ଜମ୍ମୁ: ଶ୍ରୀନଗର ସେଣ୍ଟ୍ରାଲ ଜେଲ୍ ଏବେ ଆତଙ୍କବାଦୀଙ୍କ ପାଇଁ ବିଳାସର ଆଡ଼ା ପାଲଟିଛି। ଏହି ଜେଲ୍ରେ ବନ୍ଦୀ ଥିବା ଲସ୍କର-ଏ-ତୋଏବା ଆତଙ୍କବାଦୀ ନାଭିଦ୍ ଜାଟ୍କୁ ତାର ସାଥୀମାନେ ଯୋଜନାବଦ୍ଧ ଆକ୍ରମଣ କରି ଖସାଇ ନେବା ପଛରେ ଜେଲ୍ କର୍ମଚାରୀଙ୍କ ଷଡ଼ଯନ୍ତ୍ର ଥିବା ଜଣାପଡ଼ିଛି । ଏବେ ଶ୍ରୀନଗର ସେଣ୍ଟ୍ରାଲ ଜେଲ୍ରେ ଚାଲିଥିବା ବଡ଼ ଧରଣର ଅନିୟମିତତା ସାମ୍ନାକୁ ଆସିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହି ଜେଲ୍ରେ ଅନେକ ଆତଙ୍କବାଦୀ ରହିଥିବା ବେଳେ ସେମାନଙ୍କ ମର୍ଜିରେ ଜେଲ୍ ପ୍ରଶାସନ କାମ କରୁଛି। କହିବାକୁ ଗଲେ ଏହି ସେଣ୍ଟ୍ରାଲ ଜେଲ୍ ଆତଙ୍କବାଦୀଙ୍କ ସ୍ୱର୍ଗ ପାଲଟି ଯାଇଛି। ଏଠାରେ ଆତଙ୍କବାଦୀଙ୍କୁ ମଟନ୍ରେ ପ୍ରସ୍ତୁତ ବିଭିନ୍ନ କଶ୍ମୀରୀ ଖାଦ୍ୟ ପରସା ଯାଉଛି। ସବୁ ଆତଙ୍କବାଦୀଙ୍କ ହାତରେ ସ୍ମାର୍ଟଫୋନ୍ ରହିଛି ଏବଂ ସେମାନେ ଅବାଧରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଜଣାପଡ଼ିଛି। ମାନବାଧିକାର କର୍ମୀ ଏଚ୍ ଏନ୍ ଓ୍ଵାନ୍ଚାଉଙ୍କୁ ହତ୍ୟାକରି ସେଠାରେ ଆଜୀବନ ବନ୍ଦୀ ଥିବା ଏକ ଆତଙ୍କବାଦୀ ନିଜକୁ ଆଧ୍ୟାତ୍ମିକ ଗୁରୁଭାବେ ଘୋଷଣା କରିଛି । ପ୍ରତିଦିନ ୧୦-୧୨ ଭକ୍ତ ତାବିଜ ନେବାକୁ ତା’ ପାଖକୁ ଆସୁଛନ୍ତି। ଜମ୍ମୁ-କଶ୍ମୀର ସରକାର କିମ୍ବା ଜେଲ୍ର କୌଣସି ଉଚ୍ଚସ୍ତରୀୟ ଅଧିକାରୀ କେବେ ବି ଜେଲ ପରିସରକୁ ଆସି ସ୍ଥିତି ପରଖୁନଥିବା ଖୋଦ୍ ଜେଲର ଜଣେ କର୍ମଚାରୀ ଗଣମାଧ୍ୟମକୁ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସେଣ୍ଟ୍ରାଲ ଜେଲ୍ରେ ବନ୍ଦୀ ଥିବା ଆତଙ୍କବାଦୀ କଶ୍ମୀରର ବିଭିନ୍ନ ଅଂଚଳ ସହିତ ଭାରତ-ପାକିସ୍ତାନ ସୀମା ପର୍ଯ୍ୟନ୍ତ ନିଜର ଯୋଗଯୋଗ ରଖି ପାରୁଛନ୍ତି। ୨୦୧୦ ମସିହାରେ ଭାରତ ବିରୋଧୀ ଇସ୍ଲାମିକ ବିଚ୍ଛିନ୍ନତାବାଦୀ ମସାରତ୍ ଆଲମ୍ ସେଣ୍ଟ୍ରାଲ ଜେଲ୍ରୁ ମୋବାଇଲ ଫୋନ୍ ଯୋଗେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରି କଶ୍ମୀର ଉପତ୍ୟକାକୁ ଅଶାନ୍ତ କରିଦେଇଥିଲା। ମିଳିଥିବା ଖବର ମୁତାବକ ଜଣେ ଫାର୍ମାସିଷ୍ଟ ମନ୍ସୁର ଅହମ୍ମଦକୁ ବିଗତ ୧୦ ବର୍ଷ ହେବ ସେଣ୍ଟ୍ରାଲ ଜେଲ୍କୁ ବଦଳି କରାଯାଇଛି। ସେଠାରେ ମନ୍ସୁର ଆତଙ୍କବାଦୀଙ୍କ ସ୍ୱାସ୍ଥ୍ୟାବସ୍ଥାର ଧ୍ୟାନ ରଖିଥାଏ। ଉଲ୍ଲେଖଯୋଗ୍ୟ, ଜେଲ ଦାୟିତ୍ୱରେ ବିଗତ ତିନି ବର୍ଷ ହେବ ରହିଥିବା ଡାକ୍ତର ଜିନ୍ନତ ନିଜାମୀ ଏବେ ଫେରାର୍ ହୋଇଯାଇଥିବା ଆତଙ୍କବାଦୀ ନାଭିଦ୍କୁ ହସ୍ପିଟାଲ ଚେକ୍ ଅପ୍ ପାଇଁ ପଠାଇଥିଲେ। ଜେଲ ସୁପରିଟେଣ୍ଡେଣ୍ଟ ହିଲାଲ୍ ଅହମ୍ମଦ ରାଥର୍ଙ୍କ ଜ୍ଞାତସାରରେ ଜେଲ୍ ମଧ୍ୟରେ ଆତଙ୍କବାଦୀଙ୍କୁ ଏସବୁ ସୁବିଧା ମିଳୁଥିବା କୁହାଯାଉଛି। ଗତକାଲି ଜେଲ ଅଧିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଅତି ସମ୍ବେଦନଶୀଳ ବାରମୁଳା ଉପ କାରାଗାରରୁ ଗତବର୍ଷ ପୁଲିସ୍ ୨୦ଟି ମୋବାଇଲ ଓ ଆତଙ୍କବାଦୀ କାର୍ଯ୍ୟକଳାପ ସହ ସମ୍ପୃକ୍ତ କିଛି ଦସ୍ତାବିଜ୍ ଜବତ କରିଥିଲା। ଅତିଶୀଘ୍ର ଜେଲ୍ର ସମସ୍ତ ମେଡିକାଲ କର୍ମଚାରୀଙ୍କୁ ବଦଳି କରାଯିବାକୁ ସରକାର ଏବେ ଯୋଜନା କରୁଛନ୍ତି।
ଶ୍ରୀନଗର ହସ୍ପିଟାଲରେ ଆତଙ୍କବାଦୀ ଅକ୍ରମଣ ଘଟଣା
୨ ଆତଙ୍କବାଦୀ ସମେତ ୬ ଗିରଫ
ଶୀନଗର: ଶ୍ରୀନଗର କେନ୍ଦ୍ରୀୟ କାରାଗାରର କଏଦୀ ତଥା କୁଖ୍ୟାତ ପାକିସ୍ତାନୀ ଆତଙ୍କବାଦୀ ନାଭିଦ୍ ଜାଟ ଓରଫ ଅବ୍ଦୁ ହନ୍ଜୁଲ୍ଲାକୁ ଫେରାର୍ କରାଇଥିବା ଅଭିଯୋଗରେ ୨ ଜଣ ଆତଙ୍କବାଦୀଙ୍କ ସମେତ ଅନ୍ୟୂନ ୬ ଜଣଙ୍କୁ ଆଜି ଜମ୍ମୁ-କଶ୍ମୀର ପୁଲିସର ସ୍ପେସାଲ ଟାସ୍କ ଫୋର୍ସ ଗିରଫ କରିଛି। ନାଭିଦ୍ର ନୂତନ ଠିକଣା ଏବଂ ତା’କୁ ଫେରାର୍ କରିବାର ଯୋଜନା ସମ୍ପର୍କରେ ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚୁରା ଜାରି ରହିିଛି। ଗତ ମଙ୍ଗଳବାର ଶ୍ରୀନଗରର ମହାରାଜା ହରି ସିଂ ହସ୍ପିଟାଲକୁ ନାଭିଦ୍ ଡାକ୍ତରୀ ପରୀକ୍ଷା ପାଇଁ ଯାଇଥିବା ବେଳେ ନାଭିତ୍ ସମେତ ୪ ଜଣ ଆତଙ୍କବାଦୀ ପୁଲିସ୍ ଠାରୁ ରାଇଫଲ ଛଡ଼ାଇ ଆକ୍ରମଣ କରିବା ସହ ଫେରାର୍ ହୋଇଯାଇଥିଲେ। ଏଥିରେ ଦୁଇ ପୁଲିସ୍ କର୍ମୀ ସହିଦ ହୋଇଥିବା ବେଳେ ଫେରାର୍ ପରେ ନାଭିଦ୍ ଦକ୍ଷିଣ କଶ୍ମୀରରେ ରହୁଥିବା ସୂଚନା ମିଳିଥିଲା। ତେବେ ପୁଲିସ୍ ସେଠାରେ ଚଢ଼ଉ କରୁଥିବା ଜାଣିପାରି ଆତଙ୍କବାଦୀମାନେ ଉକ୍ତ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଜେଲ୍ ପରିସରରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗ ହେବାପରେ ଜେଲ ଅଧୀକ୍ଷକଙ୍କୁ ମଧ୍ୟ ନିଲମ୍ବନ କରାଯାଇ ପଚରାଉଚୁରା ଚାଲିଛି। ପାକିସ୍ତାନର ମୁଲତାନା ବାସିନ୍ଦା ନାଭିଦ୍କୁ ୨୦୧୪ ମସିହାରେ ଜମ୍ମୁ-କଶ୍ମୀର ପୁଲିସ୍ ଗିରଫ କରିଥିଲା।