ହ୍ବାଟସ୍‌ଆପ୍‌କୁ ବିଭ୍ରାଟର ରିପୋର୍ଟ ମାଗିଲେ ସରକାର

ନୂଆଦିଲ୍ଲୀ, ୨୬/୧୦: ଗତକାଲି ହ୍ବାଟସ୍‌ଆପ୍‌ ପ୍ରାୟ ଦୁଇ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା ଯାହାକୁ ନେଇ ଦେଶବାସୀ ବେଶ ଚିନ୍ତିତ ହୋଇପଡ଼ିଥିଲେ। ସେବାରେ ଏହି ବିଭ୍ରାଟ ପଛର କାରଣ କ’ଣ ତାହା ଜଣାଇବା ଲାଗି ‌ହ୍ବାଟସ୍‌ଆପ୍‌କୁ କୁହାଯାଇଛି ବୋଲି ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ଗତକାଲି ଅପରାହ୍ନ ୧୨ଟା ୭ରୁ ହ୍ବାଟସ୍‌ଆପ୍ କାମ କରିବା ବନ୍ଦ ‌ହୋଇଥିଲା। ବିଶ୍ବବ୍ୟାପୀ ପ୍ରାୟ ୨୦୦ କୋଟି ଲୋକ ଏହା ଦ୍ବାରା ପ୍ରଭାବିତ ହୋଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ସାଟେଲାଇଟ୍‌ ଯୋଗାଯୋଗ ବିଷୟରେ ମଧ୍ୟ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି। ସାରା ବିଶ୍ବରେ ପ୍ରଚଳନରେ ଥିବା ଶ୍ରେଷ୍ଠ ପ୍ରଥାଗୁଡ଼ିକୁ ଅନୁଶୀଳନ କରିବା ଲାଗି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)କୁ କୁହାଯାଇଛି। ସେହି ରିପୋର୍ଟ ମିଳିବା ପରେ ଆସନ୍ତା ୩-୪ ମାସ ଭିତରେ ସାଟେଲାଇଟ୍ ଯୋଗାଯୋଗକୁ ନେଇ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର