୨୦୧୨ ‘୨ଜି ସ୍ପେକ୍ଟ୍ରମ’ ଆବଣ୍ଟନ ରାୟ: ସଂଶୋଧନ ପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର

ପ୍ରଶାସନିକ ପ୍ରକ୍ରିୟାରେ ବଣ୍ଟନ ପାଇଁ ଆବେଦନ

ନୂଆଦିଲ୍ଲୀ: ୨୦୧୨ ମସିହା ‘୨ଜି ସ୍ପେକ୍ଟ୍ରମ’ ଆବଣ୍ଟନ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ସଂଶୋଧନ ପାଇଁ କେନ୍ଦ୍ର ସରକାର ଆବେଦନ କରିଛନ୍ତି। ଉକ୍ତ ରାୟରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ନିଲାମ ଜରିଆରେ ସ୍ପେକ୍ଟ୍ରମ ସମ୍ବଳର ଆବଣ୍ଟନ କରାଯିବ। ୨୦୧୨ ରାୟ‌ରେ ମଧ୍ୟ ‌ସୁପ୍ରିମକୋର୍ଟ ଉପା ସରକାରଙ୍କ ଅମଳରେ ବିଭିନ୍ନ କମ୍ପାନିକୁ ପୂର୍ବରୁ ପ୍ରଦାନ କରାଯାଇଥିବା ୨ଜି ସ୍ପେକ୍ଟ୍ରମକୁ ବାତିଲ କରି ଦେଇଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ପ୍ରାକୃତିକ ସମ୍ବଳର ହସ୍ତାନ୍ତର ବା ପୃଥକୀକରଣ କରାଯିବା ସମୟରେ ସରକାର ନିଲାମ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ। ଏଥିପାଇଁ ବ୍ୟାପକ ପ୍ରସାର କରାଯିବ ଯାହାଦ୍ବାରା ସମସ୍ତ ଯୋଗ୍ୟ ବ୍ୟକ୍ତି ଏଥିରେ ଭାଗ ନେଇପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହି ରାୟରେ ସଂଶୋଧନ କରିବାକୁ କେନ୍ଦ୍ର ସରକାର ଏବେ ଯୁକ୍ତି ରଖିଛନ୍ତି ଯେ ଯଦି “ସରକାରୀ କାର୍ଯ୍ୟ କିମ୍ବା ଜନସ୍ୱାର୍ଥ” ପାଇଁ ସ୍ପେକ୍ଟ୍ରମ ଉଦ୍ଦିଷ୍ଟ ତାହା ପ୍ରଶାସନିକ ପ୍ରକ୍ରିୟା ମାଧ୍ୟମରେ ପ୍ରଦାନ କରାଯାଇପାରିବ। ସେହିଭଳି ଯଦି ବୈଷୟିକ କିମ୍ବା ଅର୍ଥନୈତିକ କାରଣରୁ ନିଲାମକୁ ପସନ୍ଦ କରାଯାଇ ପାରିବ ନାହିଁ ତାହେଲେ ତାହାକୁ ପ୍ରଶାସନିକ ଉପାୟରେ ଆବଣ୍ଟନ କରାଯିବ।

ଉଲ୍ଲେଖଯୋଗ୍ୟ, ୨ଜି ସ୍ପେକ୍ଟ୍ରମ ସ୍କାମ ସେତେବେଳେ ଦେଶରେ ଚର୍ଚ୍ଚାରେ ଥିଲା। ୨୦୦୮ ମସିହାରେ ୧୨୨ଟି ୨ଜି ଲାଇସେନ୍ସ ଟେଲିକମ୍‌ କମ୍ପାନିଙ୍କୁ ପ୍ରଦାନ କରାଯାଇଥିଲା। ୨୦୦୧ର ମୂଲ୍ୟରେ ଏବଂ ପ୍ରଥମେ ଆସୁଥିବା ବ୍ୟକ୍ତିଙ୍କୁ ପ୍ରଥ‌ମେ ପ୍ରଦାନ ନୀତିରେ ଏହା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପା ସରକାରରେ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଥିବା କପିଲ ଶିବଲ ୨୦୧୧ରେ କହିଥିଲେ ଏହି ନୀତିରେ ଲାଇସେନ୍ସ ପ୍ରଦାନ ଦ୍ବାରା ସରକାରଙ୍କୁ ଆଦୌଁ କ୍ଷତି ହୋଇନାହିଁ। କିନ୍ତୁ ୨୦୧୨ରେ ସୁପ୍ରିମକୋର୍ଟଙ୍କ ଦ୍ବାରା ୧୨୨ଟି ଯାକ ଲାଇସେନ୍ସକୁ ବାତିଲ କରି ଦିଆଯାଇଥିଲା। ସେତେବେଳେ ଏହା ଏକ ପ୍ରମୁଖ ଦୁର୍ନୀତି ପ୍ରସଙ୍ଗ ଭାବେ ଦେଶର ରାଜନୀତିକୁ ସରଗରମ କରିଥିଲା। ସରକାରୀ ଓ ବିରୋଧୀ ଦଳ ପରସ୍ପର ବିରୋଧରେ ଏହି ପ୍ରସଙ୍ଗକୁ ନେଇ କାଦୁଅ ଫିଙ୍ଗା ଆରମ୍ଭ କରିଦେଇଥିଲେ। ୨୦୧୪ ନିର୍ବାଚନରେ ଉପା ସରକାରଙ୍କ ପରାଜୟର ଏହା ଏକ ପ୍ରମୁଖ କାରଣ ବୋଲି ରାଜନୀତିଜ୍ଞମାନେ ମତ ଦେଇଥାନ୍ତି।

ସମ୍ବନ୍ଧିତ ଖବର