ପ୍ରଖ୍ୟାତ ଆମେରିକୀୟ ଲେଖକ ମାର୍କ ଟ୍ବେନ୍ ଗୋଟିଏ ସହରକୁ ଭାଷଣ ଦେବାକୁ ଯାଇଥିଲେ। ଭାଷଣ ଦେବାକୁ ଆହୁରି ଅଧଘଣ୍ଟାଏ ବାକି ଥିବାରୁ ମାର୍କ ଟ୍ବେନ୍ ବଢ଼ି ଯାଇଥିବା ଦାଢ଼ି କାଟିବା ଲାଗି ଗୋଟିଏ ସେଲୁନ୍କୁ ଗଲେ। ସେ ଦେଖିେଲ ବାରିକଟି ସେଲୁନ୍ ବନ୍ଦ କରିବାକୁ ତରତର। ମାର୍କ ଟ୍ବେନଙ୍କୁ ଦେଖି ସେ କହିଲା- କାଲି ଆସିବ, ଆଜି ସମୟ ନାହିଁ। କାରଣ ମାର୍କ ଟ୍ବେନ୍ ଆମ ସହରକୁ ଭାଷଣ ଦେବାକୁ ଆସିଛନ୍ତି। ଆଗରୁ ନ ଗଲେ ହଲ୍ ବାହାରେ ଛିଡ଼ା ହେବାକୁ ପଡ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ଶୁଣି ମାର୍କ୍ ଟ୍ବେନ୍ କହିଲେ- ଆରେ ବାବୁ ମାର୍କ ଟ୍ବେନ୍ ସେ ଜାଗାରେ ପହଞ୍ଚିଲେ ସିନା ଭାଷଣ ଦେବେ? ମୁଁ ନ ଗଲା ପର୍ଯ୍ୟନ୍ତ ସେ ସେଠି ପହଞ୍ଚି ପାରିବେ ନାହିଁ!
ଏତିକି କଥାରେ ଉତ୍କ୍ଷିପ୍ତ ବାରିକ ତାଙ୍କ କଲାର ଧରି କହିଲା- ଖବରଦାର ସେମିତି କହିବ ନାହିଁ। ମାର୍କ ଟ୍ବେନ୍ ଅବଶ୍ୟ ପହଞ୍ଚିବେ ଓ ଭାଷଣ ଦେବେ!
ଦ୍ବିତୀୟ ଘଟଣାଟିରେ ଚର୍ଚ୍ଚିଲ ରେଡିଓରେ ଏକ ଭାଷଣ ଦେବା ଲାଗି ଗୋଟିଏ ସହରକୁ ଯାଇ ରେଳରୁ ଓହ୍ଲାଇ ଯେତେବେଳେ ଟ୍ୟାକ୍ସି ଧରିବାକୁ ବାହାରିଲେ ଟ୍ୟାକ୍ସି ଚାଳକ କହିଲେ- କ୍ଷମା କରନ୍ତୁ ମୁଁ ଘରକୁ ଯାଉଛି। କାରଣ ମୋର ପ୍ରିୟତମ ନେତା ଚର୍ଚ୍ଚିଲ ରେଡିଓରେ କହିବାର ଅଛି, ଯାହାକୁ ମୁଁ ଶୁଣିବି।
ମାମୁଲି ଟ୍ୟାକ୍ସି ଡ୍ରାଇଭରଙ୍କ ଏଭଳି ଭଲ ପାଇବାରେ ଗଦଗଦ ହୋଇ ଚର୍ଚ୍ଚିଲ ପୁରସ୍କାର ସ୍ବରୂପ ତାଙ୍କ ହାତକୁ କୋଡ଼ିଏ ପାଉଣ୍ଡ ନୋଟ୍ ବଢ଼ାଇ ଦିଅନ୍ତେ, ଟ୍ୟାକ୍ସି ଚାଳକ ତାକୁ ପକେଟସ୍ଥ କରି କହିଲେ- ମାଲିକ, ଆସନ୍ତୁ। ଗାଡ଼ିରେ ବସନ୍ତୁ। କହନ୍ତୁ କେଉଁଠାକୁ ଯିବେ? ଚର୍ଚ୍ଚିଲ ଯାଉ ଚୁଲିକୁ!