ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରୁ ଆଜ୍ଞାପାଇ ଲକ୍ଷ୍ମୀ ଯେଉଁ ନଗର ବୁଲିଲେ, ତାହା “ଷାଠିଏ ସହସ୍ର ଘର ଦ୍ୱାରାବତୀପୁର”। ତାହାକୁ ବଳରାମ ଦାସ କହିଛନ୍ତି, “ବଡ଼ ନଗ୍ର”। ତାଙ୍କ ‘ଲକ୍ଷ୍ମୀପୁରାଣ’ର ସେହି ପଦଟି ହେଉଛି-
“ଶ୍ରୀମୁଖରୁ ଆଜ୍ଞା ପାଇ ହରିର ଘରଣୀ
ବଡ଼ ନଗ୍ର ବୁଲିବାକୁ ଗଲେ କମଳିଣୀ।”
କିନ୍ତୁ ସେହି ବଡ଼ ନଗ୍ରରେ ସେ କ’ଣ ଦେଖିଲେ? ବଳରାମ ଦାସ କହିଛନ୍ତି-
“ସବୁ ଦ୍ୱାରୁ ପରମ ଲକ୍ଷ୍ମୀ ଫେରିଗଲେ
ଆଚାରବନ୍ତ ବୋଲି କାହାକୁ ହିଂ ନଦେଖିଲେ।”
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବସୂଚିତ, ଯେ ‘ଲକ୍ଷ୍ମୀପୁରାଣ’ର ଯେଉଁ ସର୍ବପ୍ରାଚୀନ ଦୁଇଟି ପୋଥି ମିଳିଛି, ତାହାର ନକଲ ବା ଲିଖନ ସମୟ ହେଉଛି ୧୮୦୬ ଓ ୧୮୧୨ ଖ୍ରୀଷ୍ଟାବ୍ଦ। ସେଥିରେ ଦେବୀ ଲକ୍ଷ୍ମୀ ପୁରୀ ନଗ୍ରର କେଉଁ କେଉଁ ସାହି ବୁଲିଲେ, ତାହାର ବିବରଣୀ ନାହିଁ। କିନ୍ତୁ ସଂପାଦକବୃନ୍ଦଙ୍କ ସୂଚନା ଅନୁସାରେ, ପରବର୍ତ୍ତୀ କାଳରେ ପୋଥିର ଯେଉଁସବୁ ପ୍ରତିଲିପି ପ୍ରସ୍ତୁତ ହୋଇଛି- ସେଥିରେ ଲିଖନକାରମାନେ ପୁରୀର କେତେକ ସାହିର ନାମ ଯୋଡ଼ିଦେଇଛନ୍ତି। ପରବର୍ତ୍ତୀ କାଳର ପୋଥିରେ ଥିବା ସେହିସବୁ ସାହି ହେଉଛି- ଦଇତା ସାହି, ବ୍ରାହ୍ମଣ ସାହି, ଚଣ୍ଡାଳ ସାହି, କବୀର ସାହି ଇତ୍ୟାଦି। ଏଥିରୁ, ଦଇତା ସାହି ଦଇତାପଡ଼ା ସାହି ନାମରେ ଏବଂ ଚଣ୍ଡାଳ ସାହି ହାଡ଼ିସାହି ନାମରେ ଏବେ ବି ଅଛି।
ସେହିସବୁ ପୋଥିରେ ଥିବା ବର୍ଣ୍ଣନା ଅନୁସାରେ, ଲକ୍ଷ୍ମୀଙ୍କ ଉଆସ ବା ଶ୍ରୀମନ୍ଦିର ବାହାରେ ଥିବା ଏହି ସବୁ ସାହି ଲକ୍ଷ୍ମୀ ବୁଲିଲେ। ଗୋଟିଏ ସାହିରୁ ଅନ୍ୟ ସାହି ଗଲେ। ମାତ୍ର କେହି ନିଦରୁ ଉଠି ନଥିବା ଦେଖି ଆଶ୍ଚର୍ଯ୍ୟ ହେଲେ। କ’ଣ କରୁଛନ୍ତି ଏମାନେ ଏତେବେଳ ଯାଏ? ସକାଳ ହେଲାଣି, ତଥାପି ଶୋଇଛନ୍ତି? କୌଣସି କୌଣସି ପୋଥିରେ ବର୍ଣ୍ଣନା ବି ଅଛି, ଯେ କବାଟ ଫାଙ୍କ ଦେଇ ଲକ୍ଷ୍ମୀ ଘର ଭିତରକୁ ଚାହିଁ ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ। ବେଶ ଓ ବସନରେ ପ୍ରତ୍ୟେେକ ବିଶୃଙ୍ଖଳ। ତାଙ୍କ ମନରେ କ୍ଷୋଭ।
