ଭୁବନେଶ୍ୱର: ଶୁଦ୍ଧିକ୍ରିୟା ସରିଥିଲା। ଦଶ ତୁଠ, ବାର କାର୍ଯ୍ୟ ସବୁକିଛି ସମ୍ପନ୍ନ ହୋଇସାରିଥିଲା। ମାତ୍ର ବିଧିର ବିଧାନ ଥିଲା ଭିନ୍ନ। ଆଜକୁ ଠିକ୍ ୪ ବର୍ଷ ତଳେ ନିଖୋଜ ହୋଇଯାଇଥିବା ଜଣେ ମା’ ତା’ର ୩ ସନ୍ତାନ ପାଖକୁ ଫେରି ଆସିଛି। ହଁ ଯାହାର ୩ ବର୍ଷ ତଳେ ଶୁଦ୍ଧିକ୍ରିୟା ସମ୍ପନ୍ନ ହୋଇଥିଲା ସେ ଆଜି ଫେରି ଆସିଛି। ଏହି ମା’ ଜଣକ ହେଉଛନ୍ତି କଲ୍ୟାଣୀ ଛୁରିଆ (୩୯)। ଏହିଭଳି ଏକ ଚମତ୍କାର ଘଟିଛି ସମ୍ବଲପୁରର ରାସନପୁର ଗ୍ରାମରେ। ଆଜି ୩ ଛୁଆଙ୍କୁ ଦେଖିବା ପରେ କଲ୍ୟାଣୀ ନିଜର କୋହ ସମ୍ଭରଣ କରିପାରି ନଥିଲେ। ବଡ଼ ପୁଅ ସନତ ମା’କୁ ଚିହ୍ନିବା ପରେ ଖୁସିରେ କାନ୍ଦି ପକାଇଥିଲା। ସାନପୁଅ ସାଗର ଓ ଝିଅ ରିମା ମା’କୁ ବିଳିବିଳି ହୋଇ ଚାହୁଁଥିଲେ ସିନା ଚିହ୍ନିପାରୁ ନଥିଲେ। ଅମୂଲମୂଲ ମାତୃତ୍ୱ ଓ ମା’କୋଳରେ ଆତ୍ମହରା ପିଲାମାନଙ୍କର ଶବ୍ଦହୀନ ଦୃଶ୍ୟ ଗ୍ରାମବାସୀଙ୍କୁ ଆବାକ୍ କରି ଦେଇଥିଲା। ସାହି ପଡ଼ିଶା ବି ଏ ଦୃଶ୍ୟ ଦେଖି କୋହ ସମ୍ଭରଣ କରିପାରିନଥିଲେ। ମା ଓ ସନ୍ତାନଙ୍କୁ ମେଳ କରାଇବାରେ ଏହି ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ରେଡ୍କ୍ରସ ଓଡ଼ିଶା ରାଜ୍ୟ ଶାଖା।
ଘଟଣାଟି ଏମିତି। କୃଷ୍ଣଚନ୍ଦ୍ର ଛୁରିଆରଙ୍କ ପୁଅ ମକର ଚାନ୍ଦ କଲ୍ୟାଣୀଙ୍କୁ ବିବାହ କରିବା ପରେ ତାଙ୍କ ସଂସାର ସୁଖେଦୁଃଖେ ଚଳିଯାଉଥିଲା। ତେବେ ଘରେ ସାମାନ୍ୟ କଥାକୁ ନେଇ ଝଗଡ଼ା ଲାଗିବା ପରେ ସବୁକିଛି ଓଲଟପାଲଟ ହୋଇଗଲା। ଝଗଡ଼ାକୁ ନେଇ ୯ ବର୍ଷ ତଳେ ମକରଚାନ୍ଦ ଘର ଛାଡ଼ି କୁଆଡ଼େ ଚାଲିଗଲେ ଯେ ଆଉ ଫେରିଲେ ନାହିଁ। ବିଚାରା କଲ୍ୟାଣୀ ନିଜ ସ୍ୱାମୀଙ୍କୁ ହରାଇ ୫ ବର୍ଷ ସିନା ସେମିତି ଜୀବନ କାଟିଦେଲେ ହେଲେ ନିଜ ସ୍ୱାମୀ ଚାଲିଯିବା କଥା ଭାଳି ହୋଇ ସେ ମାନସିକ ରୋଗଗ୍ରସ୍ତ ହୋଇଗଲେ। ତେଣୁ ୪ ବର୍ଷ ତଳେ ଦିନେ ସେ ନିଜ ମାଉସୀ ଘରକୁ ଯାଇ ସେଇଠୁ କୁଆଡ଼େ ଚାଲିଗଲେ। ମାସ ମାସ ବିତିଗଲା ପଛେ ଆଉ ଫେରିଲେ ନାହିଁ। ମାତ୍ର ନିକଟରେ ବିଶାଖାପାଟଣାରୁ ରେଡ୍କ୍ରସ୍ର ଜାତୀୟ କାର୍ଯ୍ୟାଳୟରୁ ରେଡ୍କ୍ରସର ଅବୈତନିକ ଯୁଗ୍ମ ସଚିବ ଡ.କଳ୍ପନା ଦାସଙ୍କ ନିକଟକୁ ଖବର ଆସିଲା ଯେ, କେହି ଜଣେ ପଶ୍ଚିମ ଓଡ଼ିଶାର ମହିଳା ବିଶାଖାପାଟଣା ମାନସିକ ବିକାରଗ୍ରସ୍ତ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏଇ ଖବର ପାଇବା ପରେ କଳ୍ପନା ଦାସ ତାଙ୍କର ଟିମ୍କୁ ନେଇ କଲ୍ୟାଣୀର ଘର ଖୋଜିବା ମିସନ୍ ଆରମ୍ଭ କରିଦେଇଥିଲେ। ଏ ଦିଗରେ ତାଙ୍କୁ ସହଯୋଗ କରିଥିଲେ ରଂଜନ କୁମାର ମହାନ୍ତି ଓ ପ୍ରତାପ ଚନ୍ଦ୍ର ମିଶ୍ର। ପ୍ରତାପ ନିଜ ମୋଟର ସାଇକେଲ୍ରେ ବୁଲିବୁଲି କଲ୍ୟାଣୀଙ୍କ ଘର ଠାବ କରି ଖବର ସଂଗ୍ରହ କରିଥିଲେ। ଏଣେ ପୂର୍ବତନ ସରପଞ୍ଚ ତଥା କଲ୍ୟାଣୀଙ୍କ ସମ୍ପର୍କୀୟ ଦିଅର ସଂଜୟ କୁମାର ଛୁରିଆ ବି ଏହି ଖବର ପାଇବା ପରେ ଏନେଇ ଗାଁ’ରେ ବୈଠକ ବସାଇ କଲ୍ୟାଣୀଙ୍କୁ ଫେରାଇ ଆଣିବା ପାଇଁ ଅଣ୍ଟା ଭିଡ଼ିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସବୁଠୁ ବଡ଼ କଥା ହେଉଛି ଚିକିତ୍ସାଧୀନ ଅବସ୍ଥାରେ ଦୀର୍ଘଦିନ ରହିବା ପରେ କଲ୍ୟାଣୀ ସୁସ୍ଥ ହୋଇ ଘରକୁ ଫେରିବାକୁ ଚାହିଁଥିଲେ। ତେବେ ଘରକୁ ଆସିବା ପାଇଁ କଲ୍ୟାଣୀ କହୁଥିଲେ ହେଁ, ବିଶାଖାପାଟଣାର ଡାକ୍ତର ଶୈଳେନ୍ଦ୍ର ରାୟ କଲ୍ୟାଣୀର ଭାଷାକୁ ବୁଝିପାରି ନଥିଲେ। ତେଣୁ ତା’ର ଭାଷାକୁ ରେକର୍ଡ କରି କମ୍ପ୍ୟୁଟର ଜ୍ଞାନ କୌଶଳର ଉପଯୋଗ ଦ୍ୱାରା କଲ୍ୟାଣୀଙ୍କ ଭାଷା ଓଡ଼ିଶାର ଏକ ଆଞ୍ଚଳିକ ଭାଷା ବୋଲି ଜାଣିବାକୁ ପାଇଥିଲେ। ପରେ ସେ ବିଶାଖାପାଟଣାରେ ଥିବା ଜାତୀୟ ରେଡ୍କ୍ରସର ସହଯୋଗ ନେଇଥିଲେ। ଫଳରେ ଦୀର୍ଘ ୪ ବର୍ଷ ତଳେ ନିଜ ମା’ ମରିଯିବାର ଦୁଃଖକୁ ମନେ ପକେଇ ଭାଳି ହେଉଥିବା ସନ୍ତାନମାନେ ଆଜି ତାଙ୍କ ମା’କୁ ଫେରି ପାଇଥିଲେ। ଆଜିର ଏହି ଘଟଣା ପରେ ରେଡ୍କ୍ରସ ଓଡ଼ିଶା ଶାଖାର ଅବୈତନିକ ସଚିବ ଡ.ଜ୍ଞାନବ୍ରତ ମହାନ୍ତି ରେଡ୍କ୍ରସ ପକ୍ଷରୁ ତାଙ୍କୁ ବହୁ ଘର କରଣା ଜିନିଷ ପ୍ରଦାନ କରିଥିଲେ। ଆସନ୍ତା ଦିନରେ କଲ୍ୟାଣୀ କିପରି ରୋଜଗାରକ୍ଷମ ହୋଇ ନିଜ ପିଲାଙ୍କ ଦାୟିତ୍ୱ ନେଇପାରିବ ସେନେଇ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।