ଜଳ, ପରିମଳ ପାଇଁ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକୁ ଆହ୍ବାନ

ଭୁବନେଶ୍ବର: ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ବିକଶିତ କରିବା ଲାଗି ‌ପରିବାରଗୁଡ଼ିକୁ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦିଆଯାଇଛି। ଏକ୍ଷେତ୍ରରେ ଋଣ ଆବଣ୍ଟନ କରିବା ଲାଗି ବ୍ୟାଙ୍କ ପାଖରେ ବିପୁଳ ସୁଯୋଗ ରହିଛି। ଆଜି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି), ଓଡ଼ିଶା ଜୀବିକା ମିସନ, ୟୁନିସେଫ୍‌ ଓ ୱାଟର ଡଟ୍‌ ଓଆର୍‌ଜି ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିବା ରାଜ୍ୟସ୍ତରୀୟ କର୍ମଶାଳାରେ ବକ୍ତାମାନେ ଏହି ଆହ୍ବାନ ଦେଇଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ ଏଭଳି ଋଣ ଦେବାକୁ ମଧ୍ୟ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଜଳ, ପରିମଳ ପାଇଁ ଫାଇନାନ୍ସର ବ୍ୟବସ୍ଥା କରିବା ଲାଗି ୱାଟର ଡଟ୍‌ ଓଆର୍‌ଜି ପକ୍ଷରୁ ରାଜ୍ୟରେ ଛଅଟି ଆର୍ଥିକ ଅନୁଷ୍ଠାନ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହି ସଂସ୍ଥାଗୁଡ଼ିକୁ ୨୦୫ କୋଟି ଟଙ୍କାର ଋଣ ଆବଣ୍ଟନ କରିଛନ୍ତି। ରାଜ୍ୟର ୬ଟି ଜିଲ୍ଲାର ୪୯ଟି ବ୍ଲକ୍‌ରେ ଏଭଳି ଋଣର ବ୍ୟବସ୍ଥା କରାଇବା ଲାଗି ଏହି ସଂସ୍ଥା କାର୍ଯ୍ୟ କରୁଛି। ଆଗାମୀ ଦିନରେ ସେହି ସଫଳତାକୁ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ଦୋହରାଇବାକୁ ମଧ୍ୟ ଯୋଜନା ରଖାଯାଇଛି। ଜଳ ଓ ପରିମଳ ପାଇଁ ଋଣ ଦେବା ଲାଗି ଯେଉଁ ବ୍ୟାଙ୍କରେ ବ୍ୟବସ୍ଥା ନାହିଁ ସେମାନେ ନିଜ ମୁଖ୍ୟ କାର୍ଯ୍ୟାଳୟ ଯୋଗାଯୋଗ କରି ସେହି ବ୍ୟବସ୍ଥା କରିବାକୁ ଏସ୍‌ଏଲ୍‌ବିସି ଓଡ଼ିଶାର ଏଜିଏମ୍‌ ଲିଙ୍ଗରାଜ ନାୟକ କହିଛନ୍ତି। ବ୍ୟାଙ୍କିଙ୍ଗ କରେସନ୍‌ପଣ୍ଡେଣ୍ଟ୍‌, ମାଇକ୍ରୋଫାଇନାନ୍ସ ସଂସ୍ଥା ସହିତ ବ୍ୟାଙ୍କଗୁଡ଼ିକ ସହଯୋଗିତା ସ୍ଥାପନ କରି ଏଭଳି ଋଣ ଦେଇପାରିବେ ବୋଲି ନାବାର୍ଡର ସିଜିଏମ୍ ସି ଉଦୟ ଭାସ୍କର କହଛନ୍ତି।

ଏହି ଅବସରରେ ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ଅରୁପାନନ୍ଦ ଜେନା, ଓଡ଼ିଶା ଜୀବିକା ମିସନର ଅତିରିକ୍ତ ସିଇଓ ଡକ୍ଟର ବବିତା ମହାପାତ୍ର, ୟୁନିସେଫ୍ ଇଣ୍ଡିଆର ନିକୋଲାସ ଓସ୍‌ବର୍ଟ, ୱାସ୍‌ ବିଶେଷଜ୍ଞ ସିପ୍ରା ସକ୍ସେନା ଓ ୱାଟର ଡଟ୍ ଓଆର୍‌ଜିର ଆଞ୍ଚଳିକ ନିର୍ଦେଶକ ମନୋଜ ଗୁଲାଟି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର