ବର୍ଷକୁ ୧୦୦ କୋଟି, ତଥାପି ହଟୁନି ଦାରିଦ୍ର୍ୟ
ଦୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାପରେ ବଦଳିବ କି ମୟୂରଭଞ୍ଜର ଜନଜାତିଙ୍କ ଭାଗ୍ୟ?
ବାରିପଦା : ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାରେ ଜନଜାତିଙ୍କ ବିକାଶ ନାଁରେ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଏହି ବର୍ଗର ଲୋକ ବହୁପଛରେ ଅଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ବିଦ୍ୟୁତ୍କରଣ, ମୋବାଇଲ୍ ସେବା ଏବେ ବି ମୟୂରଭଞ୍ଜ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ବପ୍ନ ହୋଇ ରହିଛି। କେବଳ ସେତିକି ନୁହେଁ, ବନବାସୀମାନେ ଆଜି ଦିନରେ ମଧ୍ୟ ଚିରାଚରିତ ଭାବେ ବଣଜଙ୍ଗଲରୁ ମହୁଲ, ଟୋଲ, ମହୁ, ଲାଖ, ଶାଳପତ୍ର, ଜାଳେଣି କାଠ ଆଦି ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି। ଶିକ୍ଷା ଓ ସଚେତନତାର ଅଭାବରୁ ସରକାରଙ୍କ ଯୋଜନା ସମ୍ପର୍କରେ ସେମାନେ ଅଜ୍ଞ। ଝାଟିମାଟି ଘରେ ରହୁଥିବା ବେଳେ ଆବାସ ଯୋଜନାରେ ଘର ମିଳୁନି। ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ହେଉ କିମ୍ବା ରାଜନେତାଙ୍କ ଆନ୍ତରିକତାର ଅଭାବ; ସ୍ବାଧୀନତାର ୭୫ ବର୍ଷ ପରେ ଜିଲ୍ଲାରେ ଜନଜାତିଙ୍କ ବିକାଶ ଅତ୍ୟନ୍ତ ନିରୁତ୍ସାହଜନକ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୧ ଜନଗଣନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାରେ ୧୪ ଲକ୍ଷ ୭୯ ହଜାର ୫୭୬ ଜନଜାତି ସଂପ୍ରଦାୟର ଲୋକ ବସବାସ କରୁଛନ୍ତି। ସେଥିମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୭ ଲକ୍ଷ ୩୦ ହଜାର ୪୮୭ ଓ ମହିଳାଙ୍କ ସଂଖ୍ୟା ୭ ଲକ୍ଷ ୪୯ ହଜାର ୮୯। ତେବେ ଜିଲ୍ଲାରେ ବର୍ତ୍ତମାନ ଜନଜାତି ସଂପ୍ରଦାୟର ଲୋକଙ୍କ ସଂଖ୍ୟା ୨୦ ଲକ୍ଷ ଟପିଯିବ। ଜନଜାତିଙ୍କ ବିକାଶ ପାଇଁ ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳାରେ କାମ କରୁଛି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା। ବର୍ଷକୁ ୧୫ କୋଟି ହିସାବରେ ଏହି ୪ଟି ସଂସ୍ଥା ୬୦ କୋଟି ଟଙ୍କା ପାଉଛନ୍ତି। ଏହାବାଦ୍ ଜନଜାତିଙ୍କ ପାଇଁ ଖୋଲିଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ, ଲୋଧା ଉନ୍ନୟନ ସଂସ୍ଥା ଓ ଏଚ୍କେଏମ୍ଡିକୁ ବର୍ଷକୁ ୪୦ କୋଟିରୁ ଅଧିକ ଟଙ୍କାର ଅନୁଦାନ ଆସୁଛି। ମୋଟ୍ ଉପରେ ଜନଜାତିର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆସୁଥିବା ବାର୍ଷିକ ଅନୁଦାନ ରାଶି ୧୦୦ କୋଟି ଟପିଯିବ। ଏହାସତ୍ତ୍ବେ ଜନଜାତିଙ୍କ ବିକାଶ ଯେଉଁ ତିମିରେକୁ ସେଇ ତିମିରେ। ସରକାରୀ ରିପୋର୍ଟ ଅନୁଯାୟୀ, ଏବେ ବି ଜିଲ୍ଲାର ୨୧୧ ଗାଁକୁ ଭଲ ରାସ୍ତା ନାହିଁ। ଲୋକମାନେ ଜଙ୍ଗଲ ପାହାଡ଼ ଡେଇଁ ଯାତାୟାତ କରୁଛନ୍ତି। ବେସରକାରୀ ରିପୋର୍ଟ ଅନୁସାରେ, ଜିଲ୍ଲାରେ ରାସ୍ତା ନଥିବା ଗାଁ ସଂଖ୍ୟା ୫୦୦ରୁ ଅଧିକ ହେବ। ସେହିପରି ୧,୩୫୦ ଗାଁକୁ ଏଯାଏ ବିଜୁଳି ସଂଯୋଗ ହୋଇନାହିଁ। ସବୁ ପରିବାରକୁ ବିଜୁଳି ଆଲୁଅ ଯୋଗାଇ ଦିଆଯିବ ବୋଲି ସରକାର କହୁଥିବା ବେଳେ ମୟୂରଭଞ୍ଜର ଏତେସଂଖ୍ୟକ ଜନଜାତି ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇ ନ ପାରିବା ବିଡ଼ମ୍ବନାର ବିଷୟ। ଜନଜାତିଙ୍କ ପାଖରେ କଲ୍ୟାଣମୂଳକ ଯୋଜନା ପହଞ୍ଚାଇବା ଲାଗି ସରକାରୀସ୍ତରରେ ନିରନ୍ତର ଉଦ୍ୟମ କରାଯାଉଥିବା କୁହାଯାଉଛି। ହେଲେ ବାସ୍ତବତା କିଛି ଭିନ୍ନ କଥା ବୟାନ କରୁଛି।
ଏସବୁ ଭିତରେ ମୟୂରଭଞ୍ଜ ମାଟିର ରତ୍ନ, ଆଦିବାସୀ ନେତ୍ରୀ ଦୌପଦୀ ମୁର୍ମୁ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି। ଏକ ଜନଜାତିବହୁଳ ଗାଁରୁ ଆସି ରାଷ୍ଟ୍ରପତି ଦୌଡ଼ରେ ରହିବାଯାଏ ସେ ନିଜେ ଅନେକ ପ୍ରତିବନ୍ଧକର ସାମ୍ନା କରିଛନ୍ତି। କ୍ଷମତା ରାଜନୀତିରେ ଥିଲା ବେଳେ ଜନଜାତିଙ୍କ ବିକାଶ ପାଇଁ ନିରନ୍ତର ଉଦ୍ୟମ ମଧ୍ୟ କରିଛନ୍ତି। ହେଲେ ରାଜନେତ୍ରୀ ଭାବରେ ସେ ନିଜ ଜିଲ୍ଲା ପାଇଁ ଯାହା କରିପାରିନଥିଲେ ହୁଏତ ରାଷ୍ଟ୍ରପତି ହେଲା ପରେ ନିଜର ଅଖଣ୍ଡ କ୍ଷମତା ବଳରେ ଜନଜାତିଙ୍କ ଭାଗ୍ୟ ବଦଳାଇବାରେ ସଫଳ ହେବେ ବୋଲି ସାଧାରଣରେ ଏବେ ଆଶା ଉଜ୍ଜୀବିତ ହୋଇଛି। ତେବେ ଦୌପ୍ରଦୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲା ପରେ ମୟୂରଭଞ୍ଜ ଜିଲ୍ଲାରେ ଜନଜାତିଙ୍କ ଭାଗ୍ୟ ବଦଳୁଛି କି ନାହିଁ, ତାହା ଆଗାମୀ ସମୟ କହିବ।