ପୁଡ଼ାପରା ହତ୍ୟାକାଣ୍ଡ, ୩ ଜଣକୁ ଗିରଫ କଲା ପୁଲିସ

ଧମା: ଧମା ଥାନା ପୁଡ଼ାପରା ଗାଁର ନେପାଳ ପୋଢ଼ ଓରଫ୍‌ ଡାକ୍ତର(୫୦)ଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଗୋଡ଼େଇ ଗୋଡ଼େଇ ହତ୍ୟା କରାଯାଇଥିଲା। ଏହି ମାମଲାରେ ଧମା ପୁଲିସ ଉକ୍ତ ଗାଁର ୩ ଜଣଙ୍କୁ ଧରିଛି। ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୁଲିସ କହିଛି।

ପୁଲିସ ସୂଚନା ଅନୁଯାୟୀ, ନେପାଳ ଓ ତାଙ୍କ ଜ୍ବାଇଁ ବିଲକୁ ସାର ପକାଇବାକୁ ଯାଉଥିଲେ। ଜ୍ବାଇଁ ଟିକେ ପଛରେ ରହିଯାଇଥିଲେ। ଗାଁ ଠାରୁ କିଛି ଦୂରରେ ବିଲକୁ ଯିବା ବାଟରେ ଗରିଆବାହାଲ ପୋଲ ପାଖରେ ହେମନ୍ତ ଭୋଇ(୨୦), ଶଶିଭୂଷଣ ବାଗ(୨୦) ଓ ଜଣେ ନାବାଳକ ବସିଥିଲେ। ‘ସବୁ ବେଳେ ବାଟଘାଟେ ବସୁଛ, ମୋ ପୁଅକୁ ଖରାପ ଦେଲଣି’ ବୋଲି ନେପାଳ ସେମାନଙ୍କୁ କହିଥିଲା। ଯାହାକୁ ନେଇ ୩ ଅଭିଯୁକ୍ତ ଓ ନେପାଳ ମଧ୍ୟରେ ଝଗଡ଼ା ହୋଇଥିଲା।

୩ ଅଭିଯୁକ୍ତ ରାଗିଯାଇ ଧରିଥିବା ମାରଣାସ୍ତ୍ରରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏତିକି ବେଳେ ତାଙ୍କ ଜ୍ବାଇଁ ପହଞ୍ଚି ଯିବାରୁ ତାଙ୍କୁ ସେଠାରେ ରକ୍ତାକ୍ତ ଅବସ୍ଥାରେ ପକାଇ ଦେଇ ୩ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଏ ନେଇ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନେପାଳଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ବୁଧବାର ପୁଲିସ ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।

ସମ୍ବନ୍ଧିତ ଖବର