ସୀମାନ୍ତ ଗାଁରେ ‘ହର ଘର ତ୍ରିରଙ୍ଗା’କୁ ନକ୍ସଲ ସଙ୍ଗଠନର ନା! ସଚେତନତା ଅଭିଯାନ ବିଫଳ

ଚିନ୍ତାରେ ଶିକ୍ଷକଶିକ୍ଷୟିତ୍ରୀ, ସରକାରୀ ଅଧିକାରୀ ଓ ଅଞ୍ଚଳବାସୀ

ରାଉରକେଲା: ସମଗ୍ର ଦେଶ ପାଳନ କରୁଛି ‘ଆଜାଦି କା ଅମୃତ ମହୋତ୍ସବ’। ଏହି ଅବସରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଚାଲିଛି ଜୋରଦାର ଉଦ୍ୟମ। ସିଆଇଏସ୍‌ଏଫ୍‌, ସିଆର୍‌ପିଏଫ୍‌ ଯବାନମାନଙ୍କ ପକ୍ଷରୁ ମୋଟରବାଇକ୍‌ ରାଲି ମଧ୍ୟ ଚାଲିଛି। ପ୍ରତ୍ୟେକ ଦିନ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏ ସମ୍ପର୍କିତ କିଛି ନା କିଛି ସଚେତନା ମୂଳକ କାର୍ଯ୍ୟକ୍ରମ ଜାରି ରହିଛି। ଏଥିପାଇଁ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ପ୍ରତ୍ୟେକଙ୍କ ଘରେ ତ୍ରିରଙ୍ଗା ଲଗାଇ ଆଜାଦି କା ଅମୃତ ମହୋତ୍ସବ ପାଳନ କରିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଭରି ରହିଛି। ସମସ୍ତେ ସେହି ଦିନକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁରେରେ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ବିଫଳ କରିବାକୁ ନକ୍ସଲ ସଙ୍ଗଠନ ପୁଣି ସକ୍ରିୟ ହୋଇଛନ୍ତି। କୌଣସି ପରିସ୍ଥିତିରେ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରାଇ ନ ଦେବାକୁ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେବାକୁ ସଜବାଜ ହେଉଥିବା ଜଣାପଡିଛି। ଫଳରେ ଏହି ଅଭିଯାନକୁ ନେଇ ଚିନ୍ତାରେ ରହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ, ସରକାରୀ ଅଧିକାରୀ ଓ ଶିକ୍ଷାନୁଷ୍ଠାନର ଶିକ୍ଷକଶିକ୍ଷୟତ୍ରୀ।

ଏଭଳି ପରିସ୍ଥିତିରେ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବା ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ପାଇଁ ଚାଲେଞ୍ଜ ହୋଇଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବିଶ୍ରା ବ୍ଲକର ଚିରୁବେଡ଼ା, ଝାରବେଡ଼ା, ଅକୟାଶିଳା, ‌କୋକେରମା, କାଳିଆପୋଷ, ରାମଲୋଇ ସମେତ ନୂଆଗାଁ ବ୍ଲକରେ କିଛି ଅଞ୍ଚଳରେ ଏଭଳି ସ୍ଥିତି ଉପୁଜିଛି। ବିଶ୍ରା ବ୍ଲକ ଅନ୍ତର୍ଗତ ନକ୍ସଲ ଉପଦ୍ରୁତ ଅଞ୍ଚଳକୁ ଛାଡି ଅନ୍ୟ ଅଞ୍ଚଳରେ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବାକୁ ସରକାରୀ ଓ ଘରୋଇ ସଂସ୍ଥାଗୁଡ଼ିକ ପକ୍ଷରୁ ସଚେତନତା ଅଭିଯାନ ଜାରି ରହିଛି। ସଚେତନତା ଶୋଭାଯାତ୍ରାରେ ସାମିଲ ଯୁବକଯୁବତୀ, ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଆଦିବାସୀ ଭାଇଭଉଣୀମାନଙ୍କୁ ଘରେ ଘରେ ତ୍ରିରଙ୍ଗା ଲଗାଇବାକୁ କହୁଛନ୍ତି। ଅନ୍ୟପଟେ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ସଚେନତା ଅଭିଯାନ ଦେଖିବାକୁ ମିଳୁନି। ନକ୍ସଲ ଉପଦ୍ରୁତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁଏ ସଂକ୍ରାନ୍ତରେ ପଚାରିବାରୁ ସେମାନେ କହିଛନ୍ତି ‘ ହର ଘର ତ୍ରିରଙ୍ଗା’ ସମ୍ପର୍କରେ ଆମକୁ କୌଣସି ସୂଚନା ନାହିଁ।

