ଗ୍ରାମବାସୀଙ୍କ ବିରୋଧ ସତ୍ତ୍ବେ ନିର୍ବାଚନ ଲଢ଼ିଥିଲେ: ମହିଳା ଜନପ୍ରତିନିଧିଙ୍କୁ ସାମାଜିକ ବାସନ୍ଦ
ବସ୍ତା-୨ : ଗ୍ରାମବାସୀଙ୍କ ବିରୋଧ ସତ୍ତ୍ବେ ପଞ୍ଚାୟତ ନିର୍ବାଚନ ଲଢ଼ିଲେ। ଆଉ ଏହାର ପରିଣାମ ଭୋଗୁଛନ୍ତି ଜଣେ ଆଦିବାସୀ ମହିଳା। ଏମିତିକି ୱାର୍ଡସଭ୍ୟା ଭାବେ ନିର୍ବାଚନ ଜିତିଥିଲେ ମଧ୍ୟ ଗ୍ରାମବାସୀଙ୍କ କଥା ଅବଜ୍ଞା କରିଥିବାରୁ ତାଙ୍କୁ ଓ ଅନ୍ୟ ଦୁଇଟି ପରିବାରକୁ ଗାଁରୁ ସାମାଜିକ ବାସନ୍ଦ କରାଯାଇଛି। କେବଳ ସେତିକି ନୁହେଁ, ନିର୍ବାଚିତ ଜନପ୍ରତିନିଧି ଭାବେ ତାଙ୍କୁ ମିଳିଥିବା କ୍ଷମତାକୁ ମଧ୍ୟ ଜୋରଜବରଦସ୍ତ କାଢ଼ି ନିଆଯାଇଥିବା ଅଭିଯୋଗ ଆଣିଛନ୍ତି ବାଲେଶ୍ବର ବସ୍ତା ବ୍ଲକ ଗୋହିରାଗଡ଼ିଆ ଗ୍ରାମର ୨୦ ନଂବର ୱାର୍ଡସଭ୍ୟା ଗିରିଥ ସୋରେନ୍।
Sambad is now on WhatsApp
Join and get latest news updates delivered to you via WhatsApp
ବସ୍ତା ବ୍ଲକ୍ ବରୁଣଗଡ଼ିଆ ପଞ୍ଚାୟତ ଗୋହିରାଗଡ଼ିଆ ଗ୍ରାମର ୨୦ ନମ୍ୱର ୱାର୍ଡ ଗତ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ଏହି ୱାର୍ଡରେ ଗୋଟିଏ ମାତ୍ର ଆଦିବାସୀ ପରିବାର ରହିଥିବାରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଗ୍ରାମରେ ବସିଥିଲା କଙ୍ଗାରୁକୋର୍ଟ। ମୁଖିଆଙ୍କ ନିଷ୍ପତ୍ତି କ୍ରମେ ଉକ୍ତ ଆଦିବାସୀ ପରିବାରକୁ ଡାକି ନିର୍ବାଚନରେ ଭାଗ ନନେବାକୁ ତାଗିଦ୍ କରାଯାଇଥିଲା। ଏହାକୁ ଖିଲାପ କଲେ ମାଡ଼ ମାରି ଗାଁରୁ ତଡ଼ି ଦିଆଯିବ ଏବଂ ଗାଁର କେହି ଗିରିଥ୍ଙ୍କୁ ନିର୍ବାଚନରେ ସାହାଯ୍ୟ କଲେ ସେମାନଙ୍କୁ ମଧ୍ୟ ଗାଁରୁ ବାସନ୍ଦ କରାଯିବ ବୋଲି ବୈଠକରେ ଚେତାବନୀ ଦିଆଯାଇଥିଲା। ତେବେ, ଗ୍ରାମବାସୀଙ୍କ ବିରୋଧକୁ ଭ୍ରୂକ୍ଷେପ ନକରି ୨୦ ନମ୍ବର ଵାର୍ଡରୁ ଗିରିଥ୍ ସୋରେନ୍ ନିର୍ବାଚନ ଲଢ଼ିବା ସହ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ମଧ୍ୟ ହୋଇଥିଲେ। ନିର୍ବାଚନ ସମୟରେ ଗ୍ରାମର ଦୁଇଟି ପରିବାର ସମର୍ଥନ ଓ ସହଯୋଗ କରିଥିବାରୁ କଙ୍ଗାରୁ କୋର୍ଟର ନିଷ୍ପତ୍ତି ମୁତାବକ ସେମାନଙ୍କୁ ବି ଗ୍ରାମରୁ ବାସନ୍ଦ କରାଯାଇଛି।
ଏପରିକି ଶ୍ରୀମତୀ ସୋରେନ୍ଙ୍କର ଜଣେ ସଂପର୍କୀୟଙ୍କ ଗାଡ଼ିରେ ବସି ଗାଁକୁ ଆସିଥିବାରୁ ସେହି ଗ୍ରାମର ଜଣେ ବିଧବା ମହିଳାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରାଯିବା ସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ୱାର୍ଡସଭ୍ୟାଙ୍କ ଦସ୍ତଖତରେ ଅଙ୍ଗନବାଡ଼ି କେନ୍ଦ୍ର ଖାଦ୍ୟ ଓ ଗାଁ ପରିମଳ ଅର୍ଥ ଉଠାଣ ଲାଗି ସରକାରୀ ନିୟମ ରହିଥିଲେ ସୁଦ୍ଧା ତାଙ୍କ ବଦଳରେ ଅନ୍ୟ ଏକ ୱାର୍ଡର ସଭ୍ୟଙ୍କ ଦସ୍ତଖତ ନିଆଯାଉଥିବା ଶ୍ରୀମତୀ ସୋରେନ୍ ସ୍ଥାନୀୟ ସରପଞ୍ଚ, ବସ୍ତା ବିଡିଓ, ବାଲେଶ୍ବର ଜିଲ୍ଲାପାଳ, ଏସ୍ପି ଓ ପଞ୍ଚାୟତିରାଜ ନିର୍ଦ୍ଦେଶକଙ୍କୁ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ବରୁଣଗଡ଼ିଆ ସରପଞ୍ଚ କରୁଣାକର ମଲ୍ଲିକଙ୍କୁ ପଚରାଯିବାରୁ ସେ କହିଥିଲେ, ‘ୱାର୍ଡସଭ୍ୟା ଅଭିଯୋଗ କରିବା ପରେ ବିଡିଓଙ୍କୁ ଘଟଣା ବାବଦରେ ଚିଠି ଲେଖ ଜଣାଇଛି। ’