‘ସମ୍ବାଦ’ ପ୍ରସଙ୍ଗ, ୭୮ ଲକ୍ଷ ଟଙ୍କାର ଡ୍ରେନ୍ କାମ କେବେ ସରିବ? ପୁଣି ବୁଡ଼ିବ କଲେଜ ରାସ୍ତା, ଆନ୍ଦୋଳନ ଚେତାବନୀ ଦେଲେ ଛାତ୍ରଛାତ୍ରୀ
ରାଜକନିକା: ପ୍ରତିବର୍ଷ ବର୍ଷା ଦିନେ ରାଜକନିକା ଏସଏନ୍ କଲେଜ ରାସ୍ତା ଉବୁଟୁବୁ ହୋଇପଡ଼େ। କଲେଜ ପରିସରରେ ପାଣି ଜମେ। ବଜାରରେ ବର୍ଷା ପାଣି ଲହଡ଼ି ଭାଙ୍ଗେ। ଲୋକଙ୍କ ଘରେ ପଶେ। ମାସମାସ ଧରି ଛାତ୍ରଛାତ୍ରୀ, ସାଧାରଣ ଲୋକେ ଯନ୍ତ୍ରଣା ଭୋଗନ୍ତି। ସମସ୍ୟାର ପ୍ରତିକାର ପାଇଁ ଛାତ୍ରଛାତ୍ରୀ ଏକାଧିକ ଥର ରାସ୍ତାକୁ ଓହ୍ଲାଇଛନ୍ତି। ରାସ୍ତାରୋକ କରି ଧାରଣା ବି ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୨୦୨୦ରେ ପୂର୍ତ୍ତ ବିଭାଗକୁ ଡ୍ରେନ୍ ନିର୍ମାଣ ପାଇଁ ଦାୟିତ୍ୱ ଦିଆଯାଇଥିଲା। ୧ କିମି ଲମ୍ବ ବିଶିଷ୍ଟ ଡ୍ରେନ ନିର୍ମାଣ ଲାଗି ବ୍ୟୟ ଅଟକଳ ଥିଲା ୭୮ ଲକ୍ଷ ଟଙ୍କା। କାମ ୨୦୨୦ରେ ଆରମ୍ଭ ହୋଇ ୨୦୨୧ରେ ଶେଷ ହେବା କଥା। ହେଲେ ଆଜିଯାଏ କାମ ସରୁନି। ଏବେ ପୁଣି ବର୍ଷା ଆରମ୍ଭ ହୋଇଗଲାଣି। ଏପଟେ କିନ୍ତୁ କେଉଁଠି ଡ୍ରେନ୍ଟି ଭାଙ୍ଗି ଗଲାଣି ତ ଆଉ କେଉଁଠି ଜାଗା ଅଧିଗ୍ରହଣ ହୋଇପାରୁ ନ ଥିବାରୁ କାମ ଅଟକି ରହିଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ବେହେରା କୁହନ୍ତି, ୮୦ ପ୍ରତିଶତ କାମ ସରିଯାଇଛି। ଜାଗା ଅସୁବିଧା ଥିବାରୁ କିଛି କାମ ହୋଇପାରି ନ ଥିଲା। ଏବେ ଆରମ୍ଭ ହୋଇ ସରିଯିବ ବୋଲି କହିଛନ୍ତି। ଏପଟେ କନିକା ତହସିଲଦାର ପ୍ରେମାନନ୍ଦ ବେହେରା କହିଛନ୍ତି, ସରକାରୀ ଜାଗା ଜବରଦଖଲ କରିଥିବା ଦୋକାନୀମାନଙ୍କୁ ଜାଗା ମାପ କରି ଦିଆଯାଇଛି। ଖୁବଶୀଘ୍ର ଦୋକାନ ଭଙ୍ଗା ଯାଇ ଡ୍ରେନ କାମ ଆରମ୍ଭ ହେବ। ଅନ୍ୟପଟେ ବର୍ଷା ପୂର୍ବରୁ କାମ ନ ସାରିଲେ କଲେଜ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି l
Sambad is now on WhatsApp
Join and get latest news updates delivered to you via WhatsApp
କଲେଜ ମୁଖ୍ୟ ରାସ୍ତାରେ ବର୍ଷା ଦିନେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହେ। ଫଳରେ କଲେଜ ଯାଇ ପାଠ ପଢିବାକୁ ହେଲେ ପାଣିରେ ପଶି ଯିବାକୁ ପଡେ। ଏହି ସମସ୍ୟା ଦୂର କରିବା ଲାଗି ଆମେ ୨୦୧୯ରେ କଟକ ଚାନ୍ଦବାଲି ରାସ୍ତା ବନ୍ଦ କରିଥିଲୁ। ସେ ସମୟରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଡ୍ରେନ ପାଇଁ ଅର୍ଥ ମଂଜୁର କରାଗଲା। ଆମେମାନେ ଖୁସି ହେଲୁ। ୧ ବର୍ଷ ମଧ୍ୟରେ କାମ ସାରିବା କଥା। ହେଲେ ଏ ପର୍ଯ୍ୟନ୍ତ କାମ ସରିନାହିଁ। ବର୍ଷା ଦିନ ଥିବାରୁ ପୁଣି ପାଣି ଜମିବ। ପାଠ ପଢ଼ା ବନ୍ଦ ହେବ। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବୁ l
ରୋହନ ଦାସ, ଯୁକ୍ତ୩, ପ୍ରଥମ ବର୍ଷ ଛାତ୍ର
କଲେଜ ରାସ୍ତାରୁ ବର୍ଷା ପାଣି ନିଷ୍କାସନ ନ ହୋଇପାରିବାରୁ ମାସ ମାସ ଧରି ଆଣ୍ଠୁଏ ପାଣି ଜମି ରହୁଛି। ଆମ ଦୋକାନ ଭିତରେ ପାଣି ପଶୁଛି। ବ୍ୟବସାୟ ହୋଇପାରୁନି। ଦୋକାନ ଜିନିଷ ସବୁ ଓଦା ହୋଇ ନଷ୍ଟ ହେଉଛି। ଡ୍ରେନ କାମ ହେଲା ସତ, ଆଜି ପର୍ଯ୍ୟନ୍ତ କାମ ସରୁ ନାହିଁ। ବର୍ଷା ଦିନ ପୁଣି ସେହି ଅବସ୍ଥା ହେବ। ପ୍ରଶାସନକୁ ଗୁହାରି କଲେ ବି କେହି ଶୁଣୁ ନାହାନ୍ତି।
-ରଞ୍ଜନ ନାୟକ,ବ୍ୟବସାୟୀ
ବର୍ଷା ଦିନେ ଆସିଲେ ଆମର ଚିନ୍ତା ବଢେ। କାରଣ ବର୍ଷା ହେଲେ ପାଣି ନିଷ୍କାନ ଲାଗି ଡ୍ରେନେଜ ବ୍ୟବସ୍ତା ନ ଥିବାରୁ ଘରେ ଆଣ୍ଠୁଏ ଲେଖାଏ ପାଣି ଜମି ରହେ। ମାସ ମାସ ଧରି ଆମର ରୋଷଇ ବନ୍ଦ ରୁହେ। ଛୋଟ ପିଲାଛୁଆ ଧରି ଘର ଛାଡି ଅନ୍ୟତ୍ର ଯିବାକୁ ପଡିଥାଏ। ଡ୍ରେନେଜ ନିର୍ମାଣ ଲାଗି ଟଙ୍କା ଆସିଲା। କାମ ହେଲା, କିନ୍ତୁ ୩ ବର୍ଷ ହେବ କାମ ସରୁ ନାହିଁ। ତୁରନ୍ତ କାମ ସାରିବାକୁ ପ୍ରଶାସନକୁ ଜଣାଇଲେ ମଧ୍ୟ୍ୟ କିଛି ଫଳ ମିଳୁନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରୁଛୁ।
-ରମା ଦାସ, ଗୃହିଣୀ
ଏହି ରାସ୍ତା ରେ ପାଣି ଜମି ରହୁଥିବାରୁ କଲେଜ ଛାତ୍ରଛାତ୍ରୀ, ବ୍ୟବସାୟୀ, ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ବିଧାୟକଙ୍କ ଉଦ୍ୟମରେ ଡ୍ରେନେଜ ଲାଗି ଟଙ୍କା ମଂଜୁର ହେଲା। କାମ ଆରମ୍ଭ ହେଲା। କିନ୍ତୁ ପୂର୍ତ୍ତ ବିଭାଗ ଓ ସ୍ଥାନୀୟ ତହସିଲଦାରଙ୍କ ଅବହେଳା ଯୋଗୁ ଏ ପର୍ଯ୍ୟନ୍ତ ଡ୍ରେନଜ ନିର୍ମାଣ ଲାଗି ହୋଇଥିବା ଜବରଦଖଲ ଜାଗା ଉଚ୍ଛେଦ ହୋଇ ପାରିଲା ନାହିଁ l ଫଳରେ ବର୍ଷା ଦିନ ହେଲା ସିନା କାମ ସରିଲା ନାହିଁ।
-ଚିନ୍ମୟ ଦାସ, ସମାଜସେବୀ
ଏହି ସମସ୍ୟା ପାଇଁ ଛାତ୍ରଛାତ୍ରୀ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିବା ସହିତ ଅନେକଥର ଆନ୍ଦୋଳନ କରିଛନ୍ତି । ଫଳରେ ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମା ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ ପାଣି ନିଷ୍କାସନ ପାଇଁ ଡ଼୍ରେନେଜ୍ ନିର୍ମାଣ କରିବାକୁ ଆର୍ଏଣ୍ଡବି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜିଲ୍ଲାପାଳଙ୍କ ବଦଳି ପରେ ଏବେ ନୂତନ ଜିଲ୍ଲାପାଳ ଏହି କାମର ତଦାରଖ କରିବାକୁ ଭୁଲି ଯାଇଛନ୍ତି। ତାହା ନ ହୋଇଥିଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ମଧ୍ୟ କାମ ସରୁନାହିଁ। ଜଳ ନିଷ୍କାସନ ହୋଇପାରୁନାହିଁ।
-ଶୁଭ୍ରାଂଶୁ ସୂତାର, ସାମ୍ବାଦିକ