କେବଳ ଆମକୁ ନୁହେଁ ନକ୍ସଲ ଉପଦ୍ରୁତ ଅଞ୍ଚଳରେ କାହାକୁ ମଧ୍ୟ ଜଣାନାହିଁ। ସେପଟେ ପ୍ରତିବର୍ଷ ପରି ଚଳିତ ଥର ନକ୍ସଲ ସଙ୍ଗଠନର ସମ୍ଭାବ୍ୟ ହିଂସାକାଣ୍ଡକୁ ଦୃ୍ଷ୍ଟିରେ ରଖି କୌଣସି ସମାଜିକ ଓ ସାଂସ୍କୃତିକ ସଙ୍ଗଠନ ହର ଘର ତ୍ରିରଙ୍ଗା ଅଭିଯାନ ସଂକ୍ରାନ୍ତ ସଚେତନତା ଶୋଭାଯାତ୍ରା ବାହାର କରୁ ନାହାନ୍ତି। ସେମାନେ କେବଳ କହିଛନ୍ତି ପ୍ରତିବର୍ଷ ଜାନୁଆରି ୨୬ ଓ ଅଗଷ୍ଟ ୧୫ରେ ସ୍କୁଲ, ପଞ୍ଚାୟତ ଅଫିସ୍‌ ଓ ସରକାରୀ କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡାଯାଇଥାଏ। ଚଳିତ ଥର ମଧ୍ୟ ତ୍ରିରଙ୍ଗା ଉଡ଼ାଯିବ। ତା’ ପୁଣି କେତେକ ସ୍ଥାନରେ କିଛି କ୍ଷଣ ପାଇଁ। କାରଣ ନକ୍ସଲ ସଙ୍ଗଠନର ଭୟ ଥିବାରୁ ତ୍ରିରଙ୍ଗାକୁ ସଂଧ୍ୟା ପର୍ଯ୍ୟନ୍ତ ଉଡାଇବାକୁ ଅଧିକାଂଶ ପଞ୍ଚାୟତର ଅଧିକାରୀ, ସ୍କୁଲ ଶିକ୍ଷକଶିକ୍ଷୟତ୍ରୀ ଏମିତି କରିଥାନ୍ତି। ତେବେ ଆଜାଦି କା ମହୋତ୍ସବ ପାଳନ ଅବସରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ନକ୍ସଲ ଉପଦ୍ରୁତ ଅଞ୍ଚଳରେ କେତେଦୂର ସଫଳ ହେଉଛି ? ଉଭୟ ଝାଡ଼ଖଣ୍ଡ, ଓଡ଼ିଶା ପୁଲିସ କେନ୍ଦ୍ର ସରକାରଙ୍କ ଏହି ଅଭିଯାନକୁ ନକ୍ସଲ ଉପଦ୍ରୁତ ଅଞ୍ଚଳରେ କେତେ ସହାୟକ‌ ହେଉଛନ୍ତି, ତା’ ଆଗାମୀ ଦିନରେ ହିଁ ଜଣାପଡ଼ିବ।

ସମ୍ବନ୍ଧିତ ଖବର