ଯୁବ ଇଞ୍ଜିନିୟରଙ୍କ ଅକାଳ ବିୟୋଗ
ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସ୍ଥାନୀୟ ଥାନା ଅନ୍ତର୍ଗତ ପେନାଲା ଗ୍ରାମର ଜଣେ ଯୁବ ଇଞ୍ଜିନିୟରଙ୍କ ମାତ୍ର ୩୦ବର୍ଷ ବୟସରେ ଅକାଳ ବିୟୋଗ ଫଳରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଲଆଇସି ଜାମସେଦପୁର ଜୋନାଲ ଟ୍ରନିଂ ସେଣ୍ଟରର ଉପନିର୍ଦ୍ଦେଶକ ବିବେକାନନ୍ଦ ପ୍ରଧାନଙ୍କ ବଡ଼ ପୁଅ ପ୍ରବୀଣ କୁମାର ପ୍ରଧାନ(୩୦)` ମାଲକାନଗିରି କ୍ଷୁଦ୍ର ଜଳସେଚନ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ୬ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ।ଗତ ୭ ତାରିଖ ଦିନ ତାଙ୍କ ଶରୀର ଅସୁସ୍ଥ ହେବା କାରଣରୁ ତାଙ୍କୁ ପ୍ରଥମେ କୋରାପୁଟ ତାପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠି ୭ତାରିଖ ଦିନ ଠାରୁ ତାଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା ତାଙ୍କ ପାନକ୍ରିୟା ସମସ୍ୟା ରହିଥିବା ଜାଣିବା ପରେ ଚିକିତ୍ସା ଚାଲିଥିବା ବେଳେ ଗତକାଲି ତାଙ୍କ ବିୟୋଗ ଘଟିଥିବା ସୂଚନା ମିଳିଛି। ତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଏବଂ କିଛି ଭୁଲ ଚିକିତ୍ସା ଯୋଗୁଁ ତାଙ୍କ ବିୟୋଗ ହୋଇଥିବା ତାଙ୍କ ବାପା ବିବେକାନନ୍ଦ ପ୍ରଧାନ ଦୁଃଖର ସହ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ପ୍ରବୀଣ ପିଲାବେଳୁ ଭଲ ପାଠ ପଢିବା ସହ ଲୋକ ସମ୍ପର୍କ ଭଲ ରହିଥିଲା। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପ୍ରବୀଣ ପିଲା ଦିନରୁ ଭଲ ପାଠ ପଢିବା ସହ ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ବୁର୍ଲା ଇଂଜିନିୟରିଂ କଲେଜରେ ପାଠପଢା ଶେଷ କରି କମ ବୟସରେ ବେଶ ସଫଳତାର ସହ ସରକାରୀ ଚାକିରିରେ ଯୋଗ ଦେଇ ମାଲକାନଗିରି ଜିଲ୍ଲାରେ ଦୀର୍ଘ ୬ବର୍ଷ ହେଲା ବେଶ ଦକ୍ଷତାର ସହ କାର୍ଯ୍ୟ କରି ସମସ୍ତଙ୍କ ଅତି ପୀୟପାତ୍ର ହୋଇଥିବା ବେଳେ ମାତ୍ର ୩୦ବର୍ଷ ବୟସରେ ପ୍ରବୀଣଙ୍କ ଅକାଳ ବିୟୋଗ ତାଙ୍କ ପରିବାର ଏବଂ ତାଙ୍କ ସାଙ୍ଗସାଥି ସହକର୍ମୀଙ୍କୁ ଗଭୀର ଆଘାତ ଦେଇଛି। ପ୍ରବୀଣଙ୍କ ବିୟୋଗ ଖବର ତାଙ୍କ ଗାଁରେ ପ୍ରଚାରିତ ହେବା ପରେ ଚାରିଆଡେ ଶୋକର ଛାୟା ଖେଳି ଯାଇଛି। ଆଜି ତାଙ୍କ ମରଶରୀର ନିଜ ଗ୍ରାମ ପେନାଲାରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ସାରା ଗାଁ ଫାଟି ପଡୁଥିଲା। ଆଜି ଅପରାହ୍ନରେ ପ୍ରବୀଣଙ୍କ ନିଜ ଗାଁ ପେନାଲା ଠାରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା।