ଗୋଳନ୍ଥରା : ପ୍ରେମ ସଂପର୍କରୁ ବିବାହ ଓ ପରେ ପ୍ରତାରଣା। ଶେଷରେ ନ୍ୟାୟ ନମିଳିବାରୁ ବଧୂବେଶରେ ସ୍ବାମୀଙ୍କ ଘର ଆଗରେ ପତ୍ନୀ ଧାରଣାରେ ବସିଛନ୍ତି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସ୍ତ୍ରୀର ମାନ୍ୟତା ଓ ନ୍ୟାୟ ପ୍ରଦାନ ଦାବିରେ ଲକ୍ଷ୍ମୀ ମଣ୍ଡଳ ନାମକ ଜଣେ ଯୁବତୀ ଆଜି ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ରଙ୍ଗୁଣିସାହିରେ ଥିବା ଶାଶୂଘର ଆଗରେ ଧାରଣା ଆରମ୍ଭ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ପଞ୍ଚମା ଗ୍ରାମର ଲକ୍ଷ୍ମୀ ଓ ନୃସିଂହ ପ୍ରଧାନ ପ୍ରଧାନ ପରସ୍ପରକୁ ଭଲ ପାଉଥିଲେ। ତିନିବର୍ଷ ହେଲା ସେମାନଙ୍କ ମଧ୍ୟରେ ପ୍ରେମ ଓ ଶାରୀରିକ ସଂପର୍କ ରହିଥିଲା। ଗତବର୍ଷ ଡିସେମ୍ବର ମାସରେ ଉଭୟ ପରିବାରର ସମ୍ମତି କ୍ରମେ ନୋଟାରିଙ୍କ ନିକଟରେ କୋର୍ଟ ବିବାହ କରିଥିଲେ। କିନ୍ତୁ ପତ୍ନୀ ଲକ୍ଷ୍ମୀଙ୍କୁ ନୃସିଂହ ତାଙ୍କ ଘରକୁ ନେଇ ନଥିଲେ। ଯାହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ଶାଶୂଘର ଲୋକ ଗ୍ରହଣ କରୁ ନଥିବାରୁ ଲକ୍ଷ୍ମୀ ଗୋଳନ୍ଥରା ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ସହ ସ୍ବାମୀ ନୃସିଂହଙ୍କୁ ଗିରଫ କରି ଜେଲ୍ ପଠାଯାଇଥିଲା। ତଥାପି କୌଣସି ସୁଫଳ ମିଳି ନଥିଲା। ଲକ୍ଷ୍ମୀଙ୍କୁ ଘରକୁ ନେବା ଲାଗି ଶାଶୂଘର ଲୋକ ଓ ନୃସିଂହ ରୋକ୍ଠୋକ୍ ମନା କରି ଦେଇଥିଲେ।
ଶେଷରେ ନିରୁପାୟ ହୋଇ ଆଜି ଲକ୍ଷ୍ମୀ ଶଙ୍ଖା, ସିନ୍ଦୂର ଓ ମଙ୍ଗଳସୂତ୍ର ପିନ୍ଧି ବଧୂବେଶରେ ସ୍ବାମୀ ନୃସିଂହଙ୍କ ଘର ସାମ୍ନାରେ ଧାରଣା ଆରମ୍ଭ କରିଛନ୍ତି। ଆଉ ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ସାମିଲ ହୋଇଛନ୍ତି। ନ୍ୟାୟ ନମିଳିବା ଯାଏ ଧାରଣା ଜାରି ରହିବ। ଆସନ୍ତାକାଲିଠୁ ପିଣ୍ଡାରେ ରୋଷେଇ କରିବେ ବୋଲି ଲକ୍ଷ୍ମୀ କହିଛନ୍ତି। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏ ନେଇ ସ୍ବାମୀ ନୃସିଂହଙ୍କ ପ୍ରତିକ୍ରିୟା ମିଳିପାରିନି।