ଶ୍ରୀଲଙ୍କାରେ ଜରୁରୀ ସ୍ଥିତି ଘୋଷଣା: ଲୋକଙ୍କ କବ୍ଜାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିକ୍ରମସିଂଘେ କାମଚଳା ରାଷ୍ଟ୍ରପତି ନିଯୁକ୍ତ, ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି
କଲମ୍ବୋ: ଶ୍ରୀଲଙ୍କା ସ୍ଥିତି ଆଜି ଅତି ଜଟିଳ ରହିଛି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଦେଶ ଛାଡ଼ିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ହିଂସାତ୍ମକ ଆନ୍ଦୋଳନ ହୋଇଛି। ହଜାର ହଜାର ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ କବ୍ଜା ରିନେଇଛନ୍ତି। ସୁରକ୍ଷାକର୍ମୀ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଆଜି ଦେଶରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି। କଲମ୍ବୋ ସମେତ ପଶ୍ଚିମ ପ୍ରଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି। ରାଷ୍ଟ୍ରପତି ଦେଶ ଛାଡ଼ି ମାଳଦ୍ବୀପ
Sambad is now on WhatsApp
Join and get latest news updates delivered to you via WhatsApp
ଚାଲିଯିବାପରେ ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ କାମଚଳା ରାଷ୍ଟ୍ରପତି ନିଯୁକ୍ତ ହୋଇଛନ୍ତି। ସମ୍ବିଧାନର ଧାରା ୩୭ (୧) ଅଧୀନରେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ପ୍ରଧାନମନ୍ତ୍ରୀ କାମଚଳା ରାଷ୍ଟ୍ରପତି ଭାବେ ତାଙ୍କ ଦାୟିତ୍ବ ତୁଲାଇବେ ବୋଲି ବାଚସ୍ପତି କହିଛନ୍ତି। ଇତିମଧ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଫେରାଇ ଆଣିବାପାଇଁ ଯାହା ସମ୍ଭବ ତାହା କରିବାପାଇଁ ପ୍ରଧାନମନ୍ତ୍ରୀ ଆଜି ସେନା ଏବଂ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଟେଲିଭିଜନ୍ରେ ବିବୃତି ଜାରି କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୌଣସି ବିରୋଧ ମତେ କାମଚଳା ରାଷ୍ଟ୍ରପତି ଭାବେ ମୋ ଦାୟିତ୍ବ ପାଳନ କରିବା ପାଇଁ ଅଟକାଇ ପାରିବ ନାହିଁ। ଦଙ୍ଗାକାରୀଙ୍କୁ ଗିରଫ କରିବାପାଇଁ ସେନା କଠୋର ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ବାଚସ୍ପତି ମହିନ୍ଦା ୟାପା ଆବେୱର୍ଦେନା ଏକ ଜରୁରୀ ସର୍ବଦଳୀୟ ବୈଠକ ଡକାଇ ମିଳିତ ସରକାର ଗଠନ ନେଇ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ଶ୍ରୀଲଙ୍କା ସେନା ସବୁ ରାଜନୈତିକ ଦଳ ମାନଙ୍କର ସମର୍ଥନ ଲୋଡ଼ିଛି।
ବିକ୍ରମସିଂଘେ କାମଚଳା ରାଷ୍ଟ୍ରପତି ନିଯୁକ୍ତ
ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି
୨ ରାଷ୍ଟ୍ରାୟତ ଗଣମାଧ୍ୟମରେ ପ୍ରସାରଣ ବ୍ୟାହତ
ଜରୁରୀ ବୈଠକ ଡାକିଲେ ବାଚସ୍ପତି
ରାଜନୈତିକ ଦଳର ସମର୍ଥନ ଲୋଡ଼ିଲା ସେନା
ପ୍ରବଳ ବିରୋଧ ଯୋଗୁଁ ଶ୍ରୀଲଙ୍କାରେ ୨ଟି ରାଷ୍ଟ୍ରାୟତ ଗଣମାଧ୍ୟମ ଆଜି କିଛି ସମୟ ପାଇଁ ପ୍ରସାରଣ ବନ୍ଦ ରଖିଥିଲେ। ସରକାରଙ୍କ ଦ୍ବାରା ପରିଚାଳିତ ଟିଭି ଚ୍ୟାନେଲ୍ ଏସଏଲ୍ଆରସି (ଶ୍ରୀଲଙ୍କା ରୂପବାହିନୀ କର୍ପୋରେସନ୍) ଆଜି ଅସ୍ଥାୟୀ ଭାବେ କିଛି ସମୟ ଏହାର ପ୍ରସାରଣ ବନ୍ଦ ରଖିଥିଲା। ଚ୍ୟାନେଲରେ କେବଳ ସରକାର ବିରୋଧୀ ଆନ୍ଦୋଳନ ପ୍ରସାରଣ ହେବ ବୋଲି କିଛି ଆନ୍ଦୋଳନକାରୀ ଏସଏଲଆରସି ଅଫିସ୍ରେ ପଶି ଦାବି କରିବାପରେ କିଛି ସମୟ ପାଇଁ ପ୍ରସାରଣ ବନ୍ଦ ରଖିଥିଲା। ସେହିପରି ଆଇଟିଏନ୍ (ଇଣ୍ଡିପେଣ୍ଡେଣ୍ଟ୍ ଟିଭି ଚ୍ୟାନେଲ୍) ମଧ୍ୟ କିଛି ସମୟ ପାଇଁ ଏହାର ପ୍ରସାରଣ ବନ୍ଦ ରଖିଥିଲା। ଶ୍ରୀଲଙ୍କା ପ୍ରତିରକ୍ଷା ମୁଖ୍ୟ ଆନ୍ଦୋଳନକାରୀଙ୍କୁ ଶାନ୍ତି ରକ୍ଷା ପାଇଁ ନିବେଦନ କରିବା ସହ ଦେଶରେ ଖୁବ୍ଶୀଘ୍ର ସ୍ଥିରତା ଆଣିବା ପାଇଁ ପ୍ରୟାସ କରାଯାଉଥିବା କହିଛନ୍ତି।