ଯାଜପୁରରେ ସର୍ବାଧିକ ବର୍ଷା; ପ୍ରବଳ ବର୍ଷା ହେତୁ ଚାଷ କାମ ପ୍ରଭାବିତ, ବନ୍ୟା ଆଶଙ୍କା

ଯାଜପୁରସଦର : ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଥିବାରୁ ଯାଜପୁର ଜିଲ୍ଲାରେ ଅବସ୍ଥା ବେହାଲ ହୋଇଯାଇଛି। ଗତ ୨୪ ଘଣ୍ଟା‌ରେ ଯାଜପୁରରେ ସର୍ବାଧିକ ୧୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ବଙ୍ଗୋପସାଗରରେ ଲଘୁଚାପ‌ ଫଳରେ ତିନିଦିନ ହେଲାଣି ଅବିଶ୍ରାନ୍ତ ବର୍ଷା ଜାରି ରହିଛି। ୯ ତାରିଖରୁ ଜିଲ୍ଲାରେ ବର୍ଷା ହେଉଥିବାବେଳେ ବୁଧବାର ଓ ଗୁରୁବାର ଦିନ ଅଧିକ ବର୍ଷା ହୋଇଛି। ରାଜ୍ୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଗୁରୁବାର ସକାଳ ସୁଦ୍ଧା ଯାଜପୁର ଜିଲ୍ଲାରେ ରାଜ୍ୟର ସର୍ବାଧିକ ୧୫୦ ମିମି ବର୍ଷା ରେକର୍ଡ କରାଯାଇଛି। ୧୦ ତାରିଖରେ ଜିଲ୍ଲାର ବିଭିନ୍ନ ବ୍ଲକରେ ୨୭୮.୪ ମିମି ବର୍ଷା ହୋଇଛି। ୧୧ ତାରିଖ ସକାଳ ସୁଦ୍ଧା ୨୪୭.୬ ମିମି ବର୍ଷା ରେକର୍ଡ କରାଯାଇଛି। ୧୦ ତାରିଖରେ ଧର୍ମଶାଳା ବ୍ଲକରେ ୬୫ ମିମି ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା ହେତୁ ଚାଷ କାମ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବିଭିନ୍ନ ଖାଲୁଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି। ଦିନ ତମାମ ଲଗାଣ ବର୍ଷା ଜାରି ରହିଥିବାରୁ ଘରୁ ପଦାକୁ ବାହାରିବା ସମ୍ଭବ ହୋଇପାରିନାହିଁ। ପୁନର୍ବାର ୧୩ ରେ ଲଘୁଚାପ ଓ ୧୯ ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ପୂର୍ବାନୁମାନ ଥିବାରୁ ଲୋକେ ଚିନ୍ତିତ ହୋଇ ପଡ଼ିଛନ୍ତି।

ଧର୍ମଶାଳା : ଧର୍ମଶାଳା ବ୍ଲକରେ ୬ ଦିନ ହେଲା ଲଗାଣ ବର୍ଷା ପ୍ରଭାବରେ ଜୀବନଯାତ୍ରା ବ୍ୟାହତ ହୋଇଛି। ଗତ ୬ ତାରିଖରୁ ଲଘୁଚାପ ବର୍ଷା ଲାଗି ରହିଥିବାରୁ ଚାଷକାମ ଧିମେଇ ଯାଇଛି। ବିଭିନ୍ନ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି। ଶ୍ରମିକମାନେ କାମ ପାଇବାରୁ ବ‌ଞ୍ଚିତ ହୋଇଛନ୍ତି। ଗୋରୁଗାଈ ଅର୍ଦ୍ଧାହାରରେ ରହୁଛନ୍ତି। ଗତ ଦୁଇସପ୍ତାହ ହେଲା ବର୍ଷା ନହେବାରୁ ଧାନ ଓ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଏବେ ବର୍ଷା ଲାଗିରହିଛି। ବ୍ଲକରେ ସର୍ବାଧିକ ୧୪୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବ୍ରାହ୍ମଣୀ ଓ କେଲୁଅ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଲଘୁଚାପ ବର୍ଷା ବନ୍ଦ ହୋଇ ନଥିବା ବେଳେ ୧୩ ତାରିଖରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ନଦୀ ତଟବର୍ତ୍ତୀ ଲୋକ ଭୟଭୀତ ରହୁଛନ୍ତି। ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ଚାଷୀକୁଳ ଭୟଭୀତ। ପ୍ରତିବର୍ଷ ବନ୍ୟା ଆସିଲେ ଘାଇ ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ଜଳସେଚନ ବିଭାଗ କହୁଛି ସବୁ ବନ୍ଧବାଡ଼ ମଜଭୁତ ଅଛି। ଲଘୁଚାପଜନିତ ଲଗାଣ ବର୍ଷା ଏହିଭଳି ନାନା ଆଶାଆଶଙ୍କା ସୃଷ୍ଟି କରିଥିବା ବେଳେ ପ୍ରଶାସନ ସଜାଗ ଥିବା ସଫେଇ ଦେଇଛି।

ସମ୍ବନ୍ଧିତ ଖବର