ସିବିଆଇ ଆମ ନିୟନ୍ତ୍ରଣରେ ନାହିଁ: ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପକ୍ଷରୁ ଦାୟର କରାଯାଇଥିବା ଏକ ମାମଲା ଉପରେ ଶୁଣାଣି ଚାଲିଥିବା ବେଳେ କେନ୍ଦ୍ର ସରକାର ଗୁରୁବାର ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି ଯେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ଭାରତ ସରକାର କୌଣସି ମାମଲା ରୁଜୁ କରିନାହାନ୍ତି ବୋଲି ସିବିଆଇ କହିଛି। ଏଜେନ୍ସି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ୍ ବିଆର୍ ଗବାଇ ଓ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗରେ କହିଛନ୍ତି।

ସମ୍ବିଧାନର ଧାରା ୧୩୧ ଅନୁଯାୟୀ ପଶ୍ଚିମବଙ୍ଗ ସୁପ୍ରିମ୍‌କୋର୍ଟରେ କେନ୍ଦ୍ର ବିରୋଧରେ ମୂଳ ମାମଲା ଦାୟର କରିଛି। ତୃଣମୂଳ ସରକାର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ପଶ୍ଚିମବଙ୍ଗରେ ମାମଲାର ତଦନ୍ତ ପାଇଁ ସଂଘୀୟ ଏଜେନ୍ସିଠାରୁ ରାଜ୍ୟ ସରକାର ‘ସାଧାରଣ ସମ୍ମତି’ ପ୍ରତ୍ୟାହାର କରିବା ସତ୍ତ୍ୱେ ସିବିଆଇ ଏଫ୍ଆଇଆର୍ ଦାଖଲ କରିବା ସହ ତଦନ୍ତ ଜାରି ରଖିଛି। କେନ୍ଦ୍ର ଓ ଏକ ବା ଏକାଧିକ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ବେଳେ ସର୍ବୋଚ୍ଚ ନ୍ୟାୟାଳୟର ଅଧିକାର ସମ୍ବନ୍ଧୀୟ ଧାରା ୧୩୧ ପବିତ୍ର ଏବଂ ଏହାର ଅପବ୍ୟବହାରକୁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ସଲିସିଟର ଜେନେରାଲ ଖଣ୍ଡପୀଠଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି।

୨୦୧୮ ନଭେମ୍ବର ୧୬ରେ ପଶ୍ଚିମବଙ୍ଗରେ ତଦନ୍ତ କିମ୍ବା ଚଢ଼ଉ ପାଇଁ ସିବିଆଇଠାରୁ ‘ସାଧାରଣ ସମ୍ମତି’ ପ୍ରତ୍ୟାହାର କରି ନିଆଯାଇଥିଲା। ଏହା ଅନେକ ଅଣ-ବିଜେପି ରାଜ୍ୟ ମଧ୍ୟରୁ ଅନ୍ୟତମ ଯେଉଁଠାରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ଏଜେନ୍ସି ଏହାର କାର୍ଯ୍ୟକଳାପ ପାଇଁ ସମ୍ପୃକ୍ତ ସରକାରଙ୍କ ଅନୁମତି କିମ୍ବା ଅଦାଲତଙ୍କ ନିର୍ଦ୍ଦେଶ ଆବଶ୍ୟକ କରେ। କେନ୍ଦ୍ରର ବିଜେପି ସରକାର ବାରମ୍ବାର ବିରୋଧୀଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଥିବା ଅଭିଯୋଗ ହେଉଥିବା ବେଳେ କେନ୍ଦ୍ର ଏହାକୁ ଲଗାତାର ଖଣ୍ଡନ କରି ଆସୁଛି। ଅନ୍ୟପକ୍ଷରେ ସିବିଆଇ କେନ୍ଦ୍ରରେ କ୍ଷମତାସୀନ ରାଜନୈତିକ ଦଳ ନିର୍ବିଶେଷରେ ରାଜନୈତିକ ପ୍ରଭାବରେ କାର୍ଯ୍ୟ କରୁଥିବା ଅଭିଯୋଗର ସମ୍ମୁଖୀନ ହୋଇଛି। ୨୦୧୩ରେ ସୁପ୍ରିମ୍‌କୋର୍ଟ ଏଜେନ୍ସିକୁ ‘ପଞ୍ଜୁରୀର ଶୁଆ’ ବୋଲି କହିଥିଲେ। ସେତେବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କ୍ଷମତାରେ ଥିଲା।

ସମ୍ବନ୍ଧିତ ଖବର