କଟକ : ଓଡିଶା ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦ ପୂରଣ ଦାବିରେ ହାଇକୋର୍ଟ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆଜି ଅପରାହ୍ନ ୨ଟାରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଫେବ୍ରୁଆରି ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି ଦିନ ୧ଟା ୨୦ରେ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠରେ ଏ ନେଇ ସଦସ୍ୟମାନେ ଆଲୋଚନା କରିଥିଲେ। ୨୦୧୫ରେ ଶେଷ ଥର ଲାଗି ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏହା ପରେ ଆଉ ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ କେତେ ଜଣ ବିଚାରପତି ଇତିମଧ୍ୟରେ ଅବସର ଗ୍ରହଣ କରିଛନ୍ତି। ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ କମ୍ ବିଚାରପତି ରହିଥିବା ଯୋଗୁ ମାମଲା ଗୁଡିକର ଶୁଣାଣି ହୋଇ ପାରୁ ନାହିଁ। ତୁରନ୍ତ ବିଚାରପତି ପଦ ପୂରଣ ପାଇଁ ପଦକ୍ଷେପ ନିଆଯାଉ ବୋଲି ସଦସ୍ୟମାନେ ଦାବି କରିଥିଲେ। ଏଥି ସହିତ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ପାଇଁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଫେବ୍ରୁଆରି ୧୯ ତାରିଖ ଦିନ ୧ଟା ୨୦ରେ ସାଧାରଣ ପରିଷଦର ପରବର୍ତ୍ତୀ ବୈଠକ ବସିବ। ଏଥି ପୂର୍ବରୁ ୧୬ ତାରିଖ ଦିନ ୧୧ଟାରେ ଜରୁରୀ ସାଧାରଣ ପରିଷଦ ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯିବ ବୋଲି ଆସୋସିଏସନ୍ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ଏବେ ୧୬ ଜଣ ବିଚାରପତି ରହିଛନ୍ତି। ଆସନ୍ତା ଜୁନ୍ ଓ ଜୁଲାଇ ମାସରେ ଦୁଇ ଜଣ ବିଚାରପତି ଅବସର ଗ୍ରହଣ କରିବେ। ଏପରି ପରିସ୍ଥିତିରେ ତୁରନ୍ତ ଖାଲି ପଡିଥିବା ବିଚାରପତି ପଦ ପୂରଣ କରାଯିବା ଆବଶ୍ୟକ ବୋଲି ସଭାପତି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ସଂପାଦକ ସତ୍ୟବ୍ରତ ମହାନ୍ତି କହିଛନ୍ତି ଯେ ଅନ୍ୟ ରାଜ୍ୟରେ ବିଚାରପତି ପଦବି ପୂରଣ କରାଯାଉଥିବାବେଳେ ଓଡିଶା ହାଇକୋର୍ଟରେ ବିଚାରପତି ପଦବି ପୂରଣ ଦିଗରେ ପ୍ରାୟ ୩ ବର୍ଷ ହେବ କୌଣସି ପଦକ୍ଷେପ ନିଆଯାଇ ନାହିଁ। ହାଇକୋର୍ଟ ବାର୍ ଆସୋସିଏସନ୍ର ଏପରି ନିଷ୍ପତ୍ତି ସଂପର୍କରେ କଟକର ଅନ୍ୟ ଆଇନଜୀବୀ ସଂଘ ଗୁଡିକୁ ମଧ୍ୟ ଅବଗତ କରାଯାଇଛି। ଆଜି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବଂଶୀଧର ଶତପଥୀ, ଯୁଗ୍ମ ସଂପାଦକ ରଂଜନ କୁମାର ନାୟକ, ପାଠାଗାର ସହସଂପାଦକ ସୁରେଶ ଜେନାଙ୍କ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।