ବାରଣ ସତ୍ତ୍ବେ ଭଉଣୀ ସଙ୍ଗେ ଲାଗିବାରୁ ଯୁବକଙ୍କୁ ୭୦ ଥର ଛୁରିଭୁସି ହତ୍ୟା କଲା ଇଞ୍ଜିନିୟରିଙ୍ଗ୍‌ ପଢୁଥିବା ଭାଇ

ଚିକ୍କବଲ୍ଲପୁର: ଭଉଣୀକୁ ମାନସିକ ନିର୍ଯାତନା ଦେଉଥିବା ଘଟଣାରେ ଉତ୍‌କ୍ଷିପ୍ତ ହୋଇ ଘରୋଇ ଇଞ୍ଜିନିୟରିଙ୍ଗ୍‌ କଲେଜରେ ପଢୁଥିବା ଜଣେ ଛାତ୍ର ଶନିବାର ବିଳମ୍ବିତ ସନ୍ଧ୍ୟାରେ ଘରପାଖର ଜଣେ ଯୁବକଙ୍କୁ ୭୦ ଥର ଛୁରି ଭୁସି ହତ୍ୟା କରିଥିବା କଥା ପୁଲିସ କହିଛି।

ଚିକ୍କବଲ୍ଲପୁର ଗ୍ରାମାଞ୍ଚଳ ଥାନା ସବ୍‌-ଇନ୍‌ସ୍‌ପେକ୍ଟର୍‌ ପ୍ରଦୀପ ପୂଜରା କହିବା ଅନୁସ‌ାରେ, ଘଟଣାଟି ଚିକ୍କବଲ୍ଲପୁର ନିକଟ ହାରୋବନ୍ଦେ ପାହାଡ଼ ନିକଟରେ ଘଟଣାଟି ଘଟିଛି ଓ ରବିବାର ସକାଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଉଛନ୍ତି ୨୦ ବର୍ଷିୟ ଦର୍ଶନ ଓ ତାଙ୍କ ବନ୍ଧୁ ଆଶ୍ରୟ। ସେମାନେ ପୋଷାକ କାରଖାନରେ କାର୍ଯ୍ୟ କରୁଥିବା ୧୯ ବର୍ଷିୟ ନନ୍ଦନଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।

୧୭ ବର୍ଷୀୟ ଭଉଣୀଠାରୁ ଦୂରେଇ ରହିବାକୁ ଦର୍ଶନ ନନ୍ଦନଙ୍କୁ ସାବଧାନ କରାଇ ଦେଇଥିଲେ। କିନ୍ତୁ, ନନ୍ଦନ ସେଥିପ୍ରତି ଭ୍ରୂକ୍ଷେପ ନ କରି ଓଲଟି ଧମକ ଦେଇଥିଲେ କି, ସେ ଭଉଣୀର ଫଟୋ ଭାଇରାଲ୍‌ କରିଦେବ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦର୍ଶନ ନନ୍ଦନଙ୍କୁ ଆକ୍ରମଣ କରିଥିଲେ।

Image Courtesy of Times of India

ଚିକ୍କବଲ୍ଲପୁରର ସର୍କଲ୍‌ ଇନ୍‌ସ୍ପେକ୍ଟର୍‌ ବି. ରାଜୁ କହିଛନ୍ତି, ନମ୍ବର ବ୍ଲକ୍‌ କରି ଦେଇଥିଲେ ବି ନନ୍ଦନ ସେ ଝିଅ ନିକଟକୁ ଫୋନ୍‌ କରୁଥିଲେ। ଏ ଘଟଣାରେ ରାଗିଯାଇ ଦର୍ଶନ ଗୋଟାଏ ଛୁରି କିଣିଲେ ଓ ଆଶ୍ରୟକୁ ସାଥୀରେ ଧରି ଗଲେ। ଏହା ପରେ ସେ ଗୋଟାଏ କାମରେ ସାହାଯ୍ୟ ଚାହୁଁଛି କହି ନନ୍ଦନଙ୍କୁ ଡକାଇଲେ। କିନ୍ତୁ, ନନ୍ଦନ ଆସିବାକୁ ମନାକରି ଦେଲେ।

ଫଳରେ ଦର୍ଶନ ଓ ଆଶ୍ରୟ ପୋଷାକ କାରଖାନା ପାଖକୁ ଯାଇ ନନ୍ଦନଙ୍କୁ ଡାକିଲେ। ସେ ବାହାରକୁ ଆସିଲାରୁ ଦର୍ଶନ ଓ ଆଶ୍ରୟ ତାଙ୍କୁ ବାଇକ୍‌ରେ ବସାଇ ହରୋବନ୍ଦେ ଆଡ଼କୁ ନେଇଗଲେ। ଯିବା ବାଟରେ ସେମାନେ ମଦ କିଣିଥିଲେ। ହରୋବନ୍ଦେ ପାହାଡ଼ରେ ପହଞ୍ଚି ସେମାନେ ଗୋଟାଏ ମୁଣ୍ଡିଆ ଉପରେ ବସିଲେ। ସେଠାରେ ନନ୍ଦନ ଓ ଦର୍ଶନ ଝଗଡ଼ା ଲାଗିଲେ। ଝଗଡ଼ା ବେଳେ ଦର୍ଶନ ନନ୍ଦନ ପିଠିରେ ୭୦ ଥର ଛୁରି ଭୁସି ପକାଇଲେ। ଘଟଣାସ୍ଥଳରେ ହିଁ ନନ୍ଦଙ୍କର ମୃତ୍ୟୁ ଘଟିଲା।

ସମ୍ବନ୍ଧିତ ଖବର