ପଶ୍ଚିମବଙ୍ଗରେ ହଟଚମଟ: ରାଜ୍ୟପାଳଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

କୋଲକାତା:‌ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆ‌ନନ୍ଦ ବୋଷଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଛି। ମହିଳାଜଣକ ରାଜଭବନରେ ଅସ୍ଥାୟୀ କର୍ମଚାରୀ ଭାବେ ୨୦୧୯ରୁ କାର୍ଯ୍ୟ କରୁଛନ୍ତି। ଚାକିରି ସଂପର୍କରେ ଗୁରୁବାର ରାଜ୍ୟପାଳଙ୍କ ସହ ଆଲୋଚନା କରିବା ସମୟରେ ସେ ଅସହଜ ମନେ କରିଥିଲେ। ଅଭିଯୋଗ ମୁତାବକ ସପ୍ତାହେ ତଳେ ମଧ୍ୟ ରାଜ୍ୟପାଳ ତାଙ୍କୁ ଆପତ୍ତିଜନକ ଭାବେ ଛୁଇଁଥିଲେ। ହେୟାର ଷ୍ଟ୍ରିଟ ଥାନାରେ ଅଭିଯୋଗ କରିବା ପୂର୍ବରୁ ସେ ରାଜଭବନ ଫାଣ୍ଡିରେ ମଧ୍ୟ ଅଭିଯୋଗ କରିଥିଲେ। ଅଭିଯୋଗକୁ ଅନୁଧ୍ୟାନ କରିବା ସହ ଆଇନ ବିଭାଗର ସାମ୍ବିଧାନିକ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ଏହାକୁ ଏକ ପ୍ରାୟୋଜିତ କାହାଣୀ ବୋଲି ରାଜ୍ୟପାଳ ‌କହିବା ସହିତ ଏହାକୁ ନେଇ ସେ ଡରିଯିବେ ନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି। ତାଙ୍କ ଭାବମୂର୍ତ୍ତିକୁ ଖରାପ କରି ଲୋକ ରାଜନୈତିକ ଫାଇଦା ଉଠାଇବାକୁ ଚାହୁଛନ୍ତି। କିନ୍ତୁ ‌ପଶ୍ଚିମବଙ୍ଗରେ ଦୁର୍ନୀତି ଓ ହିଂସା ବିରୋଧରେ ତାଙ୍କ ଲଢ଼େଇକୁ କେହି ଅଟକାଇ ପାରିବେ ନାହିଁ ବୋଲି ରାଜ୍ୟପାଳ କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି କୋଲାକାତା ଆସୁଥିବାର କାର୍ଯ୍ୟକ୍ରମ ଥିବା ବେଳେ ରାଜ୍ୟପାଳଙ୍କ ବିରୋଧରେ ଏଭଳି ଅଭିଯୋଗ ବିଜେପି-ବିରୋଧୀଙ୍କ ହାତରେ ସୁଯୋଗ ଧରାଇଦେଇଛି। ମମତାଙ୍କ ତୃଣମୂଳ କଂଗ୍ରେସ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟପାଳଙ୍କ ପାଇଁ ଲଜ୍ଜାଜନକ ବୋଲି କହିଛି।

ସମ୍ବନ୍ଧିତ ଖବର