ବଳରାମ ଦାସ ଏହାର ଦୀର୍ଘ ବର୍ଣ୍ଣନା କରି ନାହାନ୍ତି। କେବଳ ଏତିକି କହିଛନ୍ତି-“କେବଣ ଯୁବତୀ ଯେ ନିଦ୍ରାରୁ ଉଠି ନାହିଂ
ଅଗଣା ଖରକି ଦ୍ୱାରେ ଛେଡ଼ା ଦେଇନାହିଂ।”
ଆଉ ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ ଦୃଶ୍ୟ କିନ୍ତୁ ସେ ବର୍ଣ୍ଣନା କରିଛନ୍ତି। ତାହା ହେଉଛି-
“ସାତ ପାଂଚ ନାରୀମାନେ ୟେକରୁଣ୍ଡ ହୋଇ
କେ ବୋଲଇ ସଙ୍ଘାତ ଗୋ କେ ବୋଲଇ ସହି।
ସୁଦଶାବ୍ରତ କଲେ ଗୋ କି ଫଳ ମିଳଇ
ତାହା ଶୁଣି ପରମଲକ୍ଷ୍ମୀ ନ ପାରିଲେ ସହି।
ବୋଇଲେ ମୋହର ବ୍ରତ ଘେନି ୟେକ ନାହିଂ
ବିମୁଖ ହୋଇଣ ମହାଲକ୍ଷ୍ମୀ ବେଗେ ଯାଇଂ।”
ପୂର୍ବସୂଚିତ, ଯେ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର କାହାଣୀ ଆରମ୍ଭ ହୋଇଛି ମେଷ ଶୁକ୍ଳ ଦଶମୀ, ଗୁରୁବାରରେ। ଶୁକ୍ଳ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ସେଦିନ ସୁଦଶାବ୍ରତ ପାଳିତ ହୁଏ। ତେଣୁ ବଳରାମ ଦାସଙ୍କର ଏ ବର୍ଣ୍ଣନା ‘ଲକ୍ଷ୍ମୀପୁରାଣ’ର କଥାଭାଗର ସେହି ତିଥିକୁ ପୁନଶ୍ଚ ପୁଷ୍ଟ କରୁଛି। ଅଥଚ, ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ରେ ଉଲ୍ଲେଖ ଅଛି, ଯେ ଏହା ମାର୍ଗଶିର ମାସ ଗୁରୁବାର। ସେଥିରେ କୁହାଯାଇଛି-
“ସେହିଦିନ ମାର୍ଗଶିର ମାସ ଗୁରୁବାର।
ପର୍ବ ପଡ଼ିଥିଲା ସର୍ବ ପୁରବାସୀଙ୍କର।”
ଆହୁରି ମଧ୍ୟ ଲେଖା ଅଛି-
“ଏକଦିନେ ଜଗନ୍ନାଥ ପାଶେ ଲକ୍ଷ୍ମୀ ଥିଲେ।
କରପତ୍ର ଯୋଡ଼ିଣ ତାହାଙ୍କୁ ଜଣାଇଲେ।ା
ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ।
ତୁମ୍ଭେ ଆଜ୍ଞା ଦେଲେ ନଗ୍ର ବୁଲିଯିବି ମୁହିଁ।ା”
କେବଳ ଏତିକି ନୁହେଁ; ଦେବୀଲକ୍ଷ୍ମୀ ନଗ୍ରବୁଲିଲା ବେଳେ କ’ଣ ଦେଖିଲେ ତାହା ମଧ୍ୟ ମନରୁ ଫାନ୍ଦି ବହୁ ବିସ୍ତୃତ ଭାବରେ ବଜାର ସଂସ୍କରଣରେ ଯୋଡ଼ି ଦିଆଯାଇଛି।