ଭୁବନେଶ୍ବର: ରାଜଧାନୀର ଜଣାଶୁଣା କୁଖ୍ୟାତ ଅପରାଧୀ ଲକ୍ଷ୍ମୀସାଗର ଅଞ୍ଚଳର ସଂଗ୍ରାମ କେଶରୀ ପ୍ରଧାନ ଓରଫ୍ ବାବୁ(୩୯)କୁ କମିସନରେଟ୍ ପୁଲିସ ତଡ଼ିପାର୍ ଘୋଷଣା କରିଛି। ବର୍ଷେ ପର୍ଯ୍ୟନ୍ତ ବାବୁକୁ ରାଜଧାନୀ ଓ ଉପକଣ୍ଠରେ ଦେଖିବାକୁ ମିଳିବ ନାହିଁ ବୋଲି ପୁଲିସ ଘୋଷଣା କରିଛି। ଏହି ନିର୍ଦ୍ଦେଶକୁ ବାବୁ ଅମାନ୍ୟ କଲେ, ତା’ ବିରୋଧରେ କଠୋରରୁ କଠୋରତର କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଆଜି ଅଚାନକ କମିସନରେଟ୍ ପୁଲିସ ପକ୍ଷରୁ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜଧାନରର ବହୁ ଅପରାଧୀଙ୍କ ଭିତରେ ଛନକା ପଶିଛି। ବାବୁ ଭଳି ପ୍ରାୟ ୫୦ ଜଣଙ୍କ ତାଲିକା ହୋଇଛି ବୋଲି ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ ଲକ୍ଷ୍ମୀସାଗର ଲେଙ୍କାସାହି ପ୍ଲଟ ନମ୍ବର-୧୩୯ରେ ରହୁଥିବା ବାବୁ ଜଣେ ପେସାଦାର ଅପରାଧୀ। ତା’ ନାଁରେ ରାଜଧାନୀରେ ୧୧ରୁ ଅଧିକ ସଂଗିନ୍ ମାମଲା ରହିଛି। ଅଧିକାଂଶ ମାମଲା ବଟି ଆଦାୟକୁ ନେଇ। ବଟି ଆଦାୟ ପାଇଁ ବାବୁ ବନ୍ଧୁକ, ଭୁଜାଲିରେ ଆକ୍ରମଣ କରୁଥିଲା। ବିଶେଷକରି ବହୁ ବିଲ୍ଡର ଓ ବ୍ୟବସାୟୀଙ୍କୁ ସେ ଟାର୍ଗେଟ୍ କରୁଥିଲା। ଏମିତିକି ବହୁ ସମୟରେ ନିରୀହ ଲୋକେ ବି ବାବୁ ଆତଙ୍କରେ ବଳିପଡ଼ୁଥିଲେ। ୨୦୧୨ରୁ ୨୦୨୨ ମଧ୍ୟରେ ତା’ ନାଁରେ ଲକ୍ଷ୍ମୀସାଗର ଥାନାରେ ୧୧ ମାମଲା ରୁଜୁ ହୋଇଛି। ସେଗୁଡ଼ିକ ମଧ୍ୟରେ ରହିଛି ବନ୍ଧୁକ ଦେଖାଇ ଦାଦାବଟି ଆଦାୟ କରିବା, ଡକାୟତି, ଚୋରି, ଅସଦାଚରଣ ଓ ହତ୍ୟା ଉଦ୍ୟମ ଭଳି ମାମଲା। ସେ ଅଧିକାଂଶ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ କେତେକ ମାମଲାରେ ଜାମିନ୍ ପାଇଛି।