କଟକ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ତହସିଲ ଅନ୍ତର୍ଗତ ଛୋଟୀ ପଞ୍ଚାୟତରେ ସରକାରୀ ଆୟୁରର୍ବେଦିକ ଡିସ୍ପେନ୍ସରି ସରକାରୀ ଜମିରେ ନିର୍ମାଣ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏକ ବିବାଦୀୟ ତଥା ଅପେକ୍ଷାକୃତ ଛୋଟ ବ୍ୟକ୍ତିଗତ ଜମିରେ ଏହି ଡିସପେନସରି ନିର୍ମାଣ ପାଇଁ ମସୁଧା ଚଳାଇଥିବା ବେଳେ ଏହାକୁ ବିରୋଧ କରି ଛୋଟୀ ପଞ୍ଚାୟତର ସରପଞ୍ଚ କୁମର ଚରଣ ବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଦର୍ଶାଇଛନ୍ତି ଯେ ୨୦୦୪ ମସିହାରୁ ପ୍ରତିଷ୍ଠିତ ସରକାରୀ ଆୟୁର୍ବେଦିକ ଡିସପେନସରି ଛୋଟୀ ପଞ୍ଚାୟତର ଯୁବକ ସଂଘ ଗୃହରେ ଅସ୍ଥାୟୀ ଭାବେ ଚାଲିଛି। ଡିସପେନସରିର ନିଜସ୍ୱ ଗୃହ ନିର୍ମାଣ ପାଇଁ ଅର୍ଥ ବିଭାଗ ଅର୍ଥ ମଞ୍ଜୁର କରିବା ପରେ କଟକ ସର୍କଲ ଆୟୁର୍ବେଦିକ ମେଡିକାଲ ଅଫିସର ଏଥି ପାଇଁ ଜମି ଯୋଗାଇ ଦେବା ଲାଗି କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ୨୦୧୭, ସେପ୍ଟେମ୍ବର ୮ରେ ଚିଠି ଲେଖିଥିଲେ। ଏହା ପରେ ୨୦୧୭, ସେପ୍ଟମ୍ବର ୨୬ରେ କେନ୍ଦ୍ରାପଡା ଏଡିଏମ୍ ଡେରାବିଶ ତହସିଲଦାରଙ୍କୁ ଉପଯୁକ୍ତ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସରକାରଙ୍କ ନାଁରେ ଥିବା ପ୍ଲଟ ନମ୍ବର ୧୨୬୯ (ଏ ୦.୨୪୦ ଡିସିମିଲ)କୁ ଡିସପେନସରି ପାଇଁ ଚିହ୍ନଟ କରାଯାଇଥିଲା। ୨୦୧୭, ନଭେମ୍ବର ୧୪ରେ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜମି ଚୟନ କମିଟି ବୈଠକରେ ଆର୍ଡି ନର୍ବାହୀ ଯନ୍ତ୍ରୀ, ସ୍ଥାନୀୟ ମେଡିକାଲ ଅଫିସର, ଡେରାବିଶ ବିଡିଓ, ତହସିଲଦାର ଓ କଟକ ସର୍କଲ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କ ଉପସ୍ଥିତ ରହି ଚିହ୍ନଟ କରାଯାଇଥିବା ସରକାରୀ ପ୍ଲଟରେ ଡିସପେନସରି ନିର୍ମାଣ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଜମି ଉପରେ ଏହି ଡିସପେନସରି ନିର୍ମାଣ ପାଇଁ ମସୁଧା କରାଯାଇଥିଲା। ସଂପୃକ୍ତ ବ୍ୟକ୍ତି ୨୦୧୪ରେ ଦତ୍ତପତ୍ର ଜରିଆରେ ଏ ୦.୧୨୦ ଡିସିମିଲ ଜମି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରତିନିଧି ତଥା କଟକ ସର୍କଲ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କୁ ପ୍ରଦାନ କରିଥିଲେ। ଯଦି ଏହି ଜମିରେ ନିର୍ମାଣ ହେବାକୁ ଥିବା ମେଡିକାଲ କୌଣସି କାରଣରୁ ବନ୍ଦ ହୋଇଯାଏ ତେବେ ଜମି ପୁଣି ମୂଳ ମାଲିକଙ୍କ ନିକଟକୁ ଫେରିଯିବ ବୋଲି ସର୍ତ୍ତ ରଖାଯାଇଥିଲା।
ଏଥି ସହିତ ସ୍ୱାସ୍ଥ୍ୟ ବିଭାଗ ନାଁରେ ଏହି ଜମି ମ୍ୟୁଟେସନ୍ ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ। ଏ ସଂପର୍କିତ ମ୍ୟୁଟେସନ୍ ଆବେଦନକୁ ଡେରାବିଶ ତହସିଲଦାର ଗତ ବର୍ଷ ସେପ୍ଟମ୍ବର ୨୧ରେ ଖାରଜ କରିଥିଲେ। ଫଳରେ ଏହି ଜମି ଏ ପର୍ଯ୍ୟନ୍ତ ସରକାରଙ୍କ ନାଁରେ ରେକର୍ଡଭୁକ୍ତ ହୋଇ ପାରି ନାହିଁ। ଅନ୍ୟପକ୍ଷରେ ଏପରି ବିବାଦୀୟ ଜମି ଉପରେ ଡିସପେନସରି ନିର୍ମାଣ ନ କରି ଚିହ୍ନଟ କରାଯାଇଥିବା ସରକାରୀ ଜମି ଉପରେ ଏହା ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଥିଲେ। ସରକାରୀ ଜମି ଅପେକ୍ଷାକୃତ ବଡ ହୋଇଥିବା ବେଳେ ଭବିଷ୍ୟତରେ ଡିସପେନସରିର ସଂପ୍ରସାରଣ ମଧ୍ୟ ସେଠାରେ ସମ୍ଭବ। ଏଥି ସହିତ ଯାତାୟତ ଓ ଅନ୍ୟନ୍ୟ ସୁବିଧା ମଧ୍ୟ ସରକାରୀ ଜମିରେ ରହିଛି। ଏପରି ପରିସ୍ଥିତିରେ ଚିହ୍ନଟ ଏ ୦.୨୪୦ ଡିସିମିଲର ଜମିକୁ ଅଣଦେଖା କରି ଅନ୍ୟ ଛୋଟ ପ୍ଲଟରେ ଡିିସପେନସରି ନିର୍ମାଣକୁ ବିରେଧ କରି ଗ୍ରାମବାସୀ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ କରିବା ପରେ କିଛି ସୁଫଳ ମିଳି ପାରି ନଥିଲା। ଏହାପରେ ସ୍ୱାସ୍ଥ୍ୟ ସଚିବ, ଅୟୁଷ ନିର୍ଦ୍ଦେଶକ, କେନ୍ଦ୍ରାପଡା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଡସଏମ୍, ଡେରାବିଶ ତହସିଲଦାର, ବିଡିଓଙ୍କୁ ପକ୍ଷଭୁକ୍ତ କରି ସରପଞ୍ଚଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି।