ଭୁବନେଶ୍ୱର : ଭାରତରେ ଅବସ୍ଥାପିତ ଦକ୍ଷିଣ ଆଫ୍ରିକା ଉଚ୍ଚାୟୁକ୍ତ ଫ୍ରେନ୍ସ ମରୁଲେଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ଅବସରରେ ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଦକ୍ଷିଣ ଆଫ୍ରିକାର ବ୍ଲୋଏମ୍ଫଣ୍ଟେନ୍ ସହର ସହ ଭୁବନେଶ୍ୱରକୁ ସିଷ୍ଟର୍-ସିଟି ଭାବରେ ଗ୍ରହଣ କରିବାକୁ ଯୋଜନା ରଖାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି। ଏହି ଯୋଜନା ଦ୍ୱାରା ଭୁବନେଶ୍ୱର ଏବଂ ବ୍ଲୋଏମ୍ଫଣ୍ଟେନ ସହ ନଗର ଉନ୍ନୟନ ସଂପର୍କିତ ବିଭିନ୍ନ ପ୍ରକଳ୍ପକୁ ସଂଯୋଗ କରାଯାଇପାରିବ। ଅନ୍ତର୍ଜାତୀୟ ଅଭିଜ୍ଞତା ଏବଂ ପରସ୍ପର ସହଯୋଗରେ ନଗର ଉନ୍ନୟନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ଚୁକ୍ତିନାମା ରହିଛି। ଯେଉଁଥିରେ ଉଭୟ ରାଷ୍ଟ୍ର ଯେକୌଣସି ଗ୍ରାମାଞ୍ଚଳ ତଥା ସହରରେ ସିଧାସଳଖ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନେଇପାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀଯୁକ୍ତ ମରୁଲେ ଦକ୍ଷିଣ ଆଫ୍ରିକାର ବିଭିନ୍ନ ସହରର ପ୍ରକଳ୍ପ ସହ ସୋଲାର୍ ସିଟି ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବ୍ଲୋଏମ୍ଫଣ୍ଟେନ ସହରର ମେୟର ଭାବରେ କାର୍ଯ୍ୟ କରିବା ସମୟରେ ଉକ୍ତ ସହରକୁ ସବୁଜିମାରେ ଭରିଥିଲେ, ଯାହାକି ଏବେ ସିଟି ଅଫ୍ ରୋଜେସ୍ ନାମରେ ପ୍ରସିଦ୍ଧି ଲାଭ କରିଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମରୁଲେଙ୍କ ଏହି ଗସ୍ତ ସମୟରେ ଭୁବନେଶ୍ୱର ସହରର ବିକାଶ ନେଇ ରାଜ୍ୟ ସରକାରଙ୍କ ସହ ଏକ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଏ ନେଇ ଆଲୋଚନା ଚାଲିଛି।
ବିଏମ୍ସି କାର୍ଯ୍ୟାଳୟରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ଦକ୍ଷିଣ ଆଫ୍ରିକା ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା ଶରତ ପ୍ରଧାନ, ଆଇକ୍ୟୁଏମ୍ଏସ୍ର ଦେବବ୍ରତ ପାଣିଗ୍ରାହୀ, ଅତିରିକ୍ତ କମିଶନର ଆଲୋକ କର, ଶ୍ରୀମନ୍ତ ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା ଶ୍ରୀ ମରୁଲେଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ବିଏମ୍ସି ଓ ସ୍ମାର୍ଟ ସିଟି ସଂପର୍କରେ ତାଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା।