯାଇଛି।
୧୦ ବର୍ଷର ଗାଡ଼ି ଚାଳନା ଭିତରେ ମୋହିନୁଦ୍ଦିନ କେବେ ଦୁର୍ଘଟଣା ଘଟାଇଥିବାର ରେକର୍ଡ ନାହିଁ। ସେ କହନ୍ତି: ମୋ ବସ୍ ତଳେ ଚାପା ପଡ଼ିଥିବା କଥା ମୁଁ ଜାଣି ନ ଥିଲି।
ଅନ୍ୟ ଜଣେ ଡ୍ରାଇଭର୍ କହନ୍ତି: ବେଙ୍ଗାଲୁରୁ-ମହୀଶୂର ରାସ୍ତାରେ ଅନେକ ସ୍ପିଡ୍ବ୍ରେକର୍ ଅଛି। ସେ ସବୁ ଉପର ଦେଇ ଗଲାବେଳେ ଶବ ଖସି ପଡ଼ିବା କଥା। କିନ୍ତୁ, ତାହା ଚେସିସ୍ରେ କେମିତି ଲାଗି ରହିଲା, ତାହା ଆଶ୍ଚର୍ଯ୍ୟ କଥା।