ମୁମ୍ବାଇ: ସେଣ୍ଟ୍ ଜର୍ଜ ହସ୍ପିଟାଲ୍ ତଳେ ଏକ ୨୪୦ ବର୍ଷର ସୁଡ଼ଙ୍ଗ ରହିଛି। ତାହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭୀର ଚିନ୍ତା ପ୍ରକଟ କରିଛି। ଏହି ସୁଡ଼ଙ୍ଗକୁ ବ୍ରିଟିଶ ସରକାରଙ୍କ ଅମଳରେ ନିର୍ମାଣ କରାଯାଇଥିଲା। ଦେଢ଼ କିଲୋମିଟରର ଏହି ସୁଡ଼ଙ୍ଗର କୌଣସି ବାଟ ରିଜର୍ଭ ବ୍ୟାଙ୍କ ପର୍ଯ୍ୟନ୍ତ ଅଛି କି ନାହିଁ ତାହା ରିଜର୍ଭ ବ୍ୟାଙ୍କ ଜାଣିବାକୁ ଚାହୁଁଛି। ରିଜର୍ଭ ବ୍ୟାଙ୍କ ଭାବୁଛି ଯେ ଏହି ସୁଡ଼ଙ୍ଗକୁ ଚୋରି କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଇପାରେ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏବିଷୟରେ ସେଣ୍ଟ୍ ଜର୍ଜ ହସ୍ପିଟାଲ୍କୁ ଏକ ଚିଠି ଲେଖାଯାଇଛି। ହସ୍ପିଟାଲ୍ର ଓ୍ଵାଡ-୫ର ମଧ୍ୟ ଭାଗରେ ଥିବା ଏହି ସୁଡ଼ଙ୍ଗ କେଉଁଠାରୁ ଆରମ୍ଭ ହୋଇଛି ଏବଂ କେଉଁ କେଉଁ ଆଡ଼େ ଯାଇଛି ତାହାର ମ୍ୟାପିଂ କରାଇବା ପାଇଁ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ସହାୟତା ନେବାକୁ ରିଜର୍ଭ ବ୍ୟାଙ୍କ ହସ୍ପିଟାଲ୍ କର୍ତୃପକ୍ଷଙ୍କୁ କହିଛି। ରିଜର୍ଭ ବ୍ୟାଙ୍କ ପରିସରରେ ଥିବା ଏଭଳି ସୁଡ଼ଙ୍ଗ ଜାତୀୟ ସମ୍ପତ୍ତି ପ୍ରତି ବିପଦ। ଏହାକୁ ସିଲ୍ କରାଯିବା ଦରକାର କିମ୍ବା ଆବଶ୍ୟକ ସୁରକ୍ଷା ପ୍ରଦାନ କରାଯିବା ଦରକାର ବୋଲି ରିଜର୍ଭ ବ୍ୟାଙ୍କ ଭାବୁଛି।