ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଅନ୍ତରୀଣ ରହିତାଦେଶ ଜାରି କଲେ ହାଇକୋର୍ଟ

କଟକ: ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ କଟକ ପରିବାର ଅଦାଲତ ୨୦୨୨, ନଭେମ୍ବର ୩ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ଆଜି ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥି ସହିତ ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ତରଫରୁ ଦାୟର ଆବେଦନକୁ ବିଚାର ପାଇଁ ଗ୍ରହଣ କରି ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଭବଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଫେବ୍ରୁଆରି ୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଏ ନେଇ ଅନୁଭବଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଲଳିତେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପରିବାର ଅଦାଲତରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହେବା ପରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ଆଇନଜୀବୀ ଜେରା କରୁଥିଲେ। ସାକ୍ଷ୍ୟ ଗ୍ରହଣ ସମୟରେ ଉଭୟ ପକ୍ଷର ସର୍ବାଧିକ ଦୁଇ ଜଣ ଆଇନଜୀବୀ ଅଦାଲତରେ ଉପସ୍ଥିତ ରହି ପାରିବେ ନାହିଁ ବୋଲି ପରିବାର ଅଦାଲତ ଗତ ନଭେମ୍ବର ୩ରେ ନିର୍ଦ୍ଦେଶ ଦେଇଥିଲେ। ଏପରି ନିର୍ଦ୍ଦେଶକୁ ବିରୋଧ କରି ଅନୁଭବଙ୍କ ତରଫରୁ ହାଇକୋର୍ଟରେ ଆବେଦନ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ/ଜେରା ସମୟରେ ଏଭଳି କୌଣସି କଟକଣା ନଥିଲା। କିନ୍ତୁ ବର୍ଷାଙ୍କୁ ଜେରା ସମୟରେ ଉଭୟ ପକ୍ଷର ମାତ୍ର ଦୁଇଜଣ ଲେଖାଏ ଆଇନଜୀବୀ ଉପସ୍ଥିତ ରହି ପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଭଳି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଅନୁଭବଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ପରିବାର ଅଦାଲତରେ ଜେରା ବେଳେ ଅନୁଭବଙ୍କ ତରଫରୁ ଆଇନଜୀବୀ ବର୍ଷାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କିନ୍ତୁ କେତେକ ନିର୍ଦ୍ଦିଷ୍ଟ ପ୍ରଶ୍ନକୁ ନେଇ ବର୍ଷାଙ୍କ ତରଫରୁ ଆପତ୍ତି କରାଯାଇଥିଲା। ଏଭଳି ପ୍ରଶ୍ନ ପଚରା ଯାଇ ପାରିବ ନାହିଁ ବୋଲି ବର୍ଷାଙ୍କ ତରଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷ‌େର ମାମଲାର ଉପଯୁକ୍ତ ବିଚାର ପାଇଁ ଏହି ସବୁ ପ୍ରଶ୍ନ ଗୁରୁତ୍ବପୂର୍ଣ୍ଣ ବୋଲି ଅନୁଭବଙ୍କ ତରଫରୁ ଆଇନଜୀବୀ ପରିବାର ଅଦାଲତରେ ଦର୍ଶାଇଥିଲେ। ଏଥି ସହିତ ଅଦାଲତରେ ବର୍ଷାଙ୍କୁ ଇଂରାଜୀରେ ପ୍ରଶ୍ନ ପଚରାଯାଇଥିବା ବେଳେ ସେ କିନ୍ତୁ ଓଡ଼ିଆରେ ଉତ୍ତର ଦେଇଥିଲେ। ଅନୁଭବଙ୍କ ତରଫରୁ ପ୍ରଶ୍ନ ଇଂରାଜୀରେ କରାଯାଉଥିବାରୁ ଉତ୍ତର ମଧ୍ୟ ସମାନ ଭାଷାରେ ଦିଆଯିବା ଉଚିତ ବୋଲି ଦର୍ଶାଯାଇଥିଲା। କିନ୍ତୁ ବର୍ଷା ତାଙ୍କୁ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଓଡ଼ିଆରେ ଦେଇଥିଲେ। ଅନୁଭବଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୀତା ଲୁଥ୍ରା, ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ଶାଶ୍ବତ ଆଚାର୍ୟ୍ୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର