କଟକ: ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଜାତୀୟ ନେଟବଲ୍ କ୍ରିକେଟ ଫାଇନାଲରେ ତାମିଲନାଡୁକୁ ହରାଇ ଓଡିଶା ବିଜେତା ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ନିର୍ଦ୍ଧାରିତ ୧୫ ଓଭରରେ ତାମିଲନାଡୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୧୫ ଓଭରରେ ତାମିଲନାଡୁ ୮ ଓ୍ଵିକେଟ ବିନିମୟରେ ୧୨୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଓଡିଶା ୩ ଉଇକେଟ୍ରେ ୧୨୩ ରନ୍ କରି ବିଜୟୀ ହୋଇଥିଲା। ଏଥିରେ ଓଡିଶାର ସନ୍ତୋଷ ସେଠୀ ମ୍ୟାଚର ଶ୍ରେଷ୍ଠ ଖେଳାଳି ଏବଂ ଅରବିନ୍ଦ ସିଂହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ଘୋଷିତ ହୋଇଥିଲେ। ଗତ ୨୦ତାରିଖରୁ ଆରମ୍ଭ ହୋଇଥିବା ଏହି ଜାତୀୟ ପ୍ରତିଯୋଗିତାରେ ଓଡିଶା ସମେତ ତାମିଲନାଡୁ, ଝାଡଖଣ୍ଡ, ଛତିଶଗଡ, ହିମାଚଳ ପ୍ରଦେଶ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଅଂଶ ଗ୍ରହଣ କରିଥିଲେ। ଉଦ୍ଯାପନୀ ଉତ୍ସବରେ ସ୍ୱାମୀ ଶଙ୍କରାନନ୍ଦ ଗିରି ମୁଖ୍ୟଅତିଥି, ଡ୍ରିମ୍ସ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ ଓ ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର ଏବଂ କ୍ରୀଡା ନିର୍ଦ୍ଦେଶକ ନବକିଶୋର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଓଡିଶା ନେଟ୍ ବଲ କ୍ରିକେଟ ସଂଘର ସାଧାରଣ ସଂପାଦକ ବ୍ରଜକିଶୋର ଦାଶ, ସାଂଗଠନିକ ସଭାପତି ଅମିତ୍ ଦାସମହାପାତ୍ର, ସଂଗଠନ ସଂପାଦକ ହାପିନ୍ ପତ୍ର, ଡ୍ରିମ୍ସର ଲୋକ ସଂପର୍କ ଅଧିକାରୀ ନିରାକାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।