ଜି-୨୦ର ପ୍ରଥମ ନିଯୁକ୍ତି କାର୍ଯ୍ୟ ଗୋଷ୍ଠୀ ବୈଠକ

ଭୁବନେଶ୍ବର : ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ୨ ରୁ ୪ ଫେବ୍ରୁଆରି ୨୦୨୩ ପର୍ଯ୍ୟନ୍ତ ଯୋଧପୁରରେ ପ୍ରଥମ ନିଯୁକ୍ତି କାର୍ଯ୍ୟ ଗୋଷ୍ଠୀ ବୈଠକ ଆୟୋଜିତ ହେଉଛି । ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ନିଯୁକ୍ତି କାର୍ଯ୍ୟ ଗୋଷ୍ଠୀ (ଇଡବ୍ଲ୍ୟୁଜି) ନିମନ୍ତେ ଆଲୋଚନାର ନେତୃତ୍ୱ ନେଉଛି, ଯାହା ନିକଟରେ ପ୍ରାଥମିକତା ଭିତ୍ତିକ ଶ୍ରମ, ନିଯୁକ୍ତି ଏବଂ ସାମାଜିକ ପ୍ରସଙ୍ଗକୁ ସମ୍ବୋଧିତ କରିବାର ଜନାଦେଶ ରହିଛି। ଆଜି ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା “ବିଶ୍ୱ ସ୍ତରୀୟ ଦକ୍ଷତା ଏବଂ ଯୋଗ୍ୟତା ସୁସଂଗତିକରଣ ପାଇଁ ରଣନୀତି ଅନୁସନ୍ଧାନ ଏବଂ ସାଧାରଣ ଦକ୍ଷତା ବର୍ଗୀକରଣ ପାଇଁ ଏକ ଢାଂଚା ବିକାଶ କରିବା’ ଉପରେ ଧ୍ୟାନ କେନ୍ଦ୍ରିତ କରି ଏକ ପ୍ୟାନେଲ ଆଲୋଚନା ଆୟୋଜିତ ହୋଇଥିଲା । ପ୍ୟାନେଲ୍‌ର ସଦସ୍ୟମାନେ ନିଯୁକ୍ତି କାର୍ଯ୍ୟ ଗୋଷ୍ଠୀ ନିମନ୍ତେ ଭାରତୀୟ ଅଧ୍ୟକ୍ଷତା ଦ୍ୱାରା ଚୟନ କରା ଯାଇଥିବା ପ୍ରାଥମିକତା କ୍ଷେତ୍ର, ଅର୍ଥାତ୍ “ବିଶ୍ୱ ସ୍ତରୀୟ କୌଶଳ ବ୍ୟବଧାନକୁ ସମ୍ବୋଧିତ କରିବା’ ଉପରେ ଅନ୍ତର୍ଦୃଷ୍ଟି ଏବଂ ବିଚାର ବିନିମୟ କରିଛନ୍ତି।

ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଅତୁଲ କୁମାର ତିୱାରୀ ଏହି ଆଲୋଚନାର ଅଧ୍ୟକ୍ଷତା ଏବଂ ପରିଚାଳନା କରିଥିଲେ, ଯିଏକି ଏହି କାର୍ଯ୍ୟକ୍ରମ ନିମନ୍ତେ ବ୍ୟବହାରିକ ମାର୍ଗଦର୍ଶନ ମଧ୍ୟ ପ୍ରଦାନ କରିଥିଲେ । ଏହି ପ୍ୟାନେଲରେ ସମ୍ପୃକ୍ତ କ୍ଷେତ୍ରର ବିଶିଷ୍ଟ ନେତୃମଣ୍ଡଳୀ ସାମିଲ ହୋଇଥିଲେ, ଯେଉଁ ମାନଙ୍କ ମଧ୍ୟରେ ଥିଲେ, ଇଣ୍ଡୋନେସିଆ ଗଣରାଜ୍ୟର ମାନବ ଶକ୍ତି ମନ୍ତ୍ରଣାଳୟର ଦକ୍ଷତା, ମାନକୀକରଣ ଏବଂ ତାଲିମ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ମୁଚତାର ଅଜିସ୍‌, ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନ (ଓଇସିଡି)ର ନିଯୁକ୍ତି, ଶ୍ରମ ଏବଂ ସାମାଜିକ ବ୍ୟାପାର ନିର୍ଦ୍ଦେଶକ ଷ୍ଟେଫାନୋ ସ୍କାରପେଟ୍ଟା, ଜାତୀୟ ଶିକ୍ଷା ପ୍ରଯୁକ୍ତି ମଂଚ (ଏନ୍‌ଇଟିଏଫ୍‌) ର ଅଧ୍ୟକ୍ଷ ଅନୀଲ ଡି ସହସ୍ରବୁଦ୍ଧେ, ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ) ର ଦକ୍ଷତା ଏବଂ ନିଯୁକ୍ତି ବିଶେଷଜ୍ଞ କ୍ରିଷ୍ଟିନ୍ ହଫମାନ ଏବଂ ଟିମ୍ ଲିଜ୍‌ର ଉପାଧ୍ୟକ୍ଷ ମନୀଷ ସଭରୱାଲ। ଜି-୨୦ ଦେଶଗୁଡିକରୁ, ଅତିଥି ଦେଶ ଗୁଡିକରୁ, ଆନ୍ତର୍ଜାତିକ ତଥା ଜାତୀୟ ସଂଗଠନ ମାନଙ୍କ ପ୍ରତିନିଧିମାନେ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଆନ୍ତର୍ଜାତିକ ତଥା ଜାତୀୟ ବିଶେଷଜ୍ଞମାନେ ଏହି ଆଲୋଚନାରେ ଯୋଗ ଦେଇଥିଲେ । ବିଭିନ୍ନ କେନ୍ଦ୍ର ଏବଂ ରାଜ୍ୟ ସରକାରୀ ଏଜେନ୍ସିର ଅଧିକାରୀ ସମୂହ , ଶିଳ୍ପ ସଂସ୍ଥା ଗୁଡିକର ପ୍ରତିନିଧି, ଶିକ୍ଷାବିତ୍ ଏବଂ ଲେବର – ୨୦ ଏନଗେଜମେଂଟ ଗ୍ରୁପର ଅଧ୍ୟକ୍ଷ ମଧ୍ୟ ଏଥିରